ଚନ୍ଦ୍ରଶେଖରପୁର : ସପ୍ତାହେ ହେଲା ଅନବରତ ଭାବେ ବହି ଚାଲିଛି ପିଇବା ପାଣି। ରାସ୍ତା ସାରା ଜଳମଗ୍ନ ହେଉଛି। ଯେଉଁଥିପାଇଁ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରର ପ୍ରଗତି ଏନ୍କ୍ଲେଭ୍ରେ ରହୁଥିବା ଶତାଧିକ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳବାସୀ ଏସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି।
ସୂଚନାଯୋଗ୍ୟ ଜଳ ଯୋଗାଣ ଲାଗି ପାଇପ୍ ବିଛାଇବା ବେଳେ ୱାଟ୍କୋ ସଂସ୍ଥାର କର୍ମଚାରୀମାନେ ଖାମଖିଆଲି ଭାବେ କାମ କରିଥିଲେ। ପାଣି ପାଇପ୍ ଲୋକଙ୍କ ଘର ନିକଟକୁ ନେବାର ନିୟମ ଥିଲେ ବି ପ୍ରଗତି ଏନ୍କ୍ଲେଭ୍ରେ କାମ କରୁଥିବା ସଂସ୍ଥା ରାସ୍ତା ଉପରେ ପାଣି ପାଇପ୍ ଛାଡ଼ି ଚାଲି ଯାଇଛନ୍ତି। ପରିଣାମ ସ୍ବରୂପ ଗାଡ଼ି ଚାପାରେ ପାଇପ୍ ଫାଟିଯିବାରୁ ଏବେ ରାସ୍ତାରେ ପାଣି ବହୁଛି। ଲୋକଙ୍କ ଘର ନିକଟକୁ ପାଣି ପାଇପ୍ ବିଛା ହେବା ସମୟରେ କଂକ୍ରିଟ୍ ଢଳାଇ ଖୋଳାଯାଇଥିଲା। ରାସ୍ତା ଖୋଳି ପାଣି ପାଇପ୍ ବିଛା ଯାଇଥିଲେ ମଧ୍ୟ ପରବର୍ତୀ ସମୟରେ ତାହାର ମରାମତି କରାଯାଇ ନାହିଁ। କାମ ସମୟରେ ଲୋକେ ଏହାକୁ ବିରୋଧ କରିବାରୁ ପରଦିନ କରାଯିବ ବୋଲି କହି କର୍ମଚାରୀମାନେ ଚାଲିଯାଇଥିଲେ। ଫଳରେ ପ୍ରଗତି ଏନ୍କ୍ଲେଭ୍ ରାସ୍ତାରେ ସେମିତି ଖାଲଖମା ଭର୍ତ୍ତି ହୋଇ ରହିଲା।
ବିକାଶମୂଳକ କାର୍ଯ୍ୟ ଲାଗି କଂକ୍ରିଟ୍ ଢଳାଇ ରାସ୍ତାକୁ ବିଭିନ୍ନ ସମୟରେ ଖୋଳାଯାଉଥିଲେ ମଧ୍ୟ ତାହାର ମରାମତି ହେଉନି। ଫଳରେ ରାସ୍ତା ଏବେ ନଷ୍ଟ ହେବାରେ ଲାଗିଛି। କଂକ୍ରିଟ୍ ରାସ୍ତା ଉପରେ ବହଳ ଉଚ୍ଚର ମାଟି କାଦୁଅ ଜମା ହୋଇଛି। ଉପର ମୁଣ୍ଡରୁ ଯାହା ବି କିଛି ପାଣି ଗଡ଼ୁଛି ତାହା ଦ୍ବାରା ରାସ୍ତା ଖରାପ ହେଉଛି। ବିଏମ୍ସି ବାବୁମାନେ ବିଭିନ୍ନ ସମୟରେ ଏହି ରାସ୍ତା ଦେଖିବାକୁ ଆସୁଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନେଉନାହାନ୍ତି। ଏମିତିକି ଗତ ମାସରେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ୮ ନମ୍ବର ୱାର୍ଡ ପରିଦର୍ଶନରେ ଆସିଥିବା ବେଳେ କେମିତି ତାଙ୍କ ଆଖିରେ ଏଭଳି ଦୃଶ୍ୟ ପଡ଼ିଲା ନାହିଁ ତାହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଚକାଚକ୍ ରାସ୍ତାରେ ନ ବୁଲି ଲୋକଙ୍କ ସମସ୍ୟା ଜାଣିବା ଲାଗି ଅଧିକାରୀମାନେ ଗଳିକନ୍ଦିରେ ବୁଲିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/5d4gag456da49ga4d98gaddgdgdgaadga.jpg)