ରାଜନୀତି ଓ ସାମ୍ବାଦିକତାରେ ପ୍ରଦ୍ୟୁମ୍ନ ବଳ ମୂଲ୍ୟବୋଧର ପ୍ରତୀକ ଥିଲେ: ମୁଖ୍ୟମନ୍ତ୍ରୀ

କମଳା ପୂଜାରୀଙ୍କୁ ସ୍ମାରକୀ ସମ୍ମାନ

ଭୁବନେଶ୍ୱର : ଉଭୟ ରାଜନୀତି ଏବଂ ସାମ୍ବାଦିକତାରେ ପ୍ରଦ୍ୟୁମ୍ନ ବଳ ମୂଲ୍ୟବୋଧର ପ୍ରତୀକ ଥିଲେ। ରାଜନୀତିରେ ଦୀର୍ଘକାଳ ରହି ନ ଥିଲେ ମଧ୍ୟ ଏକ ଉଚ୍ଚକୋଟୀର ରାଜନୈତିକ ପ୍ରତିଷ୍ଠା ଅର୍ଜନ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ସେ ପ୍ରସିଦ୍ଧି ଲାଭ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

‘ପ୍ରଗତିବାଦୀ’ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଚିନ୍ତାନାୟକ ପ୍ରଦ୍ୟୁମ୍ନ ବଳଙ୍କ ୮୫ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କିଟ୍‌ କନଭେନସନ ସେଣ୍ଟର୍‌ ଠାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷର ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ କୋରାପୁଟର ଆଦିବାସୀ ମହିଳା ଧାନ ଗବେଷିକା କମଳା ପୂଜାରୀଙ୍କୁ ପ୍ରଦାନ କରିଥିଲେ। ଜଣେ ଆଦିବାସୀ ମହିଳା ଭାବେ କମଳା ପୂଜାରୀ ଯେଭଳି ଧାନ ଓ ଅନ୍ୟାନ୍ୟ ଶସ୍ୟର ସଂରକ୍ଷଣ କ୍ଷେତ୍ରରେ ନୂଆ ରାସ୍ତା ଦେଖାଇଛନ୍ତି ସେଥିପାଇଁ ସେ ଅଭିନନ୍ଦନୀୟ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସେଣ୍ଟର୍‌ ଫର୍‌ ଇକ୍ୱିଟି ଷ୍ଟଡିଜ୍‌ର ନିର୍ଦ୍ଦେଶକ ହର୍ଷ ମନ୍ଦେର ଦେଶରେ ଦେଖାଦେଇଥିବା ଅସମାନତା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ। ଦେଶରେ ସମ୍ବେଦନଶୀଳତାର ଅଭାବ ଦେଖାଦେଇଥିବା ଏବଂ ସବୁଠି ଘୃଣା ଓ ହିଂସା ଏକ ଅସମାନତା ସୃଷ୍ଟି କରୁଥିବା ଉଲ୍ଲେଖ କରିଥିଲେ। ପ୍ରତ୍ୟେକ କ୍ଷେତ୍ରରେ କିଭଳି ଅସମାନତା ରହିଛି ସେନେଇ ସେ ତାଙ୍କର ବକ୍ତବ୍ୟ ରଖିବା ସହ ଏହି ଅସମାନତା ଦୂର କରିବା ପାଇଁ ସବୁ ବର୍ଗର ଲୋକେ ଆଗେଇ ଆସିବାକୁ ସେ ଆହ୍ଵାନ ଦେଇଥିଲେ।
ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର ଓଁକାର ନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହର ପ୍ରାରମ୍ଭରେ ସମ୍ବିତ ବଳ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ କେନ୍ଦୁଝରର ଦେବାଶିଷ ମିଶ୍ରଙ୍କୁ ସାମ୍ବାଦିକତା ଲାଗି ପୁରସ୍କୃତ କରାଯାଇଥିଲା। ବ୍ରତତୀ ବଳ ଧନ୍ୟବାଦ ଅର୍ପଣ କରିଥିଲେ। କିଟ୍‌ ଓ କିସ୍‌ର ସଭାପତି ଶାଶ୍ୱତୀ ବଳ ଏବଂ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଞ୍ଚରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର