ପ୍ରଜ୍ଞା ପାରମିତା ଆତ୍ମହତ୍ୟା ଘଟଣା: ୪ଦିନ ପରେ ବି ଫିଟୁନି ରହସ୍ୟ

ଭୁବନେଶ୍ବର: ପ୍ରଜ୍ଞା ପାରମିତା ଦାସଙ୍କ ଆତ୍ମହତ୍ୟା ଘଟଣାକୁ ୪ ଦିନ ବିତିଯାଇଥିଲେ ହେଁ ମୃତ୍ୟୁ ରହସ୍ୟ ଉପରୁ ପୁଲିସ୍‌ ପରଦା ହଟାଇ ପାରିନାହିଁ। ସ୍ବାମୀ ଓ ପୁଅକୁ ଶୋଇଥିବା ଅବସ୍ଥାରେ ପଡ଼ୋଶୀଙ୍କ ଘରେ ଛାଡ଼ି ଆସିବାର ଘଣ୍ଟାଏ ମଧ୍ୟରେ ଏମିତି କ’ଣ ଘଟିଗଲା ଯେ ସେ ଜୀବନ ହାରିଦେଲେ, ତାହା କେହି ବୁଝି ପାରୁନାହାନ୍ତି। ଅପରପକ୍ଷେ ସିସିଟିଭି ଫୁଟେଜ୍‌‌ରେ କଏଦ୍‌ ହୋଇଥିବା କିଛି ଦୃଶ୍ୟ ରହସ୍ୟକୁ ଅଧିକ ଘନୀଭୂତ କରିଛି। ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି ଯେ ପ୍ରଜ୍ଞା ୬ଟା ୩୮ରେ ପଡ଼ୋଶୀଙ୍କ ଘରୁ ବାହାରି ଯାଇଥିଲେ। ପରେ ପାଖାପାଖି ୭ଟା ୧୫ବେଳକୁ ପଡ଼ୋଶୀ ମହିଳା ପ୍ରଜ୍ଞାଙ୍କ ଘରକୁ ଯାଇଥିଲେ।

ସେଠାରେ ସେ ପାଖାପାଖି ୨୦ ମିନିଟ୍‌ ରହିବା ପରେ ଅର୍ଥାତ୍‌ ୭ଟା ୩୫ରେ ନିଜ ଘରକୁ ଫେରି ଆସିଥିଲେ। ଏହାର ୭ ମିନିଟ୍‌ ପରେ ପୁଣି ସେ ପ୍ରଜ୍ଞାଙ୍କ ଘରକୁ ଯାଇଥିଲେ। ପ୍ରାୟ ଘଣ୍ଟାକ ପରେ ଅର୍ଥାତ୍‌ ସକାଳ ୮ଟା ୧୨ ବେଳକୁ ପ୍ରଜ୍ଞାଙ୍କ ସ୍ୱାମୀ ସତ୍ୟ ନିଜ ଘରକୁ ଯାଇଥିଲେ। ଏହାର ପ୍ରାୟ ୧୩ ମିନିଟ୍‌ ପରେ ଅର୍ଥାତ୍ ୮ଟା ୨୫ରେ ପୁଣିଥରେ ପଡ଼ୋଶୀଙ୍କ ଘରକୁ ଆସି ସକାଳ ୮ଟା ୩୪ରେ ପୁଅକୁ ନେଇ ଫେରିଥିଲେ। ତେବେ ପଡ଼ୋଶୀ ମହିଳାଜଣଙ୍କ ଦୁଇ ଦୁଇଥର ପ୍ରଜ୍ଞାଙ୍କ ଘରକୁ ଯାଇଥିବା ବେଳେ ସେତେବେଳେ ସେ ଜୀବିତ ଥିଲେ ନା ନାହିଁ? ଯଦି ତାଙ୍କର ମୃତ୍ୟୁ ହୋଇସାରିଥିଲା, ତାହା ସେ ସତ୍ୟଙ୍କୁ ଆସି ଜଣାଇଥିଲେ କି? ଆଦିକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏନେଇ ପୁଲିସ୍‌ ବି ମୁହଁ ଖୋଲୁନାହିଁ।

ସୂଚନା‌ଯୋଗ୍ୟ, ଗତ ୨୪ ତାରିଖ ରାତିରେ ଭାଗବତ ସନ୍ଧାନରେ ପ୍ରଜ୍ଞା ଓ ତାଙ୍କ ସ୍ବାମୀ ପଡ଼ୋଶୀ ଘରେ ଭୋଜିଭାଜ କରିଥିଲେ ଓ ସେହିଠାରେ ରହି ଯାଇଥିଲେ। ପରଦିନ ସକାଳୁ ପ୍ରଜ୍ଞା ଆଗୁଆ ନିଜ ଘରକୁ ଚାଲି ଆସିଥିଲେ। ସକାଳ ପ୍ରାୟ ସାଢ଼େ ୮ଟା ବେଳକୁ ସ୍ବାମୀ ସତ୍ୟ ଘରକୁ ଫେରିବା ବେ‌ଳକୁ ପ୍ରଜ୍ଞାଙ୍କ ଶବ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଗତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। ଶ୍ୱାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର