ଭୁବନେଶ୍ବର: ଜନନେତା ପ୍ରହ୍ଲାଦ ମଲିକଙ୍କ ୯୪ତମ ଜୟନ୍ତୀ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ପୂର୍ବତନ ମନ୍ତ୍ରୀ ତଥା ଜନନେତା ପ୍ରହ୍ଲାଦ ମଲିକ କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ନେତା ନୁହଁନ୍ତି, ସେ ସାରା ଓଡ଼ିଶାର ନେତା ଥିଲେ। ମୁଖ୍ୟବକ୍ତା ପରିବେଶବିତ୍ ଲିଙ୍ଗରାଜ ଆଜାଦ୍ ‘ଖଣିଜ ସଂପଦ, ଶିଳ୍ପାୟନ ଓ ଓଡ଼ିଶାର ବିକାଶ’ ଶୀର୍ଷକ ଉପରେ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ। ବନ୍ଦ ହୋଇଯାଇଥିବା ଶିଳ୍ପଗୁଡ଼ିକର ପୁନରୁଦ୍ଧାର ଉପରେ ସରକାର ପ୍ରାଧାନ୍ୟ ଦେବାକୁ ସେ ମତପ୍ରକାଶ କରିଥିଲେ।

Advertisment

ସମ୍ମାନିତ ଅତିଥି ଭାବେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ସାମ୍ବାଦିକ ରବି ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରହ୍ଲାଦ ମଲିକ ଏକାଧାରରେ ଜଣେ ପ୍ରବୀଣ ସଂଗଠକ, ସଚ୍ ଚୋଟ ରାଜନେତା, ଦକ୍ଷ ମନ୍ତ୍ରୀ ତଥା ନୀତିନିଷ୍ଠ ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସଭାରେ ସଭାପତିତ୍ବ କରିଥିଲେ। ସଭା ଆରମ୍ଭରେ ପୂର୍ବତନ ସାଂସଦ ‌ମୋହନ ଜେନାଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ସମାଜସେବୀ କସ୍ତୁରୀ ମହାପାତ୍ରଙ୍କୁ ପ୍ରହ୍ଲାଦ ମଲିକ ସମ୍ମାନ ଓ ମାଟ୍ରିକ୍‌ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖିଥିବା‌ ମୋନାଶ୍ରୀ ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକ‌ା ସିପ୍ରା ମଲ୍ଲିକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ବସନ୍ତ କୁମାର ମଲ୍ଲିକ ବିବରଣୀ ପ୍ରଦାନ କରିଥିଲେ। ଅଭିମନ୍ୟୁ ସେଠୀ ଧନ୍ୟବାଦ ଦେଇଥିଲେ।