ପ୍ରଶଂସା ସାଉଣ୍ଟିଲେ ବିଶ୍ବକପ୍‌ ସ୍ବେଚ୍ଛାସେବୀ

ଭୁବନେଶ୍ବର: ବିଶ୍ବକପ୍ ପାଇଁ ସ୍ବେଚ୍ଛାସେବୀ ଦାୟିତ୍ବରେ ଥିବା କିଛି ଉଦୀୟମାନ କ୍ରୀଡ଼ା ତାରକା ଶନିବାର ଢେର ପ୍ରଶଂସା ସାଉଣ୍ଟିଥିଲେ। ଏମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ କାନାଡା ଓ ଚିଲି ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ ସୁରୁଖୁରୁରେ ଶେଷ ହୋଇଥିଲା। ବାତ୍ୟା ଜୱାଦ ପ୍ରଭାବରେ ଶନିବାର ସକାଳ ପାଗ ପୂରା କୋହଲା ରହିଥିଲା। ଝିପିଝିପି ବର୍ଷା ସତ୍ତ୍ବେ ଆମେରିକା ଓ କାନାଡା ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ବେଳେ ବିଶେଷ ଅସୁବିଧା ହୋଇ ନଥିଲା।

ହେଲେ କାନାଡା-ଚିଲି ମ୍ୟାଚ୍ ପୂର୍ବରୁ ଢୁଢୁ ବର୍ଷା ହେବା ସହ କଳିଙ୍ଗ ଷ୍ଟାଡିୟମ୍ ନୀଳ ଟର୍ଫରେ ପାଦେ ପର୍ଯ୍ୟନ୍ତ ପାଣି ଜମି ଯାଇଥିଲା। ଜଳ ନିଷ୍କାସନର ଭଲ ବ୍ୟବସ୍ଥା ଥିଲେ ମଧ୍ୟ ଟର୍ଫରୁ ପାଣି ପୂରା ଖାଲି ହୋଇନଥିଲା। ଏତିକିବେଳେ ସ୍ବେଚ୍ଛାସେବୀମାନେ ହାତରେ ୱାଇପର୍‌ ଧରି ବାହାରି ପଡ଼ିଥିଲେ। ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ପାଣି ସଫା କରି ଟର୍ଫକୁ କିଛି କ୍ଷଣ ଭିତରେ ଖେଳିବା ଉପଯୋଗୀ କରି ଅଜସ୍ର ପ୍ରଶଂସା ସାଉଣ୍ଟିଥିଲେ।

କାନାଡା ୧୩, ଚିଲି ୧୪

ଶନିବାରର ଅନ୍ୟ ଏକ କ୍ଲାସିଫିକେସନ୍ ମ୍ୟାଚ୍‌ରେ ଚିଲିକୁ ୨-୧ ଗୋଲ୍‌ରେ ପରାସ୍ତ କରି କାନାଡା ତ୍ରୟୋଦଶ ସ୍ଥାନ ଅଧିକାର କରିଥିଲା। ତା ସହ ଭୁବନେଶ୍ବରରୁ ସୁଖଦ ଅନୁଭୂତି ନେଇ ସ୍ବଦେଶ ଫେରିବାର ଆତ୍ମସନ୍ତୋଷ ପାଇଥିଲା। ଆମେରିକା ଭଳି ୱାଇଲ୍ଡ କାର୍ଡ ପାଇ ବିଶ୍ବକପ୍ ଖେଳିବାର ସୁଯୋଗ ଲାଭ କରିଥିବା କାନାଡାକୁ ଚିଲି ୩୯ ମିନିଟ୍ ପର୍ଯ୍ୟନ୍ତ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲା। ୪୦ ମିନିଟ୍‌ରେ କିନ୍ତୁ ଜନ୍ ଜାକୋବି ଏକ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ନିଜ ଦଳକୁ ଆଗୁଆ କରି ଦେଇଥିଲେ।

କାନାଡା ପକ୍ଷରୁ ଦ୍ବିତୀୟ ଗୋଲ୍ ଭାରତୀୟ ବଂଶୋଦ୍ଭବ ତନବୀର କଙ୍ଗ ଦେଇଥିଲେ। ଚିଲି ୫୭ ମିନିଟ୍‌ରେ ଅଗଷ୍ଟିନ ଆମୋରୋସୋଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍ ବଳରେ ସାନ୍ତ୍ବନା ପାଇଥିଲା। ହେଲେ ଗୋଟିଏ ଗୋଲ୍‌ରେ ପରାଜିତ ହୋଇ ଚର୍ତୁଦଶ ସ୍ଥାନରେ ନିଜ ବିଶ୍ବକପ୍ ଅଭିଯାନ ଶେଷ କରିଥିଲା। ଭାରତୀୟ ଭାରୋତ୍ତୋଳନ ସଂଘର ସଭାପତି ସହଦେବ ଯାଦବ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଖେଲୋ ଇଣ୍ଡିଆ ରାଜ୍ୟ କେନ୍ଦ୍ରର ମୁଖ୍ୟ ପିଏସ୍‌ଏମ୍ ଚନ୍ଦନ ଅତିଥି ଭାବେ ଯୋଗଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଜନ୍ ଜାକୋବିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ପାକିସ୍ତାନ ୧୧, ପୋଲାଣ୍ଡ ୧୨
ଶନିବାର ସଂଧ୍ୟାରେ ଏକାଦଶ ଓ ଦ୍ବାଦଶ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ପୂର୍ବବିଜେତା ପାକିସ୍ତାନ ବାଜି ମାରି ନେଇଥିଲା। ଅନଭିଜ୍ଞ ପୋଲାଣ୍ଡ ବିପକ୍ଷ ଏହି ମ୍ୟାଚ୍‌କୁ ଏକତରଫା ଭାବେ ୫-୦ ଗୋଲ୍‌ରେ ଜିତି ଏକାଦଶ ସ୍ଥାନରେ ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଅଭିଯାନ ଶେଷ କରିଥିଲା। ଭୁବନେଶ୍ବରରୁ କିନ୍ତୁ ଅଭୁଲା ଆତିଥେୟତା ପାଇଥିଲା ପାକିସ୍ତାନ।

ଅନ୍ୟପକ୍ଷରେ ପୋଲାଣ୍ଡ ଆଶାଠାରୁ ଭଲ କରି ଦ୍ବାଦଶ ସ୍ଥାନ ଅଧିକାର କରିଥିଲା। ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ବର୍ଣ୍ଣପଦକ ବିଜେତା ଅଭିନବ ବିନ୍ଦ୍ରା ମ୍ୟାଚ୍ ପୂର୍ବରୁ ଅତିଥି ଭାବେ ଯୋଗଦେଇ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଭାରତୀୟ ସନ୍ତରଣ ମହାସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବୀରେନ୍ଦ୍ର ନାନାବତୀ ଅତିଥି ଭାବେ ଯୋଗଦେଇ ପାକିସ୍ତାନର ଘଝନଫର ଅଲ୍ଲୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ଆମେରିକା ୧୫, ଇଜିପ୍ଟ ୧୬

ୱାଇଲ୍ଡ କାର୍ଡ ପାଇ ବିଶ୍ବକପ୍ ଖେଳିବାର ସୁଯୋଗ ଲାଭ କରିଥିବା ଅନଭିଜ୍ଞ ଆମେରିକା ଶନିବାରର ୧୫ ଓ ୧୬ସ୍ଥାନ ମ୍ୟାଚ୍‌ରେ ଇଜିପ୍ଟ ପେନାଲ୍ଟି ସୁଟଆଉଟ୍‌ରେ ୩-୦ (୨-୨) ଗୋଲ୍‌ରେ ପରାସ୍ତ କରି ୧୫ତମ ସ୍ଥାନରେ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ବିଶ୍ବକପ୍ ପାଇଁ ଆନୁଷ୍ଠାନିକ ଯୋଗ୍ୟତା ଅର୍ଜନ କରିଥିବା ଇଜିପ୍ଟ ସବାଶେଷ ୧୬ତମ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ର ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ଆମେରିକା ୩ କ୍ବାର୍ଟର ଧରି ୦-୨ରେ ପଛୁଆ ରହିବା ପରେ ଶେଷ କ୍ବାର୍ଟରରେ ୨ ଗୋଲ୍ ଦେଇ ନାଟକୀୟ ଢଙ୍ଗରେ ସ୍ଥିତି ବରାବର କରି ନେଇଥିଲା।

ହେଲେ ସୁଟଆଉଟ୍‌ରେ ଆମେରିକା ଏକତରଫା ଭାବେ ୩ ଗୋଲ୍ ବ୍ୟବଧାନରେ ବିଜୟୀ ହୋଇଥିଲା। ଅଧିନାୟକ ଯତିନ ଶର୍ମାଙ୍କ ସହ ତିନିଜଣଯାକ ଆମେରିକା ଖେଳାଳି ସଫଳତାର ସହ ଗୋଲ୍ କରିଥିଲେ। ଅନ୍ୟପକ୍ଷରେ ଇଜିପ୍ଟର ତିନିଟି ଯାକ ପ୍ରୟାସକୁ ଚମତ୍କାର ଢଙ୍ଗରେ ଆମେରିକା ଗୋଲ୍‌ରକ୍ଷକ ସୋମିକ ଚକ୍ରବର୍ତ୍ତୀ ନିଷ୍ଫଳ କରି ଦେଇଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଅତିଥି ଭାବେ ଯୋଗ ଦେଇ ଉଭୟ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସେହିଭଳି କ୍ରୀଡ଼ା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ରଞ୍ଜିତ କୁମାର ପରିଡ଼ା ଅତିଥି ଭାବେ ଯୋଗଦେଇ ଟାଇମେନ୍ କ୍ଲୋଇନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ଦକ୍ଷିଣ ଆଫ୍ରିକା ୯, କୋରିଆ ୧୦


ଶନିବାରର ସବାଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଏକତରଫା ଭାବେ ୪-୦ ଗୋଲ୍‌ରେ କୋରିଆକୁ ପରାସ୍ତ କରି ନବମ ସ୍ଥାନରେ ରହିଥିଲା। କୋରିଆ ଦଶମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ଗାଏ ମୋର୍ଗାନ (୩୫ ଓ ୪୭ ମିନିଟ୍) ଦୁଇଟି ଗୋଲ୍ ଦେଇଥିଲେ। ଅନ୍ୟଦୁଇ ଗୋଲ୍ ଟ୍ରେଭର ଡି’ ଲୋରା (୪୭ ମିନିଟ୍) ଓ ଜେନାନି କ୍ରାଇ (୫୩ ମିନିଟ୍) ଦେଇଥିଲେ। ଗାଏ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସର୍ବଭାରତୀୟ ଫୁଟବଲ୍ ସଂଘ ଉପସାଧାରଣ ସଂପାଦକ ଅଭିଷେକ ଯାଦବଙ୍କଠାରୁ ଲାଭ କରିଥିଲେ। ମ୍ୟାଚ୍ ପୂର୍ବରୁ ଅଭିନେତା ରାହୁଲ ବୋଷ ଓ ରିଲାଏନ୍ସ ହାଇପର୍ଫମାନ୍ସ ସେଣ୍ଟର ପ୍ରଶିକ୍ଷକ ଜେମ୍ସ ହିଲର୍‌ ଅତିଥି ଭାବେ ଯୋଗ ଦେଇ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ।

ସମ୍ବନ୍ଧିତ ଖବର