ଭୁବନେଶ୍ବର: ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ୍ (ଓସା) ପକ୍ଷରୁ ଓଡ଼ିଶାର ଉଚ୍ଚଶିକ୍ଷା ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ପ୍ରଶଂସା କରିଛନ୍ତି। ଓସା, ବିଶ୍ୱ ଉଚ୍ଚଶିକ୍ଷା କମିଟି(ଜିଏଚ୍ଇସି)ର ପ୍ରତିନିଧି, ରାଜ୍ୟ ସରକାରଙ୍କ ପଦାଧିକାରୀ ଓ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନେଇ କିଛି ଦିନ ତଳେ ଅନୁଷ୍ଠିତ ଏକ ଭର୍ଚୁଆଲ୍ ବୈଠକରେ ଯୋଗଦେଇ ଶ୍ରୀ ସାହୁ କହିଲେ, ଓସା ଦ୍ୱାରା ଗଠନ କରାଯାଇଥିବା ଜିଏଚ୍ଇସି ପକ୍ଷରୁ ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ବେଶ ଉଚ୍ଚକୋଟୀର। ଏହାକୁ ଆହୁରି ଆଗକୁ ନେବାର ଆବଶ୍ୟକତା ରହିଛି। ଫଳରେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗଗୁଡ଼ିକର ଆବଶ୍ୟକତା ମୁତାବକ ୱେବିନାର୍ ଏବଂ ସଂସ୍ଥାନ ଉନ୍ନୟନ ନେଇ ବିଷୟବସ୍ତୁ ‘ଜିଏଚ୍ଇସି’ ଦ୍ୱାରା ଆୟୋଜନ କରାଯିବ। ପ୍ରଥମେ ଆମେରିକାସ୍ଥିତ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ପ୍ରାରମ୍ଭ କରି ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଆନ୍ତର୍ଜାତିକ ବିଦ୍ୟାର୍ଥୀ ଏବଂ ଅଧ୍ୟାପକଙ୍କ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିବେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ପରିସରଗୁଡ଼ିକରେ ଯଥାଶୀଘ୍ର ଉଚ୍ଚକ୍ଷମତା ସମ୍ପନ୍ନ ୱାଇଫାଇ ବ୍ରଡ୍ବ୍ୟାଣ୍ଡ୍ ଉପଲବ୍ଧ କରାଇବେ। ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ସେମାନଙ୍କର ୱେବ୍ସାଇଟ୍ରେ ଫ୍ୟାକଲ୍ଟି ପ୍ରୋଫାଇଲ୍ ଏବଂ ‘ରିସର୍ଚ୍ଚ ଇଣ୍ଟରେଷ୍ଟ’ ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ କରିବେ। ଏହାଦ୍ବାରା ବିଶ୍ୱ ଉଚ୍ଚଶିକ୍ଷା କମିଟି ଆନ୍ତର୍ଜାତିକସ୍ତରର ଅଧ୍ୟାପକ ଓ ଗବେଷକମାନଙ୍କ ସହିତ ସହଯୋଗର ଭିତ୍ତି ସ୍ଥାପନ କରିପାରିବେ। ‘ମୋ କଲେଜ’ କାର୍ଯ୍ୟକ୍ରମକୁ ଆଧାର କରି ସମସ୍ତ ବିଶ୍ୱବିଦ୍ୟାଳୟରେ ଆଲୁମିନି ଡାଟାବେସ୍ର ପ୍ରସ୍ତୁତିକୁ ଅଗ୍ରାଧିକାର ଭିତ୍ତିରେ ପ୍ରାଧାନ୍ୟ ଦିଆଯିବ ଏବଂ ଉଦ୍ୟୋଗ ଜଗତର ସହାୟତାରେ ଇନୋଭେସନ ଏବଂ ଇନ୍କୁବେସନ୍ ଭଳି ଉତ୍କୃଷ୍ଟ ଶିକ୍ଷା କେନ୍ଦ୍ରମାନ ପ୍ରତିଷ୍ଠାକୁ ବ୍ୟାପକ ଭାବେ ପ୍ରୋତ୍ସାହନ ପ୍ରଦାନ କରାଯିବ।
ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ୍ସଟର୍ନାଲ୍ ଆଡ୍ଭାଇଜରି କାଉନ୍ସିଲ୍ ସ୍ଥାପନକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ, ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଏବଂ କୁଳପତିମାନେ ସ୍ୱାଗତ ଜଣାଇବା ସାଙ୍ଗକୁ ସିଣ୍ଡିକେଟ୍ କମିଟିରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସ୍ଥାନ ଦେବାକୁ ସମ୍ମତି ପ୍ରକାଶ କରିଥିଲେ। ପ୍ରତି ତିନି ମାସରେ ‘ଓସା’ ଓ ‘ଜିଏଚ୍ଇସି’ ପ୍ରତିନିଧିମଣ୍ଡଳ ଏବଂ କୁଳପତି ତଥା ରାଜ୍ୟସରକାରଙ୍କର ଅଧିକାରୀମାନଙ୍କ ସହିତ ଏହିଭଳି ବୈଠକ କରାଯାଇ ପ୍ରସ୍ତାବଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭବିଷ୍ୟତରେ ଆକଳନ କରାଯିବା ପାଇଁ ମନ୍ତ୍ରୀ ରାଜି ହୋଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦିନବନ୍ଧୁ ସାହୁ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏନ୍. ନାଗରାଜୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସା, ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଡକ୍ଟର ମନୋଜ ପୁଜାରୀ, ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସ ନାଏକ, ‘ଓସା’ର ସଭାପତି କୁକୁ ଦାସ, ଉପସଭାପତି ପ୍ରଫେସର ଅନୀଲ୍ ପଟ୍ଟନାୟକ, ନିୟୁଜର୍ସି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ଦୁର୍ଗାମାଧବ ମିଶ୍ର, ଡିଲୋଟେ ଏବଂ ଟଚେର ଡକ୍ଟର ଅଜୟ ମହାନ୍ତି, ଆରିଜୋନା ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଚିତ୍ତ ବରାଳ ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ସଞ୍ଜୀବ କୁମାର ପଣ୍ଡା ପ୍ରମୁଖ ସାମିଲ ହୋଇ ବକ୍ତବ୍ୟ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/d6gda4g5ad456adg4d56g4d56gaadgadg.jpg)