ଥାନାରେ ପଶି ଗଣ୍ଡଗୋଳ, ପ୍ରକାଶଙ୍କୁ ଜାମିନ

ଭୁବନେଶ୍ବର: ସହିଦନଗର ଥାନା ଭିତରେ ପଶି ଭଙ୍ଗାରୁଜା ଓ ପୁଲିସକୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଥିବା ଯୁବନେତା ପ୍ରକାଶ ତ୍ରିପାଠୀଙ୍କୁ ଆଜି ଡିସିପିଙ୍କ କୋର୍ଟରୁ ଜାମିନ ମିଳିଛି। ଏଥିପାଇଁ ତାଙ୍କ ସମ୍ମୁଖରେ କେତେକ ସର୍ତ ରଖାଯାଇଛି। ସେହି ସର୍ତର ସେ ଖିଲାପ କଲେ ପୁଣି ଥରେ ତାଙ୍କୁ ଗିରଫ କରାଯିବ ବୋଲି କମିସନେରଟ ପୁଲିସର ଜଣେ ଅଧିକାରୀ କହିଛନ୍ତି। ଏଠାରେ ପ୍ରକାଶଥାଉକି, ସହିଦନଗର ଥାନାରେ ପଶି ଭଙ୍ଗାରୁଜା ଓ ପୁଲିସକୁ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ପ୍ରକାଶଙ୍କ ସମେତ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ପର୍ଯ୍ୟାୟକ୍ରମେ ସମସ୍ତେ ବିଭିନ୍ନ କୋର୍ଟରୁ ଜାମିନ ପାଇଥିଲେ। କିନ୍ତୁ କମିସନରେଟ ପୁଲିସ ପକ୍ଷରୁ ପ୍ରକାଶଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଯୋଡ଼ା ଯାଇଥିଲା। ଫଳରେ ପୁଲିସ ପ୍ରକାଶଙ୍କ ବିରୋଧରେ ଦଫା ୧୧୦ ଲଗାଇଥିଲା। ଗତ ସପ୍ତାହକ ତଳେ ପ୍ରକାଶଙ୍କ ସମେତ ଅନ୍ୟମାନଙ୍କ ଜାମିନ ଭୁବନେଶ୍ବର ଦୌରାଜଜ କୋର୍ଟରୁ ହୋଇଥିଲା। କିନ୍ତୁ ପ୍ରକାଶଙ୍କ ବିରୋଧରେ ଦଫା ୧୧୦ ଲାଗି ଥିବାରୁ ସେ ଜେଲରୁ ବାହାରି ପାରୁ ନ ଥିଲେ। ଆଜି ଡିସିପିଙ୍କ କୋର୍ଟରେ ସେ କାଗଜପତ୍ର ମାଧ୍ୟମରେ ସର୍ମପଣ (ପୁଲିସ ଭାଷାରେ ବାଉଣ୍ଡ ଡାଉନ) ହୋଇଛନ୍ତି। ତେଣୁ ଡିସିପିଙ୍କ କୋର୍ଟରୁ ଜାମିନ ମିଳିଛି। ଏଠାରେ ସୂଚନା ଥାଉକି କି ପ୍ରକାଶ ତ୍ରିପାଠୀ ସହିଦନଗର ଥାନା ଭଙ୍ଗାରୁଜା ଓ ପୁଲିସକୁ ଆକ୍ରମଣ ଘଟଣାରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ ଦର୍ଶାଇଥିଲା। ଏପରିକି ଥାନାରେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା ବୋଲି ପ୍ରକାଶଙ୍କର ସମର୍ଥକମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ। ଏହି ଘଟଣାକୁ ନେଇ କମିସନରେଟ ପୁଲିସ ବିବାଦକୁ ଆସିଥିଲା।

ସମ୍ବନ୍ଧିତ ଖବର