ଭୁବନେଶ୍ବର : ନାମାଙ୍କନ ପତ୍ର ଦାଖଲ ସମୟ ଯେତିକି ଗଡ଼ୁଛି ପ୍ରମୁଖ ଦଳମାନଙ୍କର ପ୍ରାର୍ଥୀ ତାଲିକାକୁ ନେଇ ବ୍ୟସ୍ତତା ସେତିକି ବଢ଼ୁଛି। ପ୍ରତ୍ୟେକ ଦିନ ଆଶାୟୀମାନେ ବିଭିନ୍ନ ବାଟରେ ବିଧାୟକମାନଙ୍କ ଉପରେ ଚାପ ପକାଉଛନ୍ତି। ଦୁଇ ଦିନ ତଳେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ୩୧ ନମ୍ବର ୱାର୍ଡର ପ୍ରକାଶ ଜେନା ବୁଧବାର ମଧ୍ୟାହ୍ନରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଶହ ଶହ ସମର୍ଥକଙ୍କ ସହ ଭୁବନେଶ୍ବର ବିଧାୟକ(ମଧ୍ୟ) ଅନନ୍ତ ନାରାୟଣ ଜେନାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ୩୧ ନମ୍ବର ୱାର୍ଡ କର୍ପୋରେଟର ପଦ ପାଇଁ ପ୍ରକାଶଙ୍କୁ ଟିକେଟ୍ ଦେବାକୁ ତାଙ୍କ ସମର୍ଥକମାନେ ଦାବି କରିଥିଲେ। ବହୁ ସମୟ ପର୍ଯ୍ୟନ୍ତ ସେଠାରେ ଭିଡ଼ ଜମିଥିଲା। ପ୍ରକାଶଙ୍କ କଥା ବିଚାର କରାଯିବ ବୋଲି ବିଧାୟକ କହିବା ପରେ ସେଠାରେ ‘ବିଜେଡି ଜିନ୍ଦାବାଦ୍, ନବୀନ ପଟ୍ଟନାୟକ ଜିନ୍ଦାବାଦ୍’ ଧ୍ବନିରେ ପରିସର କମ୍ପିଥିଲା।
ଅନ୍ୟ ପଟେ ଗତଥର ଏଠାରୁ କର୍ପୋରେଟର ଭାବେ ବିଜେଡିରୁ ଜିତିଥିବା କୁମାରେନ୍ଦ୍ର ମହାପାତ୍ର ମଧ୍ୟ ଟିକେଟ୍ ପାଇଁ ଆଶାୟୀ ଅଛନ୍ତି। ସେ କହିଛନ୍ତି, ୫ ବର୍ଷ ଧରି କ୍ଷମତାରେ ରହିବା ସହ ଏବେ ମଧ୍ୟ ମୁଁ ଲୋକଙ୍କ ସହ ରହିଛି। ଡ୍ରେନ୍, ରାସ୍ତା ଠାରୁ ଆରମ୍ଭ କରି ସମସ୍ତ ମୌଳିକ ସମସ୍ୟା ଦୂର କରିବା ପାଇଁ ଆପ୍ରାଣ ଉଦ୍ୟମ କରିଛି। କେବଳ ଲୋକଙ୍କ ପାଇଁ କାମ ନୁହେଁ, ବରଂ ଦଳ ପାଇଁ ମଧ୍ୟ ସମର୍ପିତ ରହିଛି। ଏବେ ବି ଲୋକଙ୍କ ପାଇଁ କାମ କରୁଛି। ମୁଁ ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁନି। ଦଳ ମୋ ଶକ୍ତି ଜାଣିଛି। ଏଣୁ ଟିକେଟ୍ କଥା ଦଳର ନେତା ହିଁ ବିଚାର କରିବେ ବୋଲି ସେ କହିଛନ୍ତି। ଦୁଇଦିନ ତଳେ ଏହି ୱାର୍ଡରୁ ଶତାଧିକ ବରିଷ୍ଠ ନାଗରିକ ବିଧାୟକଙ୍କୁ ଭେଟି କୁମାରେନ୍ଦ୍ରଙ୍କ ଟିକେଟ୍ ପାଇଁ ଲବି କରିଥିଲେ।
ଉଭୟ ଗୋଷ୍ଠୀ ମୁହାଁମୁହିଁ ପରିସ୍ଥିତିକୁ ଆସିଯାଇଥିବାରୁ ପ୍ରାର୍ଥୀ ଚୟନ କରିବା ବିଜେଡି ପାଇଁ କଷ୍ଟକର ହୋଇପଡ଼ିଛି। ଜଣଙ୍କୁ ଟିକେଟ୍ ଦେଲେ ଅନ୍ୟ ଜଣଙ୍କୁ କିପରି ସନ୍ତୁଷ୍ଟ କରାଯିବ, ତାହାକୁ ନେଇ ବିଧାୟକ ଅଙ୍କ କଷୁଛନ୍ତି।