ପ୍ରମେୟ ଓ ନିଉଜ୍ ୭ର ଜନ୍ମ ଉତ୍ସବ: ଭଲ ଘଟଣାକୁ ଗଣମାଧ୍ୟମ ବେଶି ଗୁରୁତ୍ବ ଦେଉ

ଖଣ୍ଡଗିରି: ସମ୍ପ୍ରତି ଦ୍ରୁତ ପରିବର୍ତ୍ତନଶୀଳ ସମୟରେ ଗଣମାଧ୍ୟମ ସମାଜକୁ ବିଶେଷ ଭାବେ ପ୍ରଭାବିତ କରୁଛି। ତେଣୁ ସମାଜରେ ଘଟୁଥିବା ବହୁ ଭଲ ଘଟଣାଗୁଡ଼ିକୁ ଗଣମାଧ୍ୟମ ଜରିଆରେ ଅଧିକ ଗୁରୁତ୍ବର ସହ ପ୍ରସାର କରାଯିବା ଉଚିତ। ଫଳରେ ସମାଜ ଉପରେ ଗଣମାଧ୍ୟମ ଅଧିକ ମାତ୍ରାରେ ସକାରାତ୍ମକ ପ୍ରଭାବ ପକାଇ ପାରିବ। ମଙ୍ଗଳବାର ଦୈନିକ ଖବରକାଗଜ ‘ପ୍ରମେୟ’ ଓ ବୈଦ୍ୟୁତିକ ଗଣମାଧ୍ୟମ ‘ନିଉଜ୍‌-୭’ ସ୍ବନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଅନ୍ୟତମ ଅତିଥି ପିଆଇବିର ପୂର୍ବତନ ମହାନିର୍ଦେଶକ ସୀତାଂଶୁ ରଞ୍ଜନ କର ଆଜିକାଲିର ଖବର ପ୍ରସାରଣକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଆଜିକାଲି ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍‌ ଯୋଗୁଁ ଖବରଟିଏ ବଡ଼ ତ୍ବରିତ୍ ବେଗରେ ଲୋକଙ୍କ ପାଖରେ ପହଞ୍ଚି ଯାଉଛି, ହେଲେ ମିଛ ବା ଭୁଲ ଖବର ଭୟଙ୍କର ଭାବେ ପ୍ରସାରଣ ହେଉଛି ବୋଲି ସେ କହିଥିଲେ। ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ସଂସ୍ଥା ଗଠନ ହେବା ଜରୁରୀ ବୋଲି ସେ କହିଥିଲେ।

ଉତ୍ସବର ମୁଖ୍ୟବକ୍ତା ବିଶିଷ୍ଟ ଲେଖକ ଚେତନ ଭଗତ ସଫଳତା ଓ ସୁଖ ଉପରେ ବକ୍ତବ୍ୟ ରଖିଥିଲେ। ସେ କହିଲେ ଯେ ସଫଳତା ଓ ସୁଖ ପ୍ରତ୍ୟେକ ବ୍ୟକ୍ତିର ଅଭିଳା‌ଷ। ତେଣୁ ଏହି ଦୁଇଟିକୁ ପାଇବା ରାସ୍ତା ଉପରେ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ପ୍ରମେୟ ଓ ନିଉଜ୍‌-୭ର ଗ୍ରୁପ୍ ଏଡିଟର୍‌ ଗୋପାଳକୃଷ୍ଣ ମହାପାତ୍ର କହିଥିଲେ ଯେ ଖବର ପ୍ରସାରଣରେ ନିରପେକ୍ଷତାକୁ ବଜାୟ ରଖିବା ସହ ସମାଜକୁ ସମସ୍ତ କ୍ଷେତ୍ରରେ ସୁସ୍ଥ ରଖିବା ଦାୟିତ୍ବ ନେଇ ଏହି ଦୁଇ ସଂସ୍ଥା କାମ କରି ଚାଲିଛନ୍ତି। ପ୍ରାରମ୍ଭରେ ପ୍ରମେୟ ବ୍ୟୁରୋ-ଚିଫ୍ ଦେବେ‌ନ୍ଦ୍ର ସୁଆର ସ୍ବାଗତ ଭାଷଣ ଦେଇଥିବା ବେଳେ ନିଉଜ୍‌-୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର