‘ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା’ର କ୍ରାଇମ୍‌ ଡିସିପି ହେଲେ ପ୍ରମୋଦ ରଥ

ଭୁବନେଶ୍ବର: କମିସନରେଟ୍ ପୁଲିସର ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖାର କ୍ରାଇମ୍‌ ଡିସିପି ଭାବେ ଅଭିଜ୍ଞ ପୁଲିସ ଅଧିକାରୀ ପ୍ରମୋଦ ରଥଙ୍କୁ ନିଯୁକ୍ତି ମିଳିଛି। ଏପ୍ରିଲ୍ ୩୦ରେ ଏହି ଶାଖାର ପ୍ରଥମ କ୍ରାଇମ୍ ଡିସିପି ମାୟାଧର ସେଠୀ ଅବସର ନେବା ପରଠାରୁ ଏହି ପଦବି ଫାଙ୍କା ପଡ଼ିଥିଲା। କଟକରେ ଅତିରିକ୍ତ ଡିସିପି ଭାବେ ଦାୟିତ୍ବ ତୁଲାଉଥିବା ଶ୍ରୀ ରଥଙ୍କୁ ଏବେ ଏହି ପଦବିରେ ଅବସ୍ଥାପିତ କରାଯାଇଛି। ଉଭୟ ଅଭିଜ୍ଞତା ଓ ଦକ୍ଷତାକୁ ଦୃଷ୍ଟିରେ ରଖି ଶ୍ରୀ ରଥଙ୍କୁ କ୍ରାଇମ୍ ଡିସିପି ଦାୟିତ୍ବ ମିଳିଛି ଓ ସେ ସୋମବାରଠାରୁ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି।
ତେବେ ଶ୍ରୀ ରଥଙ୍କୁ ଏହି ପଦବିରେ ଅବସ୍ଥାପିତ କରାଯିବା ପରେ ବି ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖାର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନବାଚୀ ରହିଛି। କାରଣ ଆଜି ପର୍ଯ୍ୟନ୍ତ ଏହି ଶାଖା ପାଇଁ ଆବଶ୍ୟକ ୫୯ କର୍ମଚାରୀଙ୍କୁ ନିଯୁକ୍ତି ମିଳିନାହିଁ।

ଫଳରେ ଏହି ଶାଖା ଦ୍ବାରା ଗୋଟିଏ ବି ଅପରାଧିକ ମାମଲାର ତଦନ୍ତ ହୋଇପାରିନାହିଁ। ଗତ ଡିସେମ୍ବରରୁ ଆଜି ପର୍ଯ୍ୟନ୍ତ ୮ମାସ ମଧ୍ୟରେ ବହୁ ସଂଗିନ୍‌ ମାମଲାରେ ପୁଲିସ ହାତ ଖାଲି ରହିଛି। ସହିଦନଗର ଥାନା ରସୁଲଗଡ଼ ଛକରେ ହୋଇଥିବା ଏକ ହତ୍ୟାକାଣ୍ଡ, ମଞ୍ଚେଶ୍ବର ଥାନା ଭୋଟପଡ଼ାରେ ହୋଇଥିବା ସଶସ୍ତ୍ର ଡକାୟତି ଓ ବାଲିଅନ୍ତା ଥାନା ଅଞ୍ଚଳରେ ବିଭିନ୍ନ ମନ୍ଦିରରୁ ହୋଇଥିବା ମୂର୍ତ୍ତି ଚୋରି ଭଳି ବଡ଼ବଡ଼ ମାମଲାରେ ପୁଲିସ ବିଫଳ ହୋଇଛି। ଏଭଳି ମାମଲା ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଜରୁରୀ ହୋଇଥିଲେ ବି କର୍ମଚାରୀ ଅଭାବରୁ ତାହା ଅଚଳ ଅବସ୍ଥା‌ରେ ବୋଲି କୁହାଯାଉଛି। ତେଣୁ କ୍ରାଇମ୍‌ ଡିସିପି ଭାବେ ଶ୍ରୀ ରଥ ଦାୟିତ୍ବ ଗ୍ରହଣ କରିବା ପରେ ଏହି ଶାଖା କିଭଳି କାର୍ଯ୍ୟ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର