ଖୋର୍ଦ୍ଧା: ସ୍ଥାନୀୟ ପ୍ରାଣନାଥ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ ଯେ ଆଳସ୍ୟ, ଅହଙ୍କାର ଓ ଆସକ୍ତି ଆଦି ମାନବ ସମସ୍ୟାର ମୂଳ କାରଣ। ଏହାକୁ ସମୂଳେ ବିନାଶ କରାଯାଇ ପାରିବ ନାହିଁ। କିନ୍ତୁ ଏଗୁଡ଼ିକୁ ସକରାତ୍ମକ ଦିଗରେ ପରିବର୍ତନ କରାଯିବା ଆବଶ୍ୟକ। ଏହି ଅବସରରେ ସେ ମହାବିଦ୍ୟାଳୟର ପ୍ରତିଷ୍ଠାତା ପ୍ରାଣନାଥ ପଟ୍ଟନାୟକଙ୍କ ଆଦର୍ଶ ଉପରେ ମଧ୍ୟ ଆଲୋକପାତ କରିଥିଲେ।

Advertisment

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟର˚ଜନ ପଟ୍ଟନାୟକ କହିଲେ ଯେ ୬୦ ବର୍ଷରେ ମଣିଷ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୁଏ। ଏହାକୁ ନେଇ ସମ୍ବାଦ ଏକ ନୂଆ ଅଭିଯାନ ଆରମ୍ଭ କରିଛି। ପ୍ରାଣନାଥ କଲେଜ ମଧ୍ୟ ୬୦ ବର୍ଷରେ ପଦାର୍ପଣ କରିଛି। ନିଜ ମଧ୍ୟରେ ଅନେକ ଇତିହାସ ଓ ସ୍ମୃତିକୁ ସାଉଁଟି ଧରିଛି। କ୍ୟାମ୍ବ୍ରିଜ୍‌ ଆଦି ମହାବିଦ୍ୟାଳୟର ସୂଚନା ଦେଇ ସେ କହିଲେ ଯେ ଏହି କଲେଜର ବିକାଶ ପାଇଁ ସରକାରୀ ଅନୁଦାନ ଅପେକ୍ଷା ଏହାର ପୁରାତନ ଛାତ୍ରଛାତ୍ରୀ ଓ ବର୍ତମାନର ଛାତ୍ରଛାତ୍ରୀ ସହାୟତାର ହାତ ବଢ଼ାନ୍ତୁ। ଛାତ୍ରଛାତ୍ରୀମାନଙ୍କୁ ଅନ୍ୟାୟ, ଅନୀତି ବିରୋଧରେ ଅହି˚ସା ମାଧ୍ୟମରେ ପ୍ରତିବାଦ କରିବାକୁ ସେ ଆହ୍ବାନ ଦେଇଥିଲେ। ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବାରେ ଶ୍ରୀ ପଟ୍ଟନାୟକ ରାଜ୍ୟପାଳଙ୍କ ସହଯୋଗ କାମନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଉପସ୍ଥିତ ଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷା ସୌଦାମିନୀ ଦାସ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ମହାବିଦ୍ୟାଳୟ ଉପାଧ୍ୟକ୍ଷ ମନୋର˚ଜନ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ କଲେଜର ପରିଚାଳନା ପାଇଁ ଅବଦାନ ଦେଇଥିବା, କୃତୀ ଅଧ୍ୟାପକ, ପ୍ର୍ରାକ୍ତନ ଅଧ୍ୟକ୍ଷଙ୍କ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ୨୦୧୧ରୁ ୨୦୧୯ ମଧ୍ୟରେ ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟ ହୀରକ ଜୟନ୍ତୀ ସ୍ମରଣିକା ‘ଆହ୍ବାନ’ ଲୋକାର୍ପିତ ହୋଇଥିଲା। ପାଇକ ଆଖଡ଼ା, ମହାବିଦ୍ୟାଳୟର ୬୦ ବର୍ଷର ଇତିହାସର ଫଟୋ ପ୍ରଦର୍ଶନୀ, ବିଜ୍ଞାନ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ସେହିଭଳି ପୂର୍ବରୁ ଅନୁଷ୍ଠିତ ବତ୍କୃତାମାଳାରେ ପ୍ରଫେସର ଅଶୋକ କୁମାର ମହାପାତ୍ର, ପ୍ରଫେସର ନିଳାଦ୍ରୀ ଭୂଷଣ ହରିଚନ୍ଦନ ଓ ଡ ସୁଶାନ୍ତ କୁମାର ମିଶ୍ର ବକ୍ତା ଭାବେ ଯୋଗ ଦେଇଥିଲେ।