ଭୁବନେଶ୍ୱର : ବୟସ ୫ କି ୬ ହେବ। ଖଟ ଉପରେ ଶୋଇଥାନ୍ତି। ନାଟ୍ୟକାର ସୁରେନ୍ଦ୍ର ମହାନ୍ତି ସିଧା ଆସି ତାଙ୍କୁ ଶୋଇଥିବା ଅବସ୍ଥାରେ ଉଠେଇ ନେଲେ। କଟକ ବକ୍ସିବଜାର ଦେଇ ଗଲାବେଳେ ବିଲିବୋରିଆ ଦୋକାନରୁ ଚକ୍‌ଲେଟ୍‌ ଗୋଟେ ଧରେଇ ଦେଇ ସିଧା ନେଇଗଲେ ହଲ୍‌ମୁଖ ଥିଏଟରକୁ (ଯାହା ପରେ ଅନ୍ନପୂର୍ଣ୍ଣା ବି ନାମରେ ପରିଚିତ ହେଲା)। ମଞ୍ଚ ଉପରେ ଠିଆ କରେଇ ମାଇକ୍‌ ଧରେଇ ଦେଇ କହିଲେ, ଗୀତ ଗାଆ। ତାଙ୍କ ଆଖିରେ ସେତେବେଳେ ପ୍ରବଳ ନିଦ। ତଥାପି ତାଙ୍କର ସେଇ ନିଦବୋଳା ଆଖି ଓ ଅଳସ କଣ୍ଠରୁ ଉତୁରି ଆସିଥିଲା ‘ଭଗବାନ ତୁମେ ଭକତ ବାନ୍ଧବ...। ଘରକୁ ଆସି ଶୁଣିଲେ ଲୋକେ କୁଆଡ଼େ ତାଙ୍କୁ ଭାରି ପ୍ରଶଂସା କରିଛନ୍ତି। କହିଛନ୍ତି ଏ ପିଲା ବଡ଼ ହେଲେ ଦିନେ ବହୁତ ବଡ଼ ଗାୟକ ହେବ। ଯେବେ ସେ ସଂଗୀତର ମାନେ ବୁଝିନଥିଲେ ସେଇ ଚପଳ ବୟସରେ ପ୍ରମାଣିତ କରିଦେଲେ ବଡ଼ ହେଲେ ସଂଗୀତ ଦୁନିଆର କିମ୍ବଦନ୍ତୀ ପାଲଟିବେ। ଆଉ ପାଲଟିଲେ ମଧ୍ୟ। ଓଡ଼ିଆ ସଂଗୀତ ଆକାଶରେ ଏଯାବତ ଝଟକୁଥିବା ଏହି କଣ୍ଠଶିଳ୍ପୀ ଜଣକ ହେଲେ ପ୍ରଣବ କିଶୋର ପଟ୍ଟନାୟକ।

Advertisment

ମାଝିରେ... ହେଉ ଅବା ‘ଇନ୍ଦ୍ରଧନୁର ସପ୍ତରଙ୍ଗ...। ‘ମଣିମା ଶୁଣିମା...ହେଉ ଅବା ‘ସୀମା ହୀନ ଦରିଆ...। ମଞ୍ଚ ହେଉ ଅବା ଆକାଶବାଣୀ, ଆଲବମ୍‌ ହେଉ ଅବା ଚଳଚ୍ଚିତ୍ର, ୩୫୦୦ରୁ ଊର୍ଧ୍ୱ ଗୀତ ଗାଇ ୫ ଦଶନ୍ଧି ଧରି ସଂଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଏହି ଶିଳ୍ପୀ ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ଶ୍ରୀଜୟଦେବ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ପୂର୍ବତନ ବାଚସ୍ପତି ଲାଲମୋହନ ପଟ୍ଟନାୟକ ଏବଂ ମା ହେମମାଳିନୀଙ୍କଠାରୁ ୧୯୩୮ ମସିହା ଜାନୁଆରି ୨୦ ତାରିଖରେ କଟକ ବକ୍ସିବଜାର ଯାଚକ ଲେନ୍‌ରେ ଜନ୍ମ ଗ୍ରହଣ କରିଥିବା ପ୍ରଣବ ୮୦ଟି ବସନ୍ତକୁ ଅତିକ୍ରମ କରିଛନ୍ତି। ହେଲେ ମଉଳିନି ତାଙ୍କ କଣ୍ଠର ଯାଦୁକରୀ ସମ୍ମୋହନୀ ଶକ୍ତି।

୧୯୪୮ରେ ସେ ଶିଶୁ ସଂସାରରେ ଗାଇବା ଆରମ୍ଭ କରନ୍ତି। ପ୍ରଣବଙ୍କ କଥା ମୁତାବକ, କଟକର ନାରୀ ସେବାସଂଘ ସଦନରେ ଏଚ୍‌ଏମ୍‌ଭି କମ୍ପାନି ଆସି ବାଳକୃଷ୍ଣ ଦାଶ, ନିମାଇଁ ହରିଚନ୍ଦନଙ୍କ ଗୀତ ରେକର୍ଡିଂ କରୁଥିବା ଦେଖି ମୁଁ ଭାବୁଥିଲି ମତେ ଥରେ ଏମିତି ସୁଯୋଗ ମିଳନ୍ତାନି। ସେ ସମୟରେ ମୋ’ର ଗୀତ ବ୍ୟତୀତ ଖେଳରେ ବି ଭାରି ରୁଚି ଥିଲା। ମୁଁ ଫୁଟ୍‌ବଲ୍‌ ଓ ଟେନିସ୍‌ ଖେଳୁଥିଲି। ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ପଣ୍ଡିତ ବିନୋଦ ବିହାରୀ ଶ୍ରୀଚନ୍ଦନ ଆସି ମତେ କହିଲେ, ଖେଳ ଓ ଗୀତ, ଏ ଦୁଇଟି ଭିତରୁ ଗୋଟେ ବାଛ। ଯଦି ଗାଇବାକୁ ଚାହୁଁଛୁ ତାହେଲେ ଖେଳ ଛାଡ଼ ନଚେତ ଭୋକାଲ କଡ୍‌ ଉପରେ ପ୍ରଭାବ ପଡ଼ିବ। ତେଣୁ ବାଧ୍ୟ ହୋଇ ଖେଳ ଛାଡ଼ି ଦେଇଥିଲେ ବୋଲି କହନ୍ତି ପ୍ରଣବ।

ପରେ ଦିଲ୍ଲୀରେ ଆକାଶବାଣୀ ପକ୍ଷରୁ ଏକ ସଂଗୀତ ପ୍ରତିଯୋଗିତାରେ ବି ପ୍ରଥମ ସ୍ଥାନ ଅଧିକାର କରିବାରୁ ବିନା ଅଡିସନ୍‌ରେ ସେ ଆକାଶବାଣୀରେ ଗାଇବାର ସୁଯୋଗ ପାଇଲେ। ପରେ ମା’ ଚଳଚ୍ଚିତ୍ରରେ ସେ ଗାଇବା ଆରମ୍ଭ କରିଥିଲେ। ଯେବେ ‘ସମର୍ପଣ’ ଚଳଚ୍ଚିତ୍ରରେ ସେ ଗାଇବା ପାଇଁ ସଂଗୀତ ନିର୍ଦେଶକ ଉପେନ୍ଦ୍ର କୁମାରଙ୍କଠାରୁ ଚେନ୍ନାଇ ଡାକରା ପାଇଲେ ସେବେ ଜଣେ ତାମିଲ୍‌ ପ୍ରଯୋଜକ ତାଙ୍କ କଣ୍ଠ ଶୁଣି ତାମିଲ୍‌ ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ଦେଲେ। ଗୀତଟି ଥିଲା ‘ଓ୍ଵାନମ ମେନୁଂ ସୋଲାଇଲେ..। ପରେ ‘ଚିମ୍‌ନି କେ ଧୂଆଁ’ ଚଳଚ୍ଚିତ୍ରରେ ସେ ଗାଇଲେ ‘ବିଛୁଓଁ କେ ରୁନ୍‌ଝୁନ୍‌ ମେଁ..। ଅବଶ୍ୟ ୨ଟିଯାକ ଫିଲ୍ମ ମୁକ୍ତିଲାଭ କରିପାରିନଥିଲା। ପିଲାବେଳୁ ବାପାଙ୍କ ‘ଜୀବନ ଚମ୍ପୁ’ ଏବଂ ଅନ୍ୟ ସଂଗୀତ ବହି ପଢ଼ିଥିବା ବେଳେ ସୁକୀର୍ତି ପଟ୍ଟନାୟକଙ୍କଠାରୁ ଗୀତ ଶିଖି ଆଗାକୁ ବଢ଼ିଥିଲେ। ପରେ ‘କେ ଏଲ୍‌ ସାଇଗଲ୍‌ଙ୍କ ଗୀତ ଶୁଣିବାକୁ ସେ ଭଲ ପାଉଥିବାରୁ ତାଙ୍କୁ ପ୍ରଥମ ଗୁରୁ ଭାବେ ଗ୍ରହଣ କରିଥିଲେ ପରେ ଶାସ୍ତ୍ରୀୟ ସଂଗୀତ ଗୁରୁ ଥିଲେ ପଣ୍ଡିତ କୁଣ୍ଡଳ ଆଦିନାରାୟଣ ରାଓ। ଏହା ପରେ ବାଳକୃଷ୍ଣ ଦାଶ, ଭୁବନେଶ୍ୱର ମିଶ୍ର, ଶାନ୍ତନୁ ମହାପାତ୍ର ଓ ଗରୁକୃଷ୍ଣ ଗୋସ୍ୱାମୀ ପ୍ରଣବଙ୍କ ସଂଗୀତ ସାମ୍ରାଜ୍ୟକୁ ଆଗେଇ ନେଇଥିଲେ। ସଂଗୀତର ଦୁନିଆ ଭିତରେ ସେ ଏପରି ମଜି ରହୁଥିଲେ ଯେ, ଦିନେ ବୁର୍ଲା ମେଡିକାଲ୍‌ କଲେଜରେ ଗାଇବାକୁ ଡକାଯାଇଥାଏ। ସମସ୍ତ କଣ୍ଠଶିଳ୍ପୀ ଗାଡ଼ିରେ ଗଲେ। ହେଲେ ନିଜ ମର୍ଜିର ମାଲିକ ପ୍ରଣବ ବନ୍ଧୁଙ୍କୁ ଧରି ସ୍କୁଟରରେ କଟକରୁ ବୁର୍ଲା ଚାଲିଯାଇଥିଲେ।