ଭୁବନେଶ୍ୱର: ଆଜୀବନ ସଂଗ୍ରାମୀ ତଥା ଜନନାୟକ ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାରେ ବୈପ୍ଳବିକ ଚେତନାର ଅଗ୍ରଦୂତ ଥିଲେ। ଆଜିର ଯୁବପିଢି ବିପ୍ଳବୀ ପ୍ରାଣନାଥଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ରାଜ୍ୟସ୍ତରୀୟ ସ୍ମୃତି ସମାରୋହରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଛନ୍ତି।

Advertisment

ସ୍ୱାଧୀନତା ସଂଗ୍ରାମର ଅଗ୍ରଗାମୀ ଯୋଦ୍ଧା, ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ଓ ସାହିତ୍ୟିକ ପ୍ରାଣନାଥ ପଟ୍ଟନାୟକଙ୍କ ୫୩ତମ ଶ୍ରାଦ୍ଧାବାର୍ଷିକୀ ଅବସରରେ ଜୟଦେବ ଭବନଠାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ପ୍ରାଣନାଥଙ୍କ କର୍ମମୟ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୀପକ ମାଲବ୍ୟ ଏହି ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ରାଜ୍ୟ ପ୍ରାଣନାଥ ସ୍ମୃତି ସମିତିର ସଭାପତି କ୍ଷୀରୋଦ ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟିକ ଅସିତ ମହାନ୍ତି, ଗାନ୍ଧୀବାଦୀ ପ୍ରହ୍ଲାଦ କୁମାର ସିଂହ, ଶିକ୍ଷାବିତ୍ ଅଶୋକ ପାଣ୍ଡେ, ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସ ଓ ସମାଜସେବୀ ରୋଜାଲିନ୍ ପାଟ୍ଟଶାଣୀ ମିଶ୍ରଙ୍କୁ ‘ପ୍ରାଣନାଥ ସମ୍ମାନ’ ପ୍ରଦାନ କରାଯାଇଥିଲା। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।