କମିସନରେଟ୍‌ ପୁଲିସରେ ଆରମ୍ଭ ହେଲା ‘ପ୍ରାରମ୍ଭ’: ବଢ଼ୁଛି ବିବାହ ପ୍ରଲୋଭନ ଜନିତ ଅପହରଣ ମାମଲା

୬ମାସରେ ଉଦ୍ଧାର ହେଲେଣି ୨୪୧ ନାବାଳିକା
ସ୍କୁଲ, କଲେଜ୍‌, ବସ୍ତି ବୁଲି ସଚେତନ କରାଯିବ

ଭୁବନେଶ୍ୱର : କମିସନରେଟ୍‌ ପୁଲିସ ପକ୍ଷରୁ ଭୁବନେଶ୍ବର-କଟକରେ ଆରମ୍ଭ ହୋଇଥିବା ଅପହରଣ ଓ ନିଖୋଜ୍‌ ସେଲ୍‌ ଗତ ୬ ମାସରେ କେବଳ ଭୁବନେଶ୍ବରରେ ୨୯୫ଟି ଅପହରଣ ମାମଲା ରୁଜୁକଲାଣି; ୨୪୧ ନାବାଳିକା ଉଦ୍ଧାର ହେଲେଣି। ଏଭଳି ଅଧିକାଂଶ ମାମଲା ନାବାଳିକାଙ୍କ କ୍ଷେତ୍ରରେ ଘଟୁଥିବାବେଳେ ଏସବୁରେ ଅଙ୍କୁଶ ଲଗାଇବା ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ଆଉ ଏ ନେଇ ସୋମବାର ପୁଲିସ ସେବା ଭବନରେ ଉନ୍ମୋଚିତ ହୋଇଛି ‘ପ୍ରାରମ୍ଭ’ ଆପ୍‌। କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବଲିଉଡ୍‌ ଅଭିନେତା ରାହୁଲ୍‌ ବୋଷ୍, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ କମିସନର ରୂପାନୀ ଲୋହାନୀ ଏବଂ ଡିସିପି ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ରହି ଆପ୍‌କୁ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ପୁଲିସ କମିସନର ଶ୍ରୀ ପ୍ରିୟଦର୍ଶୀ କହିଲେ ଯେ ‘ପ୍ରାରମ୍ଭ’ ଆପ୍‌ ଦ୍ବାରା ନାବାଳିକା ଅପହରଣ ଘଟଣାକୁ ରୋକାଯାଇ ପାରିବ। ଏଥିପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଆବଶ୍ୟକ ରହିଛି। କାରଣ ଅଧିକାଂଶ ମାମଲାରୁ ନାବାଳିକାମାନେ ନିଜ ସମ୍ପର୍କୀୟ, ବନ୍ଧୁ କିମ୍ବା ସୋସିଆଲ୍‌ ମିଡିଆ ବନ୍ଧୁଙ୍କ ସହ ଫେରାର୍‌ ହେଉଥିବା ଜଣାପଡ଼ିଛି। ଉପଯୁକ୍ତ ସଚେତନତା ଅଭାବରୁ ଦିନକୁ ଦିନ ଏହି ମାମଲା ବଢ଼ି ବଢ଼ି ଚାଲିଛି। ଯଦି କୌଣସି ଅଭିଭାବକ ନବାଳିକାଙ୍କ କ୍ଷେତ୍ରରେ ସେଭଳି କୌଣସି ଆଚରଣ ଦେଖୁଛନ୍ତି କିମ୍ବା ସନ୍ଦେହ କରୁଛନ୍ତି; ସଂକୋଚ ନ କରି ତୁରନ୍ତ ହେଲ୍ପ ଲାଇନ୍‌ନମ୍ବରରେ-୦୬୭୪-୨୫୪୫୪୪୫ରେ କଲ୍‌ କରି ଜଣାନ୍ତୁ। ଏହି ନମ୍ବର ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ଏବେ ଏହାକୁ ଭୁବନେଶ୍ବରରୁ ଆରମ୍ଭ କରାଯାଇଥିବାରୁ କେବଳ ଭୁବନେଶ୍ବରବାସୀ କଲ୍‌ କରି ଅଭିଯୋଗ କରିପାରିବେ। ଆଗକୁ କଟକରେ ମଧ୍ୟ ଏହି ଆପ୍‌କୁ ବ୍ୟବହାର କରାଯିବ ବୋଲି ‌ପୁଲିସ କମିସନର କହିଛନ୍ତି।

‌ଶ୍ରୀ ପ୍ରିୟଦର୍ଶୀ ଆହୁରି କହିଲେ ଯେ ଯଦିଓ ପ୍ରେମୀଯୁଗଳଙ୍କ ସହମତିରେ ପରିବାର ବିରୋଧରେ ଯାଇ ଫେରାର୍‌ ହେଉଛନ୍ତି; ହେଲେ ଏଭଳି ଘଟଣାରେ ପୁଲିସ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ମୁତାବକ ଅପହରଣ ଓ ଦୁଷ୍କର୍ମ ମାମଲା ରୁଜୁକରି କାର୍ଯ୍ୟାନୁଷ୍ଠାନ ନେଉଛି। ମୁଖ୍ୟତଃ ଯୁବକକୁ ଅପରାଧୀ ସଜାଯାଉଛି। ତେଣୁ ଏସବୁ ପାଇଁ ସଚେତନତା ନିହାତି ଆବଶ୍ୟକ। କିଭଳି ନାବାଳିକା ଫେରାର୍‌ ପୂର୍ବରୁ ତାକୁ ରୋକାଯାଇପାରିବ ପରିବାର ଲୋକ ସେ ନେଇ ସଚେତନ ହେବା ଦରକାର। ଫଳରେ କୌଣସି ଘଟଣା ଘଟିବା ପୂର୍ବରୁ ପୁଲିସ ଅଭିଭାବକ, ଯୁବକ, ଯୁବତୀ ବା ନାବାଳିକାଙ୍କ ସହ ଆଲୋଚନା କରି ଘଟଣାର ସମାଧାନ କରିପାରିବ। ଏହାଦ୍ବାରା ଉଭୟ ଯୁବକ ଓ ନାବାଳିକାଙ୍କ ଭବିଷ୍ୟତକୁ ସଜଡ଼ା ଯାଇପାରିବ। ଏ ନେଇ ୪ଟି ମାଧ୍ୟମରେ ସଚେତନତା କରାଯିବ। ସୋସିଆଲ ମିଡିଆରେ ପ୍ରଚାର ଅଭିଯାନ, ବସ୍ତିକୁ ଯାଇ ଅଭିଭାବକକୁ ସଚେତନ କରାଯିବ । ସ୍କୁଲ ଆଉ କଲେଜରେ କର୍ମଶାଳା ଜରିଆରେ ମଧ୍ୟ ସଚେତନ କରାଯିବ ବୋଲି ସୂଚନା ଦେଇ ଶ୍ରୀ ପ୍ରିୟଦର୍ଶୀ କହିଲେ; ଯେଉଁ ପିଲାଟି ଏଭଳି ସମସ୍ୟାର ଚକ୍ରବ୍ୟୂହରେ ଫସୁଛି ଏବଂ ନିଜେ ବୁଝି ପାରୁନି ଏଭଳି ସ୍ଥିତିରେ କଣ କରିବ; ତା’କୁ କାଉନସେଲିଂ କରାଯିବ । ପିଲାଟିର ମାନସିକ ସ୍ଥିତି ଅନୁସାରେ ତାଙ୍କୁ ବାଟକୁ ଆଣିବାକୁ ଚେଷ୍ଟା କରାଯିବ ବୋଲି ପୁଲିସ କମିସନର କହିଛନ୍ତି।

ଏହି ଅବସରରେ ପୁଲିସ କମିସନର ସହଯୋଗର ହାତ ବଢ଼ାଇଥିବା କିସ୍‌, ଏସ୍‌ଏନ୍‌ ମହାନ୍ତି ଫାଉଣ୍ଡେସନ ଏବଂ ସାମାଜିକ ଅନୁଷ୍ଠାନ ହିଲ୍‌କୁ ଧନ୍ୟବାଦ ଜଣାଇଥିଲେ।

ସୋସିଆଲ୍‌ ମିଡିଆର ଅପବ୍ୟବହାର ରୋକିବା ଜରୁରୀ: ରାହୁଲ୍‌ ବୋଷ
ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବଲିଉଡ୍‌ ତାରକା ରାହୁଲ୍‌ ବୋଷ। ଗତ ଦେଢ଼ ବର୍ଷ ହେବ ତାଙ୍କ ସାମାଜିକ ଅନୁଷ୍ଠାନ ‘ହିଲ୍‌’ ଏଭଳି ମାମଲାର ତଦାରଖ କରୁଛି ବୋଲି ସୂଚନା ଦେଇ ରାହୁଲ କହିଥିଲେ ଯେ ଏଭଳି ଅଧିକାଂଶ ମାମଲା ସୋସିଆଲ୍‌ ମିଡିଆର ପ୍ରଭାବରୁ ଘଟୁଛି। ଅର୍ଥାତ ସୋସିଆଲ୍‌ ମିଡିଆର ଅପବ୍ୟବହାର କରି ଯୁବକ, ଯୁବତୀ ନିଜର ପରିଚୟ ଗୋପନ ରଖୁଛନ୍ତି। ଅନ୍ୟମାନଙ୍କ ଫଟୋ ଦେଇ ଆକର୍ଷଣ ସୃଷ୍ଟି କରୁଛନ୍ତି। ତେଣୁ କେହି କାହାକୁ ନ ଜାଣିବି ଫୋନ୍ ନମ୍ବର ଆଦାନ ପ୍ରଦାନ କରୁଛନ୍ତି। ଆଉ ଧୀରେଧୀରେ ସେମାନଙ୍କ ମଧ୍ୟରେ ସଂପର୍କ ନିବିଡ଼ ହେଉଛି। ଯାହାକି ପରବର୍ତ୍ତୀ ସମୟରେ ବିପର୍ଯ୍ୟୟ ସୃଷ୍ଟି କରୁଛି। ପରିବାର ବିରୋଧରେ ଯାଇ ଫେରାର୍‌ ହେଲେ ବି ସୋସିଆଲ୍‌ ମିଡିଆ ବାହାରେ ସେମାନଙ୍କ ଭିନ୍ନ ରୂପ ବିଚ୍ଛେଦ ଆଣୁଛି। ନାବାଳିକା ଓ ଯୁବତୀମାନ‌େ ଠକଙ୍କ ଶିକାର ହୋଇ ନିଜ ଭବଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଛନ୍ତି। ତେଣୁ କୌଣସି ଅଜଣା ବ୍ୟକ୍ତିର ‌ବନ୍ଧୁତ୍ବ ଆବେଦନକୁ ଗ୍ରହଣ ନ କରିବାକୁ ସେ ଯୁବକଯୁବତୀଙ୍କୁ ପରାମର୍ଶ ଦେଇଥିଲେ। ତେବେ ଏଥିପାଇଁ ସମସ୍ତେ ସଚେତନ ହେବା ଦରକାର। ଲୋକମାନଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆ ଗ୍ରୁମିଂର ଆବଶ୍ୟକତା ରହିଛି ବୋଲି ରାହୁଲ କହିଥିଲେ।

ସମ୍ବନ୍ଧିତ ଖବର