ଭୁବନେଶ୍ବର : ଭୁବନେଶ୍ବର ହାବିଲଦାର ଓ କନେଷ୍ଟବଳ ସଂଘର ସଂପାଦକ ପ୍ରସନ୍ନ ବେହେରା ଶେଷରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ହୋଟେଲ୍ ସାଉଥ୍ସିଟିର ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କଠାରୁ ବଡ଼ଭାଇ ନିରଂଜନ ବେହେରାଙ୍କ ନାଁରେ ଲିଜ୍ରେ ଆଣି ସେ ବିଳମ୍ବିତ ରାତି ଯାଏ ବେଆଇନ ଭାବେ ବାର୍ ଚଳାଇବା ଅଭିଯୋଗ ଆସିଥିଲା। ପ୍ରାଥମିକ ତଦନ୍ତ ଆଧାରରେ ପ୍ରସନ୍ନ ବେହେରାଙ୍କୁ ଗତକାଲିଠୁ ନିଲମ୍ବନ କରାଯାଇଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏଭଳି କାରନାମା ପାଇଁ ଥାନାରେ ଅଟକ ଥିବା ପ୍ରସନ୍ନ ଗିରଫ ମଧ୍ୟ ହୋଇପାରନ୍ତି ବୋଲି କୁହାଯାଉଛି।
ତେବେ ପ୍ରସନ୍ନ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇନାହାନ୍ତି। ବିଶୃଙ୍ଖଳାପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରସନ୍ନ ପୂର୍ବରୁ ବି କେତେଥର ଗିରଫ ଓ ନିଲମ୍ବନ ହୋଇଥିବା ଜଣାପଡ଼ିଛି। ୨୦୦୧ ଫେବ୍ରୁଆରି ୧୫ରେ ବାଲିଅନ୍ତାରେ ବିଷାକ୍ତ ମଦ ପିଇ ପ୍ରାୟ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପୁଲିସ ଏହି ମଦ ମାଫିଆ ଘରେ ଚଢ଼ଉ କରିବାକୁ ଯାଇଥିଲା।ତେବେ ପ୍ରସନ୍ନ ମଦ ବେପାରୀକୁ ଆଗୁଆ ସୂଚନା ଦେଇ ଦେଇଥିଲେ। ଫଳରେ ପୁଲିସ ଚଢ଼ଉ ପୂର୍ବରୁ ଅଭିଯୁକ୍ତ ଖସିଯାଇଥିଲା। ଆଭ୍ୟନ୍ତରୀଣ ତଦନ୍ତ କରି ପୁଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ସେହିଭଳି ୨୦୧୮ରେ ପ୍ରସନ୍ନ ଜଣେ ଓକିଲଙ୍କୁ କଟକରେ ନିସ୍ତୁକ ମାଡ଼ ମାରିବା ପ୍ରତିବାଦରେ ଓକିଲ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲା। ଫଳରେ ପୁଲିସ ଓ ବରିଷ୍ଠ ଅଧିକାରୀ ସଂଘ ପାଖରେ ମିଳିତ କ୍ଷମା ପ୍ରାର୍ଥନା କରିଥିଲେ। ସେହିଭଳି ୨୦୨୦ରେ କରୋନା କଟକଣା ସମୟରେ ସଚିବାଳୟ ମାର୍ଗ ନିକଟରେ ପ୍ରସନ୍ନ ମଦ ପିଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ଫଳରେ ସେତେବେଳେ ମଧ୍ୟ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।
ବାରମ୍ବାର ଚାକିରିରେ ଥାଇ କ୍ଷମତାର ଅପବ୍ୟବହାର ସାଙ୍ଗକୁ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ଉପରେ ୪ଥର ବ୍ଲାକ୍ମାର୍କ ଲାଗି ସାରିଲାଣି। ପୁଲିସ ନିୟମ ବା କୋଡ୍ ଅଫ୍ କଣ୍ଡାକ୍ଟ ଅନୁସାରେ ମୋଟ ୮ଥର ବ୍ଲାକ୍ମାର୍କ ଲାଗିବା ପରେ ଜଣେ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବ। ତେଣୁ ପ୍ରସନ୍ନଙ୍କ ଚାକିରି ଏବେ ସୂତାଖିଅରେ ଝୁଲୁଛି।
/sambad/media/post_attachments/wp-content/uploads/2021/10/bar.jpg)
ବିଳମ୍ବିତ ରାତିଯାଏ ଜମୁଥିଲା ମଦର ଆସର
ବାର୍ ଗାର୍ଲଙ୍କ ସହ ଝୁମୁଥିଲେ ନିଶାସକ୍ତ ଗ୍ରାହକ,ଫିଲ୍ମ ଷ୍ଟାଇଲ୍ରେ ଉଡ଼ାଉଥିଲେ ପୁଳାପୁଳା ଟଙ୍କା
କୋଭିଡ୍ କଟକଣାର ଡର ନଥିଲା କି ବାର୍ ଲାଇସେନ୍ସ ନଥିଲା। କିନ୍ତୁ ରାତି ଯେତେ ବଢ଼ୁଥିଲା, ସେତେ ରଙ୍ଗିନ ହେଉଥିଲା ହୋଟେଲ ସାଉଥ୍ସିଟି ବାର୍। ମଦର ଆସର ବିଳମ୍ବିତ ରାତିଯାଏ ଜମୁଥିଲା। ଗ୍ରାହକଙ୍କୁ ଆହୁରି ମତୁଵାଲା କରିବା ପାଇଁ ଆଇଟମ୍ ଗୀତରେ ଅର୍ଦ୍ଧନଗ୍ନ ଯୁବତୀମାନେ ସେମାନଙ୍କ ଚାରିପାଖରେ ନାଚୁଥିଲେ। ଆଉ ନିଶାରେ ଟଳଟଳ ଗ୍ରାହକମାନେ ଫିଲ୍ମ ଷ୍ଟାଇଲ୍ରେ ବାର୍ ଗାର୍ଲଙ୍କ ଉପରେ ଟଙ୍କା ବର୍ଷା କରୁଥିଲେ। ଏପରିକି ଗରାଖମାନଙ୍କୁ ମନ ମୁତାବକ ରୂପଜୀବୀ ମଧ୍ୟ ଯୋଗାଇ ଦେଉଥିଲେ ହୋଟେଲ୍ କର୍ତ୍ତୃପକ୍ଷ। ସବୁଠାରୁ ବଡ଼ କଥା ହେଲା, ରାତିର ଅନ୍ଧାରେ ଚାଲିଥିବା ଏହିସବୁ କଳା କାର୍ନାମାକୁ ଲୁଚାଇବା ପାଇଁ ନିଜେ ପୁଲିସ ହିଁ ରକ୍ଷକ ସାଜିଥିଲା। କନେଷ୍ଟବଳ ଓ ହାବିଲଦାର ସଂଘର ସଂପାଦକ ପ୍ରସନ୍ନଙ୍କ ଛତ୍ରଛାୟା ତଳେ ହୋଟେଲ୍ ସାଉଥସିଟିରେ ଏହିଭଳି ବେଆଇନ୍ କାରବାର ଚାଲୁଥିଲା। ସବୁ ଜାଣି ବି ଆଖି ବୁଜି ଦେଇଥିଲେ ସ୍ଥାନୀୟ ଥାନା ଅଧିକାରୀ।
ସଂଘର ଦବ୍ଦବା ଦେଖାଇ ହୋଟେଲକୁ ସୁରକ୍ଷା ଦେଉଥିଲେ ପ୍ରସନ୍ନ
ମିଳିଥିବା ସୂଚନା ଅନୁଯାୟୀ ଏଭଳି ବେଆଇନ କାରବାର ଚାଲିଥିବା ଖବର ପାଇ ଗତ ମେ’ ୧୦ ତାରିଖରେ ଥରେ ହୋଟେଲ ସାଉଥ୍ସିଟି ବାର୍ ଉପରେ ଚଢ଼ାଉ କରିଥିଲା ତମାଣ୍ଡୋ ପୁଲିସ। କିନ୍ତୁ ପ୍ରସନ୍ନ ନିଜ ସଂଘର ଦବ୍ଦବା ଦେଖାଇ ତଥା ଥାନାଧିକାରୀଙ୍କୁ ବଦ୍ନାମ କରିଦେବାର ଭୟ ଦେଖାଇ ହୋଟେଲରେ ଚାଲିଥିବା ବେଆଇନ କାରବାର ଉପରେ ଆଖି ନ ପକାଇବାକୁ ଧମକ ଦେଇଥିଲେ। ଏପରିକି ଅନେକ ସମୟରେ ହୋଟେଲ୍ରୁ ଜବତ ମଦର ପରିମାଣ କମ୍ ଦେଖାଇବା ସହିତ ଚଢ଼ଉ ନ କରିବା ପାଇଁ ଚାପ ମଧ୍ୟ ପକାଉଥିଲେ ପ୍ରସନ୍ନ। କେବଳ ଏତିକି ନୁହେଁ; ଏହି ହୋଟେଲ୍କୁ ଲିଜ୍ରେ ନେବା ପାଇଁ ପ୍ରସନ୍ନ ସ୍ଥାନୀୟ କିଛି ଯୁବକଙ୍କୁ ମତାଇ ହୋଟେଲ୍ରେ ବାରମ୍ବାର ଭଙ୍ଗାରୁଜା ମଧ୍ୟ କରିଥିଲେ ବୋଲି ହୋଟେଲର ମାଲିକ ପ୍ରଦ୍ୟୁମ୍ନ ଜେନା ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ସେ ବାଧ୍ୟ ହୋଇ ପ୍ରସନ୍ନଙ୍କୁ ହୋଟେଲ୍ ଲିଜ୍ ଦେଇଥିଲେ ବୋଲି କହିଛନ୍ତି। ତେବେ ତାଙ୍କ ଅଭିଯୋଗରେ କେତେ ସତ୍ୟତା ଅଛି, ତାହାର ତଦନ୍ତ କରୁଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/prasanna.jpg)