କିଏ କିଏ ପାଇଛନ୍ତି ଉପହାର? ପ୍ରସନ୍ନଙ୍କ ଡାଏରି ଖୋଲିବ ଗୁମର

ଶେଷ ହୋଇପାରିଲାନି ସମ୍ପତ୍ତି ହିସାବ, ରିମାଣ୍ଡରେ ଆଣି ଜେରା କରିବ ଭିଜିଲାନ୍ସ

ଭୁବନେଶ୍ବର : ଚାକିରିରୁ ବହିଷ୍କୃତ କୁବେର କନଷ୍ଟେବଳ ପ୍ରସନ୍ନ ବେହେରାର ସମ୍ପତ୍ତିର ଆଜି ବି ହିସାବ ଶେଷ ହୋଇପାରି ନାହିଁ। ଫର୍ଣ୍ଣିଚର ସୋ’ରୁମରେ ଥିବା ଆସବାବପତ୍ର, ଲିଙ୍ଗିପୁରଠାରେ ଥିବା ଵାର୍କସପ୍ର ସମ୍ପତ୍ତି ଏବଂ ୨୧ଟି ପାସ୍‌ବୁକ୍‌ରେ କେତେ ଟଙ୍କା ରହିଛି ତାହାର ହିସାବ ଜାରି ରଖିଛି ସ୍ବତନ୍ତ୍ର ଟିମ୍। ଏଭଳି ସ୍ଥିତିରେ ପ୍ରସନ୍ନ ଘରେ ଚଢ଼ଉ ସମୟରେ ଭିଜିଲାନ୍ସ ଟିମ୍ ହାତରେ ଲାଗିଥିବା ଡାଏରି ଏବେ ଚର୍ଚ୍ଚାକୁ ଆସିଛି। କୁହାଯାଉଛି ପ୍ରସନ୍ନ ଲକ୍ଷଲକ୍ଷ ଟଙ୍କାର ଫର୍ଣ୍ଣିଚର ଉପହାର ଦେଇ ଖୁସି କରାଇଥିବା ବରିଷ୍ଠ ଅଧିକାରୀଙ୍କ ନାମ ଏହି ଡାଏରିରେ ରହିଛି। ଯାହାର ପୃଷ୍ଠା ଲେଉଟାଇବା ଆରମ୍ଭ କରିଛି ଭିଜିଲାନ୍ସ। ଖାଲି ସେତିକି ନୁହେଁ; ଡାଏରିରେ ତା’ର ସୁଧ କାରବାର ସମ୍ପର୍କରେ ମଧ୍ୟ ଉଲ୍ଲେଖ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଡାଏରିର ପୂରା ବିବରଣୀ ଜଣାପଡ଼ିବା ପରେ ଗୁମର ଖୋଲିବ ବୋଲି ଆଶା କରାଯାଉଛି।

ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଚଢ଼ଉ ୧୯ ଘଣ୍ଟା ଧରି ଚାଲିଥିଲା। ଏବେ ସୁଦ୍ଧା ୫ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ଯାଞ୍ଚ ପରେ ଏହାର ପରିମାଣ ଆହୁରି ଅଧିକ ହେବ ବୋଲି ଜଣାପଡ଼ିଛି। କାରଣ ବହୁ ଦାମୀ ଆସବାବପତ୍ର ରହିଛି। ଏହା ପରେ ମାମଲା ରୁଜୁ କରାଯିବା ସହ ଜେଲରେ ଥିବା ପ୍ରସନ୍ନକୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ରିମାଣ୍ଡ ସମୟରେ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ କରାଯିବ। ସେ କେଉଁ ସୂତ୍ରରୁ ଏତେ ସମ୍ପତ୍ତି ଆୟ କଲା ତାହାର ହିସାବ କରାଯିବ। ସୂଚନାଯୋଗ୍ୟ, ଭୁବନେଶ୍ବର ହାବିଲଦାର ଓ କନଷ୍ଟେବଳ ମହାସଂଘ ସମ୍ପାଦକ ପ୍ରସନ୍ନ ବେହେରାଙ୍କୁ ଗିରଫ କରାଯିବା ପରେ ଚାକିରିରୁ ବହିଷ୍କୃତ କରାଯାଇଥିଲା। ପରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରିଥିଲା। ଚଢ଼ଉବେଳେ ଡୁମୁଡୁମାସ୍ଥିତ ୩ କୋଟି ୪୮ ଲକ୍ଷ ଟଙ୍କାର ଫର୍ଣ୍ଣିଚର ସୋ’ରୁମ୍‌ର ଜମି ଓ କୋଠା, ୫୦ ଲକ୍ଷ ଟଙ୍କାର ବୀମା, ସୁନ୍ଦରପଦାରେ ୨୪ ଲକ୍ଷ ଟଙ୍କାର ଫ୍ଲାଟ୍ ଆଦି ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର