ପୁରୁଣା ଭୁବନେଶ୍ୱର: ରାଜନେତା, ସଂଗଠକ, ସମାଜସେବୀ ତଥା ଓଡ଼ିଶା କୋ-ଅପରେଟିଭ୍ ହାଉସିଂ କର୍ପୋରେସନ୍ର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ ମହାପାତ୍ରଙ୍କ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ପରଲୋକ ଘଟିଛି। ତାଙ୍କୁ ୬୧ ବର୍ଷ ହୋଇଥିଲା। ସେ କିଛି ଦିନ ହେଲା ଅସୁସ୍ଥ ଥିଲେ। ଆଜି ପୂର୍ବାହ୍ନରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାରଲୋକ ତାଙ୍କୁ ପ୍ରଥମେ ବିଏମ୍ସି ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।
କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ ସହ ପରିବାରବର୍ଗ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଖବର ପାଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ବାଦଲ ମହାନ୍ତି, ବିଜେପି ନେତା ସମୀର ମହାନ୍ତି, ଅମୀୟ ଦାଶ, ଜିଲ୍ଲା ବିଜେପି ସଭାପତି ବାବୁ ସିଂ, କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ଅମୀୟ ପାଣ୍ଡବ, ସମାଜସେବୀ ସୁକାନ୍ତ କୁମାର ପଣ୍ଡା, ଭୀଷ୍ମନାରାୟଣ ନାୟକ, କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୂପକାର, ଶିବ ପ୍ରସାଦ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ମରଶରୀରକୁ ଗରାବଡ଼ୁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ପ୍ରଭୁ ମହାପାତ୍ର ମୁଖାଗ୍ନି ଦେଇଥିଲେ।