ଭୁବନେଶ୍ବର: ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଫେରାଦ ହୋଇଛି ବିଜେଡି। ନିକଟ ଅତୀତରେ ଖୋର୍ଦ୍ଧା ଛଣଗିରିରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଓ ପୁଲିସ ଅଧିକାରୀଙ୍କୁ ଧମକ ଦେବା ଅଭଯୋଗ ହୋଇଥିଲା। ଏବେ ଟାଙ୍ଗି କଲେଜ ନିକଟରେ ପୁଣି ଥରେ ସେ ନିଜର ଔଦ୍ଧତ୍ୟ ଦେଖାଇଥିବା ବିଜେଡି ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସୁଲତା ଦେଓ, ସସ୍ମିତ ପାତ୍ର, ପ୍ରିୟବ୍ରତ ମାଝୀ, ମିହିର ରାୟ, ଈପ୍‌ସିତା ସାହୁ, ମଧୁସ୍ମିତା ନାୟକ ପ୍ରମୁଖ ସିଇଓଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Advertisment

ବିଜେଡିର ଅଭିଯୋଗ ହେଉଛି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିକଟ ଅତୀତରେ ଜେଲ୍‌ରୁ ଜାମିନ୍‌ରେ ମୁକୁଳିଛନ୍ତି। ଏହା ପରେ ପରେ ସେ ବିଭିନ୍ନ ଆପରାଧିକ କାମରେ ସାମିଲ୍‌ ଅଛନ୍ତି। ଚାରିଚକିଆ ଯାନ ଚଢ଼ାଇ ଲୋକଙ୍କୁ ହତ୍ୟା ଉଦ୍ୟମ କରିବା, ସାମ୍ବାଦିକଙ୍କୁ ଆକ୍ରମଣ, ପୁଲିସ ଅଧିକାରୀଙ୍କୁ ଧମକ ପ୍ରଭୃତି କାର୍ଯ୍ୟ କରି ଆସୁଛନ୍ତି। ଜାମିନ୍‌ ସର୍ତ୍ତ ମାନୁ ନାହାନ୍ତି। ତେବେ ଗତକାଲି କଣ୍ଡନୟାଗଡ଼ ସାଂସ୍କୃତିକ ସୁରକ୍ଷା ମଞ୍ଚ ଦ୍ବାରା ଟାଙ୍ଗୀ କଲେଜ୍‌ ନିକଟରେ ଏକ ଶୋଭାଯାତ୍ରା ଆୟୋଜନ ହୋଇଥିଲା। ଶୋଭାଯାତ୍ରାରେ ସେ ଜବରଦସ୍ତ ଯୋଗ ଦେଇଥିଲେ। ଶୋଭାଯାତ୍ରାରେ ଯାଉଥିବା ବେଳେ ଆୟୋଜକଙ୍କୁ ଧମକ ଦେବା ସହ ମାଡ଼ ମାରିବା ପାଇଁ ଉଦ୍ୟମ କରିଥିଲେ। ଏଭଳି କାର୍ଯ୍ୟକଳାପରେ ଏବେଠୁ ରୋକ୍‌ ନ ଲାଗିଲେ ବା ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ଗଣତନ୍ତ୍ର ବିପଦରେ ପଡ଼ିବ। ସ୍ବଚ୍ଛ ତଥା ଅବାଧ ନିର୍ବାଚନ ପ୍ରଭାବିତ ହେବ। ଏଣୁ ଏହାକୁ ଗମ୍ଭୀରତାର ସହ ସିଇଓ ବିଚାର କରନ୍ତୁ ବୋଲି ସେମାନେ କହିଛନ୍ତି।