ଭୁବନେଶ୍ବର: ଜେନେରେଟର ନେଇ ସାହି ସାହି ବୁଲୁଛନ୍ତି। କାହାର ମୋବାଇଲ୍ ତ କାହାର ଇନଭର୍ଟର ଚାର୍ଜ କରୁଛନ୍ତି। ଏମିତି କି ଯେଉଁଠି ବୃଦ୍ଧବୃଦ୍ଧା ଓ ଶିଶୁମାନେ ଅସହ୍ୟ ଗରମ ଯୋଗୁଁ କଲବଲ ହେଉଥିବା ଖବର ପାଉଛନ୍ତି ସେଠି ଜେନେରେଟର ଧରି ପହଞ୍ଚି ଯାଉଛନ୍ତି। ୫୦୦ କି ଦେଢ଼ ହଜାର ନୁହେଁ ମାଗଣାରେ ଏହି ସେବା ଯୋଗାଇ ଦେଉଛନ୍ତି ପ୍ରତାପ ସାହୁ। ‘ଫନି’ ପ୍ରଳୟ ପରେ ବିଦ୍ୟୁତ ବ୍ୟବସ୍ଥା ଯୋଗୁଁ ଲୋକେ ଦହଗଞ୍ଜ ହେଉଥିବା ବେଳେ ଏ ଅସମୟରେ ମୋବାଇଲ୍ରେ ଚାର୍ଜ କରିବା ସମ୍ଭବ ନଥିବାରୁ କାହା ସହ ଯୋଗାଯୋଗ ସମ୍ଭବ ହୋଇପାରୁନଥିଲା। ଏପରି ସ୍ଥିତିରେ ସେ ନିଜ ବାଇକ୍ ପଛରେ ଜେନେରେଟର ନେଇ ଗତ ୪ ତାରିଖରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଲୋକଙ୍କ ମୋବାଇଲ୍ ଚାର୍ଜ କରିଥିଲେ। ଏକକାଳୀନ ୨୪ଟି ମୋବାଇଲ୍ ଚାର୍ଜ କରିବାର ବ୍ୟବସ୍ଥା କରୁଥିଲେ। କେହିକେହି ଆଡପ୍ଟର ନେଇ ମଧ୍ୟ ଆହୁରି ମୋବାଇଲ୍ ଚାର୍ଜ କରିଥିଲେ। ଆଜି ସେ ଧଉଳି ପଞ୍ଚାୟତରେ ୪୦୦ ମୋବାଇଲ୍ ଚାର୍ଜ କରିବା ସହ ଇନ୍ଭର୍ଟର ଓ ଟର୍ଚ ଲାଇଟ୍ ଚାର୍ଜ କରିଥିଲେ। ଆସନ୍ତାକାଲି ଧଉଳି ପଞ୍ଚାୟତର ଭୋଇସାହିକୁ ଯାଇ ସେଠାରେ ସେବା ଯୋଗାଇ ଦେବେ ବୋଲି କହିଛନ୍ତି। ତାଙ୍କ କହିବା କଥା ହେଲା, ଏ ଅସମୟରେ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ, ସରକାର ରିଲିଫ୍ ଓ ପାଣି ନେଇ ପହଞ୍ଚାଉଛନ୍ତି। ଏହା ତ ନିଶ୍ଚିତ ଆବଶ୍ୟକ, କିନ୍ତୁ ବିଦ୍ୟୁତ ନଥିବାରୁ ମୋବାଇଲ୍ରେ ଏ ଅସମୟରେ ଅନେକ ନିଜ ସମ୍ପର୍କୀୟଙ୍କ ସହ କଥା ହୋଇ ନପାରିବା ମତେ ଆନ୍ଦୋଳିତ କରିବାରୁ ମୁଁ ଏହି ସେବା ଯୋଗାଇ ଦେବା ନେଇ ସ୍ଥିର କଲି। ଏନେଇ କିଛି ଲୋକ ପରସ୍ପର ଭିତରେ ପାଟିତୁଣ୍ଡ ହୋଇ ଜେନେରେଟର ଉପରେ ପାଣି ଢାଳି ଦେଇଛନ୍ତି, ଗାଳିମନ୍ଦ କରିଛନ୍ତି। ମାତ୍ର ଅନେକ ଏଥିପାଇଁ ସାବାସୀ ବି ଦେଇଛନ୍ତି। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ପୁରୀରେ ବିଦ୍ୟୁତ ସେବା ମିଳିବାର ସମ୍ଭାବନା ନଥିବାରୁ ପୁରୀ ଯାଇ ସେଠାରେ ମଧ୍ୟ କିଛି ଲୋକଙ୍କୁ ଏହି ସେବା ଯୋଗାଇ ଦେବି ବୋଲି ପ୍ରତାପ କହିଛନ୍ତି।
ଜେନେରେଟର ନେଇ ସେବା ଯୋଗାଉଛନ୍ତି ପ୍ରତାପ
/sambad/media/post_attachments/wp-content/uploads/2019/05/Untitled-22-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)