୨ ସପ୍ତାହରେ ୬୪ ପଜିଟିଭ୍‌, ସୋମବାର ଯାଏ ପ୍ରତାପଶାସନ ସିଲ୍‌

ବାଲିପାଟଣାରେ ୩ ପଞ୍ଚାୟତ ସିଲ୍‌

ବାଲିଅନ୍ତା : ବାଲିଅନ୍ତା ବ୍ଲକ ପ୍ରତାପଶାସନ ପଞ୍ଚାୟତ ଅଞ୍ଚଳରେ ଗତ ଦୁଇ ସପ୍ତାହ ମଧ୍ୟରେ ୬୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ବ୍ଲକ ପ୍ରଶାସନର ପରାମର୍ଶ ନେଇ ସରପଞ୍ଚ ଭାଗ୍ୟଧର ନନ୍ଦୀ ସମଗ୍ର ପଞ୍ଚାୟତକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସିଲ୍‌ ଘୋଷଣା କରିଛନ୍ତି। ୨୧ ତାରିଖ ସକାଳ ୬ ଘଟିକା ଠାରୁ ୨୪ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ତିନି ଦିନ ପାଇଁ ପଞ୍ଚାୟତର ୧୯ଟି ଯାକ ୱାର୍ଡକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ୧୯ଟିଯାକ ୱାର୍ଡରେ ଥିବା ସମସ୍ତ ଦୋକାନ ବଜାର ସହିତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଶନିବାର ସାପ୍ତାହିକ ହାଟ ପାଳିକୁ ମଧ୍ୟ ବନ୍ଦ କରାଯାଇଛି। ତେବେ ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଏଥିସହିତ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ସ୍ବାବ୍ ନମୁନା ପରୀକ୍ଷାକୁ ମଧ୍ୟ ଜୋର୍‌ଦାର କରାଯିବ ବୋଲି ସରପଞ୍ଚ ଶ୍ରୀ ନନ୍ଦୀ କହିଛନ୍ତି।

ବାଲିପାଟଣାରେ ୩ ପଞ୍ଚାୟତ ସିଲ୍‌
ବାଲିପାଟଣା : ବାଲିପାଟଣାରେ ମଙ୍ଗଳବାର ପୁଣି ୨୦ ଜଣ ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ମଝିହରା ପଞ୍ଚାୟତରେ ୧୨, ପମ୍ପାଲୋରେ ୪ ଏବଂ ତୁରିନ୍ତିରା ପଞ୍ଚାୟତରେ ୩ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏଥିସହିତ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଗୋଷ୍ଠୀ ସଂକ୍ରମଣ ଭୟରେ ମଝିହରା, ଭାକରସାହି ଓ ଭାପୁର ପଞ୍ଚାୟତକୁ ଆଜି (ଗୁରୁବାର)ଦିନ ୨ ଟାଠାରୁ ସୋମବାର ରାତି ୯ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଉକ୍ତ ୩ ପଞ୍ଚାୟତର ସରପଞ୍ଚ ନାରାୟଣ ସାହୁ, ପ୍ରିୟମ୍ବଦା ପାତ୍ର ଓ ହେମନ୍ତ ସାହୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି। ତେବେ ପଜିଟିଭ୍‌ ଚି଼ହ୍ନଟ ବ୍ୟକ୍ତିଙ୍କୁ ବିଳମ୍ୱରେ କୋଭିଡ୍‌ ହସ୍ପିଟାଲ ନେବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଥିଲା। ସେହିଭଳି ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗାଁ’ମାନଙ୍କୁ ଠିକଣା ସମୟରେ ସାନିଟାଇଜ କରାଯାଉନଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ଆକ୍ରାନ୍ତ ବ୍ୟକ୍ତିମାନେ ଘରେ ରହିଥିବା ସତ୍ତ୍ବେ କୋଭିଡ୍‌ ଆକ୍ରାନ୍ତ ହୋଇଥିବାରୁ ଏହି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର