ପ୍ରତାପରୁଦ୍ରପୁର ହୋମିଓପାଥିକ୍‌ ଚିକିତ୍ସାଳୟର ଦୁରବସ୍ଥା, ଡାକ୍ତର ଥାଇ ବି ତାଲା ଝୁଲୁଛି

ବାଲିଅନ୍ତା: ବାଲିଅନ୍ତା ପ୍ରତାପରୁଦ୍ରପୁର ସରକାରୀ ହୋମିଓପାଥିକ୍ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଧିକାଂଶ ସମୟରେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଏଠାରେ ଡାକ୍ତର, ଫାର୍ମାସିଷ୍ଟ ଓ ପିଅନ ନିଯୁକ୍ତି ପାଇଥିଲେ ମଧ୍ୟ କେହି ନିୟମିତ ହସ୍ପିଟାଲକୁ ଆସୁନଥିବାରୁ ମାସର ଅର୍ଦ୍ଧାଧିକ ଦିନ ତାଲା ପଡ଼ିଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ବି କିଛି ସୁଫଳ ମିଳିନାହିଁ। ତେଣୁ ଏବେ ସ୍ଥାନୀୟ ଲୋକେ ଭୁବନେଶ୍ବର ସାଂସଦଙ୍କୁ ଗୁହାରି କରିଛନ୍ତି।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ୧୯୭୨ ମସିହାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ଲୋକଙ୍କୁ ସେବା ଯୋଗାଇ ଆସୁଛି। ହୋମିଓପାଥିକ୍‌ ସ୍ବାସ୍ଥ୍ୟ‌କେନ୍ଦ୍ର ହୋଇଥିଲେ ହେଁ ବହୁ ସାଧାରଣ ରୋଗ ପାଇଁ ଲୋକେ ଏଠାକୁ ଧାଇଁ ଆସୁଥିଲେ। ଏମିତିକି ଋତୁକାଳୀନ ଜ୍ବର ରୋଗ ବ୍ୟାପିବାବେଳେ ସ୍ଥାନୀୟ ଲୋକଙ୍କ ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର ବେଶ୍ ଭରସାର କେନ୍ଦ୍ର ଥିଲା। ବହୁ ସମୟରେ ଲୋକେ ଜରୁରୀକାଳୀନ ସେବା ମଧ୍ୟ ପାଉଥିଲେ। ସେହିଭଳି ବହୁ ଦିନ ଧରି ପୁରୁଣାରୋଗରେ ପୀଡ଼ିତ ଥିବା ଲୋକମାନେ ହୋମିଓପାଥି ଔଷଧ ସେବନ କରି ଆରୋଗ୍ୟ ହେଉଥିଲେ। ତେଣୁ ଆଖପାଖ ଅଞ୍ଚଳ ଛଡ଼ା ବାହାରୁ ମଧ୍ୟ ରୋଗୀମାନେ ଏଠାକୁ ଆସୁଥିଲେ। କିନ୍ତୁ ଏବେ ସ୍ଥିତି ବଦଳି ଯାଇଛି।

ଏବେ ସ୍ଥାନୀୟ ଲୋକଙ୍କ ପାଇଁ ବି ଏହି ସ୍ବାସ୍ଥ୍ୟକେନ୍ଦ୍ର ଅପହଞ୍ଚ ହୋଇ ରହିଛି। ଯେତେବେଳେ ଗଲେ ତାଲା ଝୁଲୁଥିବା‌ ଦେଖିବାକୁ ମିଳୁଛି। ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ମାସର ଅଧିକାଂଶ ସମୟରେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଛି। ତେଣୁ ଧୀରେ ଧୀରେ ଲୋକେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରୁ ନଜର ହଟାଇ ସାରିଲେଣି। ଲୋକଙ୍କ ଯାତାୟାତ ନଥିବାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଏବେ ଏକପ୍ରକାର ଭୂତକୋଠି ସଦୃଶ ହୋଇଛି। ପରିମଳ ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ ହୋଇ ରହିଛି। ସାମୁଦ୍ରିକ ବାତ୍ୟା ଫନି ପରେ ପରିସରରେ ଭାଙ୍ଗି ପଡ଼ିଥିବା ଗଛଲତା ସେମିତି ପଡ଼ିରହିଛି। ବଣବୁଦା ସଫା କରାଯାଉନାହିଁ। ପୂର୍ବରୁ ଅଞ୍ଚଳବାସୀ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଥିବା ଜଣାଇଛନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍‌। ଶେଷରେ ସ୍ଥାନୀୟ ଲୋକ ନିରାଶ ହୋଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିକଟରେ ଫେରାଦ ହୋଇଛନ୍ତି। କାକରୁଦ୍ରପୁର, ପ୍ରତାପରୁଦ୍ରପୁର ଓ ଜୟଦେବ ପଞ୍ଚାୟତର ପାଖାପାଖି ୧ ହଜାରରୁ ଅଧିକ ଲୋକ ସ୍ବାକ୍ଷର କରି ହସ୍ପିଟାଲର ଦୁରବସ୍ଥା ସଂପର୍କରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଅବଗତ କରାଇଛନ୍ତି। ଡାକ୍ତର, ଫାର୍ମାସିଷ୍ଟ ଓ ପିଅନ କାର୍ଯ୍ୟରତ ଥାଇ ବି ଯଦି ଆଗକୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ସେବା ନ ମିଳିବ, ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର