ପଢ଼ୁଆଁ ହେଲେ ବଡ଼: ଘରେ ଘରେ ମହକିଲା ହଳଦୀ ପତ୍ର ପିଠା, ରାଧାମୋହନଙ୍କୁ ପଢୁଆଁ କରୁଛନ୍ତି ଭାଗୀରଥି

ଠାକୁରଙ୍କ ଚୋରି ମୂର୍ତ୍ତି ଉଦ୍ଧାର ପରେ ଯୋଡ଼ି ହୋଇଛି ନିଆରା ପରମ୍ପରା, ପଢ଼ୁଆଁ ହେଲେ ଶ୍ରୀଲିଙ୍ଗରାଜ

ଭୁବନେଶ୍ବର: ସହର ଥିଲା ଉତ୍ସବମୁଖର। ମନ୍ଦିର ଥିଲା ଚଳଚଞ୍ଚଳ। ସକାଳୁ ସକାଳୁ ସମସ୍ତ ଘର ସମ୍ମୁଖରେ ଝୋଟିଚିତା ସହ ଶୋଭା ପାଉଥିଲା ପୂର୍ଣ୍ଣ କୁମ୍ଭ। ପ୍ରତିଟି ଘର ମହକୁଥିଲା ହଳଦୀ ପତ୍ର ପିଠା ଓ ଖିରିର ମହମହ ବାସ୍ନା। ଘରର ବଡ଼ମାନେ ନୂଆ ପୋଷାକ ପିନ୍ଧି ପଢ଼ୁଆଁ ହୋଇଥିଲେ। ଅବସର ଥିଲା ଘରର ଜ୍ୟେଷ୍ଠ ସନ୍ତାନ/ସନ୍ତତିଙ୍କ ପାଇଁ ସମର୍ପିତ ପର୍ବ ପ୍ରଥମାଷ୍ଟମୀର। ବଡ଼ମାନଙ୍କୁ ମା’ମାନେ ପଢ଼ୁଆଁ କରି ଆଜି ଷଠୀଦେବୀଙ୍କ ନିକଟରେ ବନ୍ଦାପନା କରି ସେମାନଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରିଥିଲେ। ପରିବାରର ପ୍ରଥମ ସନ୍ତାନମାନେ ମାମୁ ଘରୁ ଆସିଥିବା ନୂଆ ବସ୍ତ୍ର ପନ୍ଧି ପଢ଼ୁଆଁ ହୋଇ ଓ ଗୁରୁଜନଙ୍କ ଆଶୀର୍ବାଦ ନେଇଥିଲେ। ବଡ଼ମାନଙ୍କୁ ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା କରାଯାଇଥିଲା। ଘରର ମହିଳା ଅବା ମା’ ମାନେ ଚଉରା ମୂଳେ ପୂଜାର୍ଚ୍ଚନା କରିଥିଲେ। ଆଉ ପ୍ରତ୍ୟେକ ପରିବାରରେ ଜମିଥିଲା ପିଠାପଣାର ଆସର। ଆଜି ଦିନର ମୁଖ୍ୟ ଆକର୍ଷଣ ଥିଲା ହଳଦୀ ପତ୍ର ପ୍ରସ୍ତୁତ ପିଠା। ବିଶେଷକରି ଏଣ୍ଡୁରି ପିଠା ଷଠୀ ଦେବୀଙ୍କ ନିକଟରେ ସମର୍ପଣ କରାଯାଇଥିଲା। ଖାଲି ସେତିକି ନୁହେଁ ବାହାରେ ଓ ହଷ୍ଟେଲରେ ରହିଥିବା ଛାତ୍ରଛାତୀ ଓ ଗ୍ରାହକଙ୍କ ପାଇଁ ହୋଟେଲଗୁଡ଼ିକରେ ସ୍ୱତନ୍ତ୍ର ଭାବେ ଏସବୁ ପିଠାର ମେନୁ ମଧ୍ୟ ପ୍ରସ୍ତୁତ ହୋଇଥିଲା।

ରାଧାମୋହନଙ୍କୁ ପଢୁଆଁ କରୁଛନ୍ତି ଭାଗୀରଥି

ବାଲିପାଟଣା: ଠାକୁରଙ୍କ ଚୋରି ମୂର୍ତ୍ତି ଉଦ୍ଧାର ପରେ ଯୋଡ଼ି ହୋଇଛି ନିଆରା ପରମ୍ପରା। ସେବେଠାରୁ ମୂର୍ତ୍ତି ପାଇଥିବା ବ୍ୟକ୍ତି ଠାକୁରଙ୍କୁ ପ୍ରଥମାଷ୍ଟମୀରେ ପଢ଼ୁଆଁ କରୁଛନ୍ତି। ଏଭଳି ପରମ୍ପରା ଦେଖିବାକୁ ମିଳିଛି ଫକୀରପଡ଼ା ଗ୍ରାମରେ। ୨୦୦୮ ମସିହାରେ ଫକୀରପଡ଼ା ଗ୍ରାମରୁ ଠାକୁର ରାଧାମୋହନ ଦେବ ଓ ନାରାୟଣଙ୍କ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଯାଇଥିଲା। ଚୋରି ସମ୍ପର୍କରେ ମନ୍ଦିରର ମାର୍ଫତଦାର ଉପେନ୍ଦ୍ର ମହାନ୍ତି ଥାନାରେ ଅଭିଯୋଗ କରିଥିଲେ। ହେଲେ ମୂର୍ତ୍ତିର ପତ୍ତା ମିଳିନଥିଲା। ପ୍ରାୟ ଅଢ଼େଇ ବର୍ଷ ପରେ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଚଣାହଟ୍ଟାର ଭାଗୀରଥି ଭୋଇ ଗାଁ ପାଖ ସଫେଇ ନାଳରୁ ଠାକୁରଙ୍କ ୨ ମୂର୍ତ୍ତି ପାଇଥିଲେ। ଠାକୁରଙ୍କ ମୂର୍ତ୍ତି ମନ୍ଦିରକୁ ଦାନ କରି ଭାଗୀରଥି ହୋଇଗଲେ ବନ୍ଧୁ। ପ୍ରତ୍ୟେକ ପ୍ରଥମାଷ୍ଟମୀରେ ନୂତନ ବସ୍ତ୍ର ଦେଇ ରାଧାମୋହନଙ୍କୁ ସେ ପଢୁଆଁ କରୁଛନ୍ତି।

ଭାଗୀରଥି, ତାଙ୍କ ପତ୍ନୀ ଏବଂ ଗ୍ରାମବାସୀ ନୂଆ ତାଟରେ ଦେବଦେବୀଙ୍କ ପାଇଁ ନୂତନ ବସ୍ତ୍ର, ମକୁଟ, ପଗଡ଼ି, ଦୀପ, ଧୂପ ନେଇ ଘଣ୍ଟ, ଘଣ୍ଟି, ବାଜା, ରୋଷଣିରେ ମନ୍ଦିରକୁ ଯାଆନ୍ତି। ସେଠାରେ ପୂଜକ ଠାକୁରଙ୍କୁ ବସ୍ତ୍ର ପିନ୍ଧାଇବା ସହ ପୂଜାର୍ଚ୍ଚନା କରନ୍ତି। ଘରୋଇ ଠାକୁର ହେତୁ ଠାକୁରଙ୍କ ପୂର୍ବରୁ କେହି ବନ୍ଧୁ ନ ଥିଲେ। ସେବେଠାରୁ ଠାକୁରଙ୍କ ପଢୁଆଁ ଅଷ୍ଟମୀ ପରମ୍ପରା ଯୋଡ଼ି ହୋଇଯାଇଛି। ସୂଚନାଯୋଗ୍ୟ, ୨ ମୂର୍ତ୍ତି ମିଳିବାର ଦୁଇ ମାସ ପରେ ଅନ୍ୟ ଏକ ମୂର୍ତ୍ତି ବନମାଳୀପୁର ମଠରୁ ମିଳିଥିଲା। ଜଣେ ବ୍ୟବସାୟୀ ଠାକୁରଙ୍କ ମୂର୍ତ୍ତି ପାଇ ସ୍ଥାନୀୟ ମଠକୁ ଦାନ କରିଦେଇଥିଲେ।

ପଢ଼ୁଆଁ ହେଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର: ପ୍ରଥମାଷ୍ଟମୀରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ପଢ଼ୁଆଁ ହୋଇଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନୂତନ ବିମାନ ନିର୍ମାଣ କାର୍ଯ୍ୟ ଆଜି ସମାପନ ହୋଇଥିବାରୁ ଏଥିରେ ମହାପ୍ରଭୁ ଯାତ୍ରା କରିଥିଲେ। ଆଜି ସନ୍ଧ୍ୟାରେ ଶ୍ରୀମୈତ୍ରେଶ୍ୱର ମନ୍ଦିରକୁ ମହାପ୍ରଭୁ ଯାତ୍ରା କରିବା ପରେ ପଢ଼ୁଆଁ ନୀତି ସମାପନ କରାଯାଇଥିଲା। ମନ୍ଦିରରେ ଦ୍ୱିପ୍ରହର ଧୂପ ଓ ଆଳତି କରାଯିବା ପରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ସହ ମା’ ପାର୍ବତୀ, ମା’ ଦୁର୍ଗା, ଶ୍ରୀବସୁଦେବଙ୍କୁ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ନିଆଯାଇଥିଲା। ରାତି ପ୍ରାୟ ସାଢ଼େ ୯ଟାରେ ବିଭିନ୍ନ ସେବାୟତଙ୍କ ଗହଣରେ ବଢ଼େଇବାଙ୍କ ଛକ ନିକଟ ମୈତ୍ରେଶ୍ବର ମନ୍ଦିର ପାଖକୁ ଦେବଦେବୀ ଯାତ୍ରା କରିଥିଲେ। ସେଠାରେ ବିଭିନ୍ନ ଫୁଲ ଓ ରଙ୍ଗୋଲିରେ ଚିତ୍ର ଅଙ୍କନ କରାଯିବା ସହ ଆତସବାଜିରେ ଦେବଦେବୀଙ୍କୁ ସ୍ୱାଗତ କରାଯାଇଥିଲା। ବଡ଼ୁ ସେବାୟତ ଶ୍ରୀଜିଉଙ୍କୁ ମଣେଇବା ପରେ ଦେବଦେବୀଙ୍କୁ ନିଆଯାଇ ଶ୍ରୀମୈତ୍ରେଶ୍ୱର ମନ୍ଦିରର ସମ୍ମୁଖରେ ଥିବା ସିଂହାସନରେ ବସାଇଥିଲେ। ଏହା ପରେ ପାପନାଶିନୀ ପୁଷ୍କରିଣୀର ପାଣିକୁ ସଂସ୍କାର କରାଯାଇ ଦେବଦେବୀଙ୍କୁ ପୂଜା ଓ ସ୍ନାନ କରାଯାଇଥିଲା। ପରେ ସୁଆର ସେବାୟତଙ୍କ ଦ୍ୱାରା ନୂତନ ଲୁଗା ପିନ୍ଧାଯାଇଥିଲା। ପୂଜାପଣ୍ଡା ସେବାୟତ ପଞ୍ଚ ଉପଚାରରେ ଦେବଦେବୀଙ୍କୁ ପୂଜାକରି ମାମୁ ଭଣଜାଙ୍କୁ ମୁଆଁ ଭୋଗ କରାଇ ଭେଟ ଆଳତି କରିଥିଲେ। ଶେଷରେ ଶ୍ରୀଜିଉ ପ୍ରତ୍ୟାବର୍ତନ ବେଳେ ଶ୍ରୀଲିଙ୍ଗରାଜଙ୍କ ମାଇଁ କପାଳୀ ଠାକୁରାଣୀଙ୍କ ପଖରେ ଭେଟ ଆଳତି କରାଯାଇଥିଲା। ଏହାପରେ ଦେବଦେବୀ ମନ୍ଦିରକୁ ଫେରିଥିଲେ। ସେହିପରି ଶ୍ରୀକପିଳନାଥ ମଧ୍ୟ ଆଜି ପଢ଼ୁଆଁ ହୋଇଛନ୍ତି। ସ୍ଥାନୀୟ କୈବର୍ତ୍ତ୍ୟ ସାହି ଛକ ନିକଟରେ ଥିବା ଶ୍ରୀଝୁଣ୍ଟୁକେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ଯାଇଥିବା ନୂଆ ଲୁଗା କପିଳନାଥଙ୍କୁ ବିଧି ମୁତାବକ ପିନ୍ଧାଯାଇଥିଲା।

ସମ୍ବନ୍ଧିତ ଖବର