ପଢ଼ୁଆଁ ହେଲେ ଶ୍ରୀଲିଙ୍ଗରାଜ, ମାମୁ ଘର ମୈତ୍ରେଶ୍ବର ମନ୍ଦିରରେ ଉତ୍ସବର ମାହୋଲ

ପୁରୁଣା ଭୁବନେଶ୍ୱର: ଆଜି ବିଧି ଓ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ପଢ଼ୁଆଁ ହୋଇଛନ୍ତି। ଏଥିପାଇଁ ଆଜି ସକାଳୁ ମାମୁଘର ଶ୍ରୀମୈତ୍ରେଶ୍ୱର ମନ୍ଦିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଭଣଜା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ସ୍ବାଗତ କରିବା ଓ ନୂତନ ବସ୍ତ୍ର ଦେଇ ପଢ଼ୁଆଁ ନୀତି ସମାପନ କରିବା ପାଇଁ ମନ୍ଦିର ସେବାୟତମାନଙ୍କ ପକ୍ଷରୁ ବ୍ୟପାକ ପ୍ରସ୍ତୁତି ଚାଲିଥିଲା। ସନ୍ଧ୍ୟାରେ ଏହି ନୀତି ମହାଆଡ଼ମ୍ବର ସହକାରେ ସମାହିତ ହୋଇଥିଲା।
ଆଜି ଲିଙ୍ଗରାଜ ମନ୍ଦିରରେ ସକାଳୁ ଦ୍ୱିପ୍ରହର ଯାଏ ଯଥାରୀତି ପୂଜାର୍ଚ୍ଚନା, ଧୂପ ଓ ଆଳତି ଆଦି ଅନୁଷ୍ଠିତ ହୋଇଥିଲା।

ସେହିଭଳି ସନ୍ଧ୍ୟା ବିଧି ସରିବା ପରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାଙ୍କ ସହ ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀବସୁଦେବଙ୍କୁ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ମାମୁ ଘର ମୈତ୍ରେଶ୍ବର ମନ୍ଦିର ଅଭିମୁଖେ ନିଆଯାଇଥିଲା। ରାତି ପ୍ରାୟ ସାଢ଼େ ୯ଟାରେ ବିଭିନ୍ନ ସେବାୟତଙ୍କ ଗହଣରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ଅନ୍ୟ ଦେବଦେବୀମାନେ ବଢ଼େଇବାଙ୍କ ଛକ ନିକଟ ମୈତ୍ରେଶ୍ବର ମନ୍ଦିରକୁ ଯାତ୍ରା କରିଥିଲେ। ମାମୁଘର ପରିସରକୁ ପୂର୍ବରୁ ବଭିନ୍ନ ଫୁଲ ଓ ରଙ୍ଗୋଲିରେ ସଜ୍ଜିତ କରାଯାଇଥିଲା। ଭଣଜା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପଟୁଆର ମୈତ୍ରେଶ୍ବର ମନ୍ଦିର ସମ୍ମୁଖରେ ପହଞ୍ଚିବା ବେଳେ ସେଠାରେ ସୁନ୍ଦର ଆତସବାଜି କାର୍ଯ୍ୟକ୍ରମ କରାଯାଇ ଦେବଦେବୀଙ୍କୁ ସ୍ୱାଗତ କରାଯାଇଥିଲା। ବଡ଼ୁ ସେବାୟତ ଶ୍ରୀଜିଉଙ୍କୁ ମଣେଇବା ପରେ ସବୁ ଦେବଦେବୀଙ୍କୁ ଶ୍ରୀମୈତ୍ରେଶ୍ୱର ମନ୍ଦିର ସମ୍ମୁଖସ୍ଥ ସିଂହାସନରେ ଉପବେଶନ କରାଯାଇଥିଲା।

ଏହା ପରେ ପାପନାଶିନୀ ପୁଷ୍କରିଣୀରୁ ଆସିଥିବା ଶୁଦ୍ଧ ସଂସ୍କାରିତ ଜଳରେ ଦେବଦେବୀଙ୍କ ସ୍ନାନ ବିଧି ଅନୁଷ୍ଠିତ ହୋଇଥିଲା। ପରେ ସୁଆର ସେବାୟତଙ୍କ ଦ୍ୱାରା ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ପୂଜାପଣ୍ଡା ସେବାୟତମାନେ ପଞ୍ଚ ଉପଚାରରେ ଦେବଦେବୀଙ୍କୁ ପୂଜା କରିବା ସହ ମାମୁ ଭଣଜାଙ୍କୁ ମୁଆଁ ଭୋଗ ଲାଗି କରି ଭେଟ ଆଳତି କରିଥିଲେ। ପ୍ରଭୁଙ୍କ ପଢ଼ୁଆଁ ବିଧି ସରିବା ପରେ ଶ୍ରୀଜିଉ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ବାଟରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଇଁ ମା’ କପାଳୀ ଠାକୁରାଣୀଙ୍କ ପାଖରେ ଭେଟ ଆଳତି କରାଯାଇଥିଲା। ଏହାପରେ ସମସ୍ତ ଦେବଦେବୀ ପୁଣି ପଟୁଆରରେ ମନ୍ଦିରକୁ ଫେରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଆଜି ଶ୍ରୀକପିଳନାଥ ମଧ୍ୟ ପଢ଼ୁଆଁ ହୋଇଛନ୍ତି। ସ୍ଥାନୀୟ କୈବର୍ତ୍ତ ସାହି ଛକ ନିକଟସ୍ଥ ଶ୍ରୀଝୁଣ୍ଟୁକେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ଯାଇଥିବା ନୂଆ ବସ୍ତ୍ର ପିନ୍ଧି ପ୍ରଭୁ କପିଳନାଥ ପଢ଼ୁଆଁ ହୋଇଥିଲେ।

ସମ୍ବନ୍ଧିତ ଖବର