ଆଜି ପ୍ରଥମାଷ୍ଟମୀ

ହଳଦୀ ପତ୍ର ପିଠାରେ ମହକିବ ରାଜଧାନୀ

ଭୁବନେଶ୍ୱର : ସହର ସାରା ବାସୁଥିଲା ହଳଦୀ ହଳଦୀ। ରାଜଧାନୀରେ କେବେ ଦେଖାଯାଉ ନଥିବା ହଳଦୀ ପତ୍ର ସହରର ଗଳିକନ୍ଦିରେ ଆଜି ଦେଖିବାକୁ ମିଳିଥିଲା। ଏହାକୁ କିଣିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଲାଗିଥିଲା। କାରଣ ରାତି ପାହିଲେ ‘ପ୍ରଥମାଷ୍ଟମୀ’। ପରିବାରର ମଙ୍ଗ ସମ୍ଭାଳିବେ ପଢ଼ୁଆଁ ସନ୍ତାନ। ପାରମ୍ପରିକ ରୀତିନୀତିକୁ ଆଗେଇ ନେବେ।

ପରିବାରର ସବୁଠୁ ବଡ଼ ସନ୍ତାନ/ସନ୍ତତିଙ୍କ ଉପରେ ହିଁ ଆପେଆପେ ନ୍ୟସ୍ତ ହୁଏ ଏହି ପାରିବାରିକ ଗୁରୁ ଦାୟିତ୍ୱ। ଖାସ୍‌ ଏଇଥିପାଇଁ ବର୍ଷକୁ ଦିନଟିଏ ସମର୍ପିତ ପଢ଼ୁଆଁମାନଙ୍କ ପାଇଁ। ଏହିଦିନ ପରିବାରର ପ୍ରଥମ ସନ୍ତାନମାନେ ମାମୁଘରୁ ଆସିଥିବା ନୂଆ ବସ୍ତ୍ର ପିନ୍ଧିିି ପଢ଼ୁଆଁ ହେବେ ଓ ଗୁରୁଜନଙ୍କ ଆଶୀର୍ବାଦ ସାଉଁଟିବେ।

ଏହି ଅବସରରେ ବଡ଼ମାନଙ୍କୁ ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା କରାଯାଇଥାଏ। ଘରର ମହିଳା ଅବା ମା’ମାନେ ଚଉରା ମୂଳେ ପୂଜାର୍ଚନା କରଥା’ନ୍ତି। ଆଉ ପ୍ରତ୍ୟେକ ପରିବାରରେ ବେଶ୍‌ ଜମେ ପିଠାପଣାର ଆସର। ତେଣୁ ରାଜଧାନୀରେ ବି ଆସନ୍ତାକାଲି ପ୍ରତିଟି ଘରୁ ଭାସିଆସିବ ହଳଦୀ ପିଠାର ମହମହ ବାସ୍ନା। ବିଶେଷ କରି ଏଣ୍ଡୁରି ପିଠା ଓ ହଳଦୀ ପତ୍ରରେ ପ୍ରସ୍ତୁତ ପିଠା ଷଠୀଦେବୀଙ୍କ ନିକଟରେ ସମର୍ପଣ ପରେ ବଡ଼ମାନଙ୍କୁ ଖିରି ପିଠାରେ ଆପ୍ୟାୟିତ କରାଯିବ।

ଏହି ହଳଦୀ ପତ୍ର ପିଠା ପାଇଁ ଆଜି ସହରର ବିଭିନ୍ନ ସ୍ଥାନରେ ହଳଦୀ ପତ୍ର ପସରା ଖୋଲିଥିଲା। ଏହା ବିଡ଼ା ପିଛା ୫ରୁ୧୦ ଟଙ୍କା ଥିଲା। ଏକ ନମ୍ବର ହାଟରେ ଅସ୍ଥାୟୀ ପସରା ଖୋଲିଥିବା ବିକାଶ ଚନ୍ଦ୍ର ନାୟକ କୁହନ୍ତି, ଗାଁରେ ଏସବୁ ମାଗଣାରେ ମିଳିଯାଏ। କିନ୍ତୁ ସହରିଆଙ୍କ ପାଇଁ ଏହା ମହରଗ। ଏଣୁ ଅଷ୍ଟମୀ ପୂର୍ବ ଦିନ ଗାଁରୁ ଏହି ହଳଦୀ ପତ୍ର ଆଣି ବିକ୍ରି କରି ବେଶ୍‌ ଦୁଇ ପଇସା ରୋଜଗାର କରିହୁଏ।

ଖାଲି ସେତିକି ନୁହେଁ ପ୍ରଥମାଷ୍ଟମୀରେ ବଡ଼ମାନେ ନୂଆ ପୋଷାକ ପିନ୍ଧିବାର ପରମ୍ପରା ଥିବାରୁ ଆଜି ରାଜଧାନୀର ଲୁଗା ବଜାରରେ ବି ବେଶ୍‌ ଗହଳ ଚହଳ ଦେଖାଯାଇଥିଲା।

ସମ୍ବନ୍ଧିତ ଖବର