ଅଜିତ୍ ନାଟ୍ୟ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ‘ପ୍ରତିବିମ୍ବ’, ଉଗ୍ରପନ୍ଥୀଙ୍କ ହୃଦୟରେ ଉଇଁଲା ନୂଆ ସୂର୍ଯ୍ୟ

ଭୁବନେଶ୍ବର: ଉଗ୍ରପନ୍ଥୀଙ୍କ ହୃଦୟରେ ବି ଛପି ରହିଛି ମଣିଷପଣିଆ। ତେଣୁ ମଣିଷ ରକ୍ତରେ ହୋଲି ଖେଳୁଥିବା ଆତଙ୍କବାଦୀମାନେ ବି ସମୟଚକ୍ରରେ ପୁଣି ଭୁଲ ରାସ୍ତାରୁ ଫେରିପାରନ୍ତି। ଏଥିପାଇଁ କିଛି ଭଲ ଲୋକଙ୍କୁ ପ୍ରାଣବଳି ଦେବାକୁ ହୁଏ। ଏମିତି ଏକ କଥାବସ୍ତୁକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ପ୍ରତିବିମ୍ବ’। ୧୦ମ ଅଜିତ୍ ନାଟ୍ୟ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ଏହି ରୋମାଞ୍ଚଭରା ନାଟକ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। କଥାବସ୍ତୁ ଥିଲା ଏମିତି; ରଣପୁର ସୀମାନ୍ତରେ ରଘୁବୀର ସାମନ୍ତରାୟଙ୍କ ପୁଅ ଆତଙ୍କବାଦୀଙ୍କ ଗୁଳିର ଶିକାର ହୁଏ।

ଏକମାତ୍ର ପୁଅକୁ ହରାଇବା ପରେ ରଘୁବୀର ଓ ତାଙ୍କ ପତ୍ନୀ ରଣପୁରର ସେହି ସ୍ଥାନରେ ଘର କରି ରହିଲେ। ଉଦ୍ଦେଶ୍ୟ ଥିଲା ପୁଅ ଭଳି ସେମାନେ ବି କେବେ ଆତଙ୍କବାଦୀଙ୍କ ଗୁଳିରେ ମରିବେ। ଦିନେ ସ୍ବର୍ଗତ ପୁଅର ଜନ୍ମଦିନ ପା‌ଳୁଥିବା ବେଳେ ହଠାତ୍ ୩ ଜଣ ଆତଙ୍କବାଦୀ ତାଙ୍କ ଘରକୁ ପଶିଆସନ୍ତି। ବନ୍ଧୁକ ମୁନରେ ବୃଦ୍ଧ ଦମ୍ପତିଙ୍କୁ ଭୟଭୀତ କରନ୍ତି। କିନ୍ତୁ ଭୟ କରନ୍ତି ନାହିଁ ସେମାନେ ବରଂ କଥା ଛଳରେ ସେମାନଙ୍କୁ ଭଲ ବାଟକୁ ଫେରି ଆସିବାକୁ ଉପଦେଶ ଦିଅନ୍ତି। ଏହା ଭିତରେ ୩ଥର ପୁଲିସ ଆସେ। ମାତ୍ର ନିଜର ସମ୍ପର୍କୀୟ ବୋଲି ପରିଚୟ ଦେଇ ରଘୁବୀର ୩ ଆତଙ୍କବାଦୀଙ୍କୁ ବଞ୍ଚାଇ ଦିଅନ୍ତି। ତେଣୁ ଆତଙ୍କବାଦୀଙ୍କ ହୃଦୟ ପରିବର୍ତ୍ତନ ହୁଏ। ମାତ୍ର ଅଚାନକ ନାଟକର ମୋଡ଼ ବଦଳିଯାଏ। ଆତଙ୍କବାଦୀଙ୍କୁ ମୁକୁଳାଇବାକୁ ଆସିଥିବା ଅନ୍ୟ ଜଣେ ଆତଙ୍କବାଦୀ ସେଠାରେ ପହ‌େଞ୍ଚ‌। ସନ୍ଦେହ କରି ରଘୁବୀର ଓ ତାଙ୍କ ସ୍ତ୍ରୀକୁ ଗୁଳି କରିଦିଏ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୩ ଆତଙ୍କବାଦୀ ଗୁଳି କରିଥିବା ସହଯୋଗୀକୁ ଗୁଳି କରି ହତ୍ୟା କରନ୍ତି। ପରେ ସେମାନେ ପୁଲିସକୁ ଖବର ଦେଇ ଆତ୍ମସମର୍ପଣ କରନ୍ତି।

ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ସ୍ବର୍ଗତ ଅଜିତ୍ ଦାସଙ୍କ ନିର୍ଦ୍ଦେଶିତ ଏହି ନାଟକକୁ ଦୀପକ ରଞ୍ଜନ ପତି ପରିଚାଳନା କରିଥିଲେ। କିଶୋର ଖଣ୍ଡୁଆଳ, ରାକ୍ଷୀ, ବିଭୁ, ପୃଥ୍ବୀରାଜ, ଉମା, ହିଂମାଶୁ, ବିଜୟ, ସିଦ୍ଧାର୍ଥ, ନିଲ୍, ସନ୍ତୋଷୀ ଓ ଶିଶୁ କଳାକାର ଗୁଡୁ ପ୍ରମୁଖ ଅଭିନୟ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ସୁବୋଧ ପଟ୍ଟନାୟକ, ସାମାଜିକ କର୍ମୀ ସୁମିତ୍ରା ଜେନା, ଉତ୍କଳ ସଂଗୀତ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ମାୟା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର