କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରିବି: ପ୍ରତୀକ୍‌

ଜେଇଇ ମେନ୍‌ରେ ‘ଆକାଶ’ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ବର: ନ୍ୟାସନାଲ ଟେଷ୍ଟିଙ୍ଗ୍‌ ଏଜେନ୍ସି(ଏନଟିଏ) ଦ୍ବାରା ପରିଚାଳିତ ୨୦୧୯ ଜେଇଇ ମେନ୍‌(ଏପ୍ରିଲ୍‌ ମାସ) ପରୀକ୍ଷାରେ ୯୯.୯୯ ସ୍କୋର ରଖି ‘ଆକାଶ ଆଇଆଇଟି-ଜେଇଇ’ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ର ପ୍ରତୀକ୍‌ ଚୌଧୁରୀ ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟସ୍ତରରେ ୨୬ ତମ ରୢାଙ୍କରେ ରହିବା ସହ ଓଡ଼ିଶା ଟପର୍‌ ହୋଇଛନ୍ତି। ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲରେ ପଢ଼ିବା ସହ ‘ଆକାଶ’ରୁ କୋଚିଂ ନେଇ ସଫଳତାର ସହ ଉତ୍ତିର୍ଣ୍ଣ ହୋଇଥିବା ପ୍ରତୀକ୍‌ ଭବିଷ୍ୟତରେ କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରତୀକ୍‌ଙ୍କ ସମେତ ଆକାଶ ଆଇଆଇଟି-ଜେଇଇ, ଭୁବନେଶ୍ବର ଶାଖାର ୧୮୧ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ଉକ୍ତ ସଫଳତା ପାଇଁ ଭୁବନେଶ୍ବର ଶାଖା ନିର୍ଦେଶକ ଏ.ବି. ସିଂହ ପ୍ରତୀକ୍‌ଙ୍କ ସମେତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସଫଳତା ପରେ ପ୍ରତୀକ୍‌ଙ୍କ ସହ ‘ସମ୍ବାଦ’ର ସ୍ବତନ୍ତ୍ର ସାକ୍ଷାତକାର।
।ସଫଳତା ‌ନେଇ କ’ଣ କହିବେ?

।ବହୁତ ଖୁସି। ଭଲ ସ୍କୋର କରିବି ବୋଲି ଆଶା ଥିଲା। ତେବେ ୯୯.୯୯% ସ୍କୋର ରଖି ଓଡ଼ିଶା ଟପର୍‌ ହେ‌ବି ବୋଲି ଭାବି ନଥିଲି। ସଫଳତାର ଶ୍ରେୟ ଆକାଶ ଆଇଆଇଟି-ଜେଇଇର ସମସ୍ତ ଶିକ୍ଷକ ଓ ମୋର ଅଭିଭାବକ ତଥା ପିତାମାତାଙ୍କୁ ଦେବାକୁ ଚାହୁଁଛି।
।ପରୀକ୍ଷା ଲାଗି ପ୍ରସ୍ତୁତି କିଭଳି ରହିଥିଲା?
।ଦିନକୁ ୧୦ ଘଣ୍ଟା ପରିଶ୍ରମ କରୁଥିଲି। ନିଜ ଅଧ୍ୟୟନର ୬ ଘଣ୍ଟା ଓ କୋଚିଂ ପାଇଁ ୪ ଘଣ୍ଟା ଦେଉଥିଲି। ସମୟର ସୁବିନିଯୋଗ କରିବା, ଜେଇଇ ମେନ୍‌ ଲାଗି ଧ୍ୟାନ କେନ୍ଦ୍ରିତ କରିବା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ପାଇଁ ସଫଳତା ମିଳିପାରିଛି। ବର୍ତ୍ତମାନ ଜେଇଇ ଆଡଭାନ୍ସ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଦିନରେ ପ୍ରାୟ ୧୬ ଘଣ୍ଟା ପରିଶ୍ରମ କରୁଛି।
।ଭବିଷ୍ୟତରେ କେଉଁଠାରେ ଓ କେଉଁ ବିଭାଗରେ ପଢ଼ିବାକୁ ଚାହୁଁଛନ୍ତି?
।ଖଡ଼ଗପୁର, ମୁମ୍ବାଇ ନ ହେଲେ କାନପୁର ଆଇଆଇଟିରେ ପଢ଼ିବାକୁ ଲକ୍ଷ୍ୟ ରଖିଛି। କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରିବାକୁ ଚାହୁଁଛି। ଏହାପରେ ସମ୍ପୃକ୍ତ ବି‌ଷୟରେ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛି।
।ଆପଣଙ୍କର ପଢ଼ିବାର ଶୈଳୀ କିଭଳି ରହିଥିଲା?
।ମୁଁ ମୋବାଇଲ ଫୋନ ପାଖରେ ରଖେନାହିଁ। ଯେତେବେଳେ ଦରକାର ପଡ଼େ ମା’ଙ୍କ ମୋବାଇଲରେ କଥା ହୁଏ। ଡ. ଏପିଜେ ଅବଦୁଲ କଲାମ ମୋର ପ୍ରେରଣାର ଉତ୍ସ। ସମୟ ପାଇଲେ ଟିଭି ଦେଖିବାକୁ ଓ ବାସ୍କେଟ ବଲ ଖେଳିବାକୁ ଭଲପାଏ।
।ଯେଉଁମାନେ ଏବେ ଜେଇଇ ମେନ୍‌ ଲାଗି ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ କ’ଣ ବାର୍ତ୍ତା ଦେବେ?
।ନିଜ ଉପରେ ବିଶ୍ବାସ ରଖି କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ ଭାବେ ମିଳିବେ।
।ପଢ଼ିବା ଲାଗି ମୋବାଇଲର କେତେ ଆବଶ୍ୟକତା ରହିଛି ବୋଲି ଆପଣ ଭାବୁଛନ୍ତି?
।ଆବଶ୍ୟକ ପଡ଼ିଲେ ମୁଁ ଗୁଗୁଲ୍‌ ସର୍ଚ୍ଚ କରି ସୂଚନା ସଂଗ୍ରହ କରିଥାଏ। ସୋସିଆଲ ମିଡିଆ କମ୍‌ ବ୍ୟବହାର କରିବା ତେବେ ଅତ୍ୟନ୍ତ ଭଲ।

ସମ୍ବନ୍ଧିତ ଖବର