‘ଯାଜ୍ଞସେନୀ’ କ୍ରାନ୍ତିକାରୀ ଉପନ୍ୟାସ: ମାଟିରେ ବସି ରକ୍ତରେ ଲେଖେ: ପ୍ରତିଭା ରାୟ

ଭୁବନେଶ୍ବର: ‘ମୁଁ ଟେବୁଲ ଚୌକିରେ ବସି କଲମରେ ଲେ‌ଖେନି, ବରଂ ମାଟିରେ ବସି ରକ୍ତରେ ଲେଖେ’। ମାଟି ହେଉଛି ସଂସ୍କୃତି, ଜୀବନ। ଉପନ୍ୟାସ ‘ଯାଜ୍ଞସେନୀ’ର ଶତତମ ସଂସ୍କରଣ ଉନ୍ମୋଚନ ଉତ୍ସବରେ ନିଜ ମନର କଥାକୁ ଏଭଳି ପରିପ୍ରକାଶ କରିଛନ୍ତି ଜ୍ଞାନପୀଠ ପୁରସ୍କାର ବିଜୟିନୀ ପ୍ରତିଭା ରାୟ। ଶ୍ରୀମତୀ ରାୟ କହିଲେ ‘ଯାଜ୍ଞସେନୀ’ ମୋର ୧୪ତମ ଉପନ୍ୟାସ। ଇତିମଧ୍ୟରେ ୨୩ତମ ଉପନ୍ୟାସକୁ ଶେଷ ସ୍ପର୍ଶ ଦେଇଛି। କିନ୍ତୁ ପ୍ରତ୍ୟେକଟି ଉପନ୍ୟାସ ଲେଖିବା ସମୟରେ ଭାବେ ଯେ, ପ୍ରଥମ ଉପନ୍ୟାସ ଲେଖୁଛି। ‘ଯାଜ୍ଞସେନୀ’କୁ ବି ସେଭଳି ଲେଖିଥିଲି। ଭାବି ନଥିଲି ‘ଯାଜ୍ଞସେନୀ’ ଏଭଳି ପାଠକୀୟ ଆଦୃତି ଲାଭ କରିବ। ଉପନ୍ୟାସରେ ମଜି, ହଜି ନଗଲେ ଲେଖି ହୁଏନି। ଲେଖିବା ସମୟରେ ଶବ୍ଦ, ଚରିତ୍ର ଓ ଘଟଣା ଭିତରେ ପଶିବାକୁ ହୁଏ। କୌଣସି ଲେଖକ କେବେ ଜନପ୍ରିୟ ହେବାକୁ ବା ଅର୍ଥ ପାଇଁ ଲେଖେନି। ପୁରସ୍କାର ପାଇଁ ବି ଲେଖେନି। ତା’ ହୃଦୟ‌େର ଯେଉଁ ଉଚ୍ଛ୍ବାସ, ଆନନ୍ଦ ସୃଷ୍ଟି ହୁଏ, ତାହାକୁ ନେଇ ସେ ଲେଖେ। ଲେଖୁଲେଖୁ ହୁଏତ ସେ ଲେଖା ପୁରସ୍କାର ଆଣିପାରେ, ଅର୍ଥ ଦେଇପାରେ। କିନ୍ତୁ ସବୁଠାରୁ ବଡ଼ ହେଉଛି ପାଠକୀୟ ଆଦୃତି। ‘ଯାଜ୍ଞସେନୀ’ ପାଠକୀୟ ଆଦୃତି ଲାଭ କରିଥିବାରୁ ଆଜି ଦିବସକୁ ପ୍ରତିଭା ରାୟ ଫାଉଣ୍ଡେସନ୍‌ ଟ୍ରଷ୍ଟର ପାଠକ ଦିବସ ଭାବେ ଘୋଷଣା କରୁଛି। ପ୍ରଥମ ଦିନରୁ ‘ଯାଜ୍ଞସେନୀ’ର ଲୋକପ୍ରିୟତା ଜଣାପଡ଼ିଥିଲା। କିନ୍ତୁ ଜୀବଦଶା ଭିତରେ ଏହାର ଶତତମ ସଂସ୍କରଣ ପ୍ରକାଶ ପାଇବ ବୋଲି କେବେ ଭାବି ନଥିଲି। ‘ଯାଜ୍ଞସେନୀ’ ପାଇଁ ଆଜି ମୁଁ ପରିଚିତ ହୋଇଛି ବୋଲି ଶ୍ରୀମତୀ ରାୟ କହିଥିଲେ। ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ‘ଯାଜ୍ଞସେନୀ’ ହେଉଛି କ୍ରାନ୍ତିକାରୀ ଉପନ୍ୟାସ। ସବୁଠାରୁ ଅଧିକ ଭାଷାରେ ଅନୁଦିତ ହୋଇ ଶତତମ ସଂସ୍କରଣରେ ପହଞ୍ଚି ସାରିଛି। ଭାରତୀୟ ସାହିତ୍ୟରେ ‘ଯାଜ୍ଞସେନୀ’ ବିରଳ। ଶତତମ ସଂସ୍କରଣରେ ପହଞ୍ଚିଥିବା ହାତଗଣତି କିଛି ପୁସ୍ତକ ମଧ୍ୟରେ ଓଡ଼ିଆ ଉପନ୍ୟାସ ରହିବା ସାହିତ୍ୟପ୍ରେମୀଙ୍କ ପାଇଁ ଗର୍ବର ବିଷୟ।

ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ‘ଯାଜ୍ଞସେନୀ’ ପୁସ୍ତକର ବଙ୍ଗଳା ଅନୁବାଦକ ପ୍ରଦୀପ ଭଟ୍ଟାଚାର୍ଯ୍ୟ, ପ୍ରକାଶକ ମୀରା ଜୋହରି, ଭାଷାତତ୍ତ୍ବବିତ୍‌ ବସନ୍ତ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଦ୍ୟା ପ୍ରକାଶନୀ ପକ୍ଷରୁ ଆୟୋଜିତ ଉତ୍ସବରେ ଡ. ଆଦ୍ୟାଶା ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଟ୍ରଷ୍ଟର ଲଳିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରତିଭା ରାୟ ଫାଉଣ୍ଡେସନ୍‌ ଟ୍ରଷ୍ଟର ଲୋଗୋ, ପ୍ରତିଭା ରାୟଙ୍କ ‘ମଗ୍ନମାଟି’ର ହିନ୍ଦୀ ଅନୁବାଦ ଓ ଗଳ୍ପ ସଂକଳନ ‘କଲେଜ ଗପ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ‘ଯାଜ୍ଞସେନୀ’କୁ ବିଭିନ୍ନ ଭାଷାରେ ଅନୁବାଦ କରିଥିବା ଅନୁବାଦକମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର