ପ୍ରବାସୀ ଭାରତୀୟ ଦିବସରେ ଯୋଗଦେଇ ଏହାର ଗାରିମା ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଉତ୍ସବରେ ଯୋଗଦେବାକୁ ଆଜି ଓଡ଼ିଶା ମାଟିରେ ପାଦ ଥାପିଛନ୍ତି ରାଷ୍ଟ୍ରପତି ଦ୍ରପୌଦୀ ମୁର୍ମୁ। ଉତ୍ସବରେ ସାମିଲ ହୋଇଛନ୍ତି ମାଳମାଳ କେନ୍ଦ୍ରମନ୍ତ୍ରୀଙ୍କ ସମେତ ହଜାର ହଜାର ପ୍ରବାସୀ ଭାରତୀୟ। ଓଡ଼ିଶାର ଐତିହ୍ୟ, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ସଭିଙ୍କ ମନରେ ଭରିଛି ଅସୀମ ଆନନ୍ଦ। ଜନତା ମଇଦାନ ସହ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବାସୀଙ୍କ ପାଇଁ ହୋଇଛି ବିରାଟ ଆୟୋଜନ। ବୁଲି ବୁଲି ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାର ଝଲକ ଦେଖୁଛନ୍ତି ପ୍ରବାସୀ। ମୁକ୍ତେଶ୍ବର ନୃତ୍ୟ ମହୋତ୍ସବରେ ନୃତ୍ୟରତ ଶିଳ୍ପୀ, ରାଜାରାଣୀ ସଙ୍ଗୀତ ମହୋତ୍ସବରେ ବାଦ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ, ରବୀନ୍ଦ୍ର ମଣ୍ଡପ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଏବଂ ରାଜ୍ୟ ସଂଗ୍ରହାଳୟ ଲୋକକଳା ମହୋତ୍ସବରେ ବିରଳ ଲୋକନୃତ୍ୟକୁ ମନଭରି ଉପଭୋଗ କରୁଛନ୍ତି ପ୍ରବାସୀ।
ନୃତ୍ୟ ସଙ୍ଗୀତ ଚିତ୍ରର ମିଶ୍ରିତ ରାଗ
ଭୁବନେଶ୍ବର: ସୁରେନ୍ଦ୍ର କୁମାର ତ୍ରିପାଠୀ ଓ ସାଥୀଙ୍କ ଦ୍ବାରା ‘ଶିବ ବନ୍ଦନା’ ଗାୟନରୁ ଆରମ୍ଭ ହୋଇଥିଲା ମୁକ୍ତେଶ୍ବର ନୃତ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା। ଏହାପରେ ଏକକ ଭାବେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ସ୍ୱନାମଧନ୍ୟ ନୃତ୍ୟଶିଳ୍ପୀ ସସ୍ମିତା ପଣ୍ଡା। ତୃତୀୟ ସ୍ତବକ ଯୁଗଳବନ୍ଦୀରେ ମୁମ୍ବାଇରୁ ଆସିଥିବା ଦିବ୍ୟ ୱାରିର୍ ଓ ବିଦ୍ୟା ପ୍ରଦୀପଙ୍କ ମୋହିନୀଆଟ୍ଟମ୍ ଦଶର୍କଙ୍କୁ ବିମୋହିତ କରିଥିଲା। ଶେଷରେ ବୃନ୍ଦ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ସ୍ୱୟଂପ୍ରଜ୍ଞା ସାହୁ ଓ ସାଥୀ ଶିଳ୍ପୀଗଣ। ତୃତୀୟ ଦିନର ଏହି ମହୋତ୍ସବରେ ନୃତ୍ୟ ସହିତ ଚିତ୍ରଶିଳ୍ପୀ ମାନସ ଜେନାଙ୍କ ଅପୂର୍ବ ଚିତ୍ରକଳା କାନ୍ଭାସରେ ରଙ୍ଗତୂଳୀର ନୃତ୍ୟକୁ ଏକ ଅପୂର୍ବ ଆଭାରେ ଆଲୋକିତ କରୁଥିଲା। ବିଶିଷ୍ଟ ଭାଷାତତ୍ତ୍ୱବିତ୍ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଶିକ୍ଷାବିତ୍ ମାଳବିକା ରାୟ ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀର ଉତ୍ସବକୁ ଉଦ୍ଘାଟନ କରିଥିଲେ। ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ. ଭାଗ୍ୟଲିପି ମଲ୍ଲ ଓ ବିଶିଷ୍ଟ ସାହିତ୍ୟିକ ଡ. ମିହିର କୁମାର ସାହୁ ଉତ୍ସବକୁ ପରିଚାଳନା କରିଥିଲେ।
‘ନାରୀ’, ‘ଶିବ ପଞ୍ଚକ’, ‘ଚମକେ ଚପଳା’ ନୃତ୍ୟାଭିନୟରେ ଦର୍ଶକ ବିଭୋର
ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିନରେ ପ୍ରବାସୀ ଭାରତୀୟମାନେ ଓଡ଼ିଶୀ ନୃତ୍ୟଉପଭୋଗ କରିଥିଲେ। ପୂର୍ବାହ୍ନରେ କୋକିଳା ଡ୍ୟାନ୍ସ ଓ ମ୍ୟୁଜିକ୍ ଏକାଡେମୀର ଶିଳ୍ପୀଙ୍କ ଦଳଗତ ଓଡ଼ିଶୀ ନୃତ୍ୟାଭିନୟ ‘ନାରୀ’ ଓ ପରେ ପରେ ବିନାୟକ ଜେନା ଅଭିନୀତ ‘ଶିବ ପଞ୍ଚକ’, ରୂସାଳୀ ଦାସଙ୍କ ଅଭିନୀତ ‘ଚମକେ ଚପଳା’, ପ୍ରଜ୍ଞା ପ୍ରିୟଦର୍ଶନୀ ସାମଲଙ୍କ ‘ଅୟିଗିରି ନନ୍ଦିନୀ’, ବିଦିଶା ମିଶ୍ରଙ୍କ ‘ଅଷ୍ଟପଦୀ’ ବେଶ ମନଛୁଆଁ ହୋଇଥିଲା। ଓଡ଼ିଶୀ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ପୂଜା ମାଇତି ଓ ମାନସୀ ସିଂହ ଅଭିନୀତ ‘ଗୀତ ଗୋବିନ୍ଦ’, ସଂପ୍ରତି ପୌଲ ଓ ଦେବସ୍ମିତା କରଙ୍କ ‘ଶିବସ୍ତୁତି’ ଏବଂ ଇତିଶ୍ରୀ ରାୟଙ୍କ ମଙ୍ଗଳା ଚରଣ ‘କଦାଚିତ୍ କାଳନ୍ଦୀ ତଟ ବିପିନେ’ ମଞ୍ଚସ୍ଥ ହୋଇଥିଲା।
ଅପରାହ୍ନରେ ରାମଧନୁ କଳାକୁଞ୍ଜର ଶିଳ୍ପୀ ମୋହନା ପଲ୍ଲବୀ ଉପସ୍ଥାପନ କରଥିଲେ। ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ମନୀଷା ଓ ଶାଳିନୀଙ୍କ ମଙ୍ଗଳା ଚରଣ ଓ ଦୀଶା ଦେବ ଦୀପ୍ତି ଓ ମୋନିକା ସାମନ୍ତରାୟଙ୍କ ‘ସପ୍ତଶିବ ତାଣ୍ଡବ’ ଏବଂ ଏକକ ନୃତ୍ୟରେ ମୟୁରୀ କ୍ରିଷ୍ଣା ସାହୁଙ୍କ ଦ୍ୱାରା ‘ଶ୍ରୀରାମ ନମାମି ଭକ୍ତ ବତ୍ସଳମ୍’, ଶରଣ୍ୟା ମୁଖୋପାଧ୍ୟାୟଙ୍କ ‘ବର୍ଷା ଅଭିସାର’ ଏବଂ ଶେଷରେ ନୃତ୍ୟାତ୍ମା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ‘ପୁଷ୍ପାଞ୍ଜଳି’ ପରିବେଷିତ ହୋଇଥିଲା। ଗୁରୁ ଇଲିଆନା ଚିତାରିସ୍ତଙ୍କ ‘ଚର୍ଯ୍ୟାପଦ ପ୍ରସ୍ତୁତି’ ସହ ସମ୍ଭାବୀ ନାୟକ ଓ ସତ୍ୟପ୍ରକାଶ ମଲ୍ଲିକ, ସୌମେନ୍ଦ୍ର ବଳବନ୍ତରାୟ, ସଞ୍ଜୟ ସଅ ଓ ଅନିଷା ମଣ୍ଡଳ, ଉପାସନା ମହାନ୍ତି, ନୃତ୍ୟନିଳୟର ଶିଳ୍ପୀଙ୍କ ନୃତ୍ୟ ପରିବେଷଣ କରାଯାଇଥିଲା। ସଂଧ୍ୟାରେ ନ୍ୟାୟମୂର୍ତ୍ତି ଡି.ପି. ଚୌଧୁରୀ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରାଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମଟିକୁ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।
ସ୍ୱତନ୍ତ୍ର ଆକର୍ଷଣ ଟ୍ରାଇବାଲ ଫ୍ୟାସନ ଓ ଲେଜର ସୋ
ଭୁବନେଶ୍ୱର: ଆଦିବାସୀଙ୍କ କଳା, ସଂସ୍କୃତି, ପୋଷାକ, ନୃତ୍ୟ ଦେଖିବାକୁ ଆଉ ଆଦିବାସୀ ଗାଁକୁ ଯିବାରୁ ପଡ଼ୁନି। ଗୋଟିଏ ମଞ୍ଚରେ ଆଦିବାସୀଙ୍କ ପ୍ରଭୁ ମାରାଂବୁରୁ , ଧରଣୀ ମା’ର ପୂଜା ସମେତ ଲୋକନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ରର ସମାହାର ଦେଖିବାକୁ ମିଳୁଛି। ତେଣୁ ଏହି ଆଦିବାସୀ ମହୋତ୍ସବ ଦେଖିବାକୁ ଲୋକଙ୍କର ଭିଡ଼ ଜମୁଛି। ଆଜି ଆଦିବାସୀ ମେଳାର ମୁକ୍ତ ମଞ୍ଚ ପାଲଟିଥିଲା ଏକ ଅନ୍ତର୍ଜାତୀୟ ମଞ୍ଚ। ଏଥିରେ ଉଭୟ ପାରମ୍ପରିକ ଓ ଆଧୁନିକତାର ମିଶ୍ରଣ ଦେଖିବାକୁ ମିଳିଥିଲା। ଦର୍ଶକଙ୍କୁ ଆଦିବାସୀ ପରମ୍ପରା ସହିତ ଆଧୁନିକତାର ମିଶ୍ରଣରେ ‘ଟ୍ରାଇବାଲ ଫ୍ୟାସନ ସୋ’ ପରିବେଷିତ ହୋଇଥିଲା। ଆଦିବାସୀ ସଙ୍ଗୀତର ତାଳେ ତାଳେ ବିଭିନ୍ନ ରଙ୍ଗ ଓ ଡିଜାଇନର ଟାଇବ୍ରାଲ ପୋଷାକ ଓ ଗହଣା ପରିଧାନ କରି ଓଡ଼ିଶା, ପଶ୍ଚିମବଙ୍ଗ ଆଦି ସ୍ଥାନର ୧୨ଜଣ ମଡେଲ ରାମ୍ପ୍ ଵାକ୍ କରିଥିଲେ। ପ୍ରମୁଖ ଆକର୍ଷଣ ସାଜିଥିଲେ ଓଡ଼ିଆ ଅଭିନେତ୍ରୀ ତଥା ମଡେଲ ସ୍ୱପ୍ନା ପ୍ରିୟଦର୍ଶିନୀ। ତାଙ୍କର ମାଟିଆ ଓ ଧଳା ରଙ୍ଗର ବୁଣା ଶାଢ଼ୀ ସହିତ ଆଦିବାସୀ ହାର ଓ ଚୁଡ଼ିର ମିଶ୍ରଣ ଦର୍ଶକଙ୍କୁ ବିମୋହିତ କରିଥିଲା। ଅନ୍ୟତମ ଆକର୍ଷଣ ସାଜିଥିଲା ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଓ ଆଦିବାସୀ ଜାବନଶୈଳୀର ବୃନ୍ତଚିତ୍ର। ମାତ୍ର ୨୫ ମିନିଟର ଭିଡିଓରେ ଲକ୍ଷ୍ମଣ ନାୟକ, ମାଧୋ ସିଂହ, ବିର୍ସା ମୁଣ୍ଡା ପରି ବହୁ ଆଦିବାସୀଙ୍କ କାର୍ଯ୍ୟ ଚମତ୍କାର ଭାବରେ ପରିବେଷିତ ହୋଇଥିଲା। କେବଳ ସେତିକି ନୁହେଁ ବିର୍ସା ମୁଣ୍ଡାଙ୍କ ସମୂର୍ଣ୍ଣ କାହାଣୀ ମଧ୍ୟ ପରିବେଷଣ କରାଯାଇଥିଲା। ଏହାବ୍ୟତୀତ ଘୁମ୍ରା, କୋୟା, ଢେମସା ନୃତ୍ୟ କରି କଳାକାରମାନେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।
ମେଳା କହୁଛି ଆଦିବାସୀଙ୍କ କଥା
ଭୁବନେଶ୍ୱର, ୯/୧(ଇମିସ): ପ୍ରକୃତି କୋଳରେ ଆଦିମ ଯୁଗରୁ ଜୀବନଯାପନ କରିଆସୁଛନ୍ତି ପ୍ରକୃତିର ପ୍ରକୃତ ସନ୍ତାନ ଆଦିବାସୀ। ସେହି ଆଦିମ ଆଦିବାସୀଙ୍କ ନିଚ୍ଛକ ତଥା ଭିନ୍ନ ଜୀବନଶୈଳୀକୁ ତଥା ସେମାନଙ୍କ ନିଆରା ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ନେଇ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ଦର୍ଶକଙ୍କୁ ବିମୋହିତ କରୁଛି।
ଆଦିବାସୀ ଗ୍ରାମ ଦେଖିବାକୁ ଭିଡ଼
ରାଜଧାନୀବାସୀଙ୍କୁ ଆକର୍ଷିତ କରିବା ସହିତ କିଛି ନୂଆ ଅନୁଭୂତି ଦେଇଛି ‘ଆଦିବାସୀ ଗ୍ରାମ’। କେଉଁଠି ଝାଟିମାଟିର ଘର ତ କେଉଁଠି ନୂଆଁଣିଆ ଚାଳ, ଆଉ କେଉଁଠି ଇଷ୍ଟ ଦେବୀଙ୍କ ପୂଜାସ୍ଥଳୀ ତ କେଉଁଠି ଘର ଆଗରେ ରହିଛି ଡୁଲି, ମୁଗୁରା ସହ ଛେଳି, କୁକୁଡ଼ା ଘର। ପ୍ରାଚୀନ ଜନଜାତିଙ୍କ ମଧ୍ୟରେ କୁଟିଆ କନ୍ଧ, ବଣ୍ଡା, ପାଉଡ଼ିଭୂୟାଁ, ଲାଞ୍ଜିଆ ସଉରା, ସଉରା ସହ ଭୁଞ୍ଜିଆ ଆଦିବାସୀଙ୍କ ଘରକୁ ଅତି ସୁନ୍ଦର ଭାବେ ତାଙ୍କର ନିତିଦିନିଆ ବ୍ୟବହୃତ ସାମଗ୍ରୀ, କୃଷି ଉପକରଣ, ଅସ୍ତ୍ରଶସ୍ତ୍ରକୁ ରଖିବା ସହିତ ଦର୍ଶକେ ଏହାର ଦାୟିତ୍ୱରେ ଥିବା ଲୋକଙ୍କୁ ଠାରି ଏହାର ବ୍ୟବହାର ସମ୍ପର୍କରେ ପଚାରି ବୁଝୁଛନ୍ତି।
କଦଳୀ ମଞ୍ଜା ଓ ପଣସ କଠା ଆଚାର
ସାଧାରଣତଃ ଆମ୍ୱ, ବରକୋଳି, ଲେମ୍ବୁ, ଲଙ୍କା, ଟମାଟୋ ଆଦିର ଆଚାର ଲୋକମାନଙ୍କ ଆକର୍ଷଣ ସାଜିଥାଏ। ମେଳା, ମହୋତ୍ସବରେ ବ୍ରହ୍ମପୁରର ଆଚାର ସବୁବେଳେ ଲୋକଙ୍କ ପସନ୍ଦ ପାଲଟିଥାଏ। ହେଲେ ଚଳିତ ବର୍ଷ ମେଳାର ଆକର୍ଷଣ ପାଲଟିଛି ପାରଳାଖେମୁଣ୍ଡିର ଲକ୍ଷ୍ମୀ ନାରାୟଣ ସିଏଲ୍ଏଫ୍ର କଦଳୀ ମଞ୍ଜା, ଫୁଲ ଓ ପଣସ କଠାର ଆଚାର। ଆଚାରର ନିତିଦିନିଆ ସ୍ୱାଦରୁ କିଛି ଭିନ୍ନ ଚାଖିବା ପାଇଁ ଏହାକୁ ରାଜଧାନୀବାସୀ ବେଶ୍ ପସନ୍ଦ କରୁଛନ୍ତି। ଏହାର ବ୍ୟବସାୟୀ ସୁମତୀ ଶବରଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ମେଳାରେ ତାଙ୍କର ଏହି ଆଚାର ଲୋକଙ୍କ ପସନ୍ଦ ପାଲଟିଯାଏ। ଏହା ବ୍ୟତୀତ ସେ ଶାକରକନ୍ଦା, ପଣସ କଠା ଓ ହଳଦୀ ମଧ୍ୟ ବିକ୍ରୟ କରୁଛନ୍ତି।