‘ପ୍ରୟାସ’ର ସାମୂହିକ ବିବାହ ମହୋତ୍ସବ : ୨୫ ବରକନିଆଙ୍କ ହାତଗଣ୍ଠି ପଡ଼ିଲା

ଭୁବନେଶ୍ବର : ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ମଙ୍ଗନି, ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ। ଆଜି ପୂର୍ବାହ୍ଣ ୧୧ଟାରେ ୟୁନିଟ୍‌-୨ ସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିରରୁ ବାହାରିଥିଲା ଶୋଭାଯାତ୍ରା। ୨୫ ବରଙ୍କୁ ନେଇ ଏକ ସୁନ୍ଦର ଶୋଭାଯାତ୍ରାରେ ବରଯାତ୍ରୀ ବାହାରିଥିଲେ। ବାଜା ବଜାଇ ବରଯାତ୍ରୀ ୟୁନିଟ୍‌-୩ ଶ୍ରୀରାମ ମନ୍ଦିର ଅଭିମୁଖେ ବାହାରିଥିଲା। ସେଠାରେ କନ୍ୟାପକ୍ଷରୁ ବର ଓ ବରଯାତ୍ରୀଙ୍କୁ ପାଛୋଟି ନିଆଯାଇଥିଲା। ତା’ପ‌ରେ ପାରମ୍ପରିକ ରୀତିରେ ପଡ଼ିଥିଲା ହାତଗଣ୍ଠି। ଏକାଥରକେ ୨୫ ବରକନିଆଙ୍କ ହାତଗଣ୍ଠି ପଡ଼ିଥିଲା। ‘ପ୍ରୟାସ’ ଗ୍ରୁପ୍ ଦ୍ବାରା ଆୟୋଜିତ ଏହି ୭ମ ସାମୁହିକ ବିବାହ ମହୋତ୍ସବରେ ଆଜି ରାମ ମନ୍ଦିର ପରିସର ଉତ୍ସବ ମୁଖର ହୋଇଉଠିଥିଲା।

ସୂଚନାଯୋଗ୍ୟ ଏହି ସାମୂହିକ ବିବାହ ପାଇଁ ପୂର୍ବରୁ ଉଭୟ ବର ଓ କନିଆ ‘ପ୍ରୟାସ’ରେ ଆବେଦନ କରିଥିଲେ। ଆଜି ସେମାନଙ୍କ ପରିବାର ଉପସ୍ଥିତିରେ ଏହି ଗଣବିବାହ ସମ୍ପନ୍ନ କରାଯାଇଥିଲା। ଏହି ବିବାହକୁ ଆଇନସିଦ୍ଧ କରିବା ପାଇଁ ରେଜିଷ୍ଟ୍ରିଭୁକ୍ତ କରାଯାଇଥିଲା। ବିବାହ ପରେ ପରେ ବର ଓ ନବବଧୂଙ୍କ ସାଧାରଣ ଚଳଣି ପାଇଁ ଆବଶ୍ୟକ ଜିନିଷ ପତ୍ର ସହିତ ଗୋଟିଏ ବର୍ଷର ତେଜରାତି ସାମଗ୍ରୀ ପ୍ରୟାସ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ସାମୂହିକ ବିବାହର ମୂଳ ଲକ୍ଷ୍ୟ ଉପରେ ମତ ରଖି ଶିକ୍ଷାବିତ୍ ଡଃ. ବଦ୍ରିନାଥ ପଟ୍ଟନାୟକ କହିଥିଲେ ଯେ ନବବଧୂକୁ ସଚେତନ କରାଇବା, ଯୌତୁକ ବିରୋଧରେ ସଚେତନତା ସୃଷ୍ଟି କରିବା, ଆର୍ଥିକ ଅନଗ୍ରସରମାନଙ୍କୁ ପ୍ରାଧାନ୍ୟ ଦେବା ଓ ସୁସ୍ଥ ବୁଝାମଣାପୂର୍ଣ୍ଣ ବୈବାହିକ ଜୀବନ ଗଢ଼ିବା ହେଉଛି ପ୍ରୟାସର ଉଦ୍ଦେଶ୍ୟ। ୭ ବର୍ଷ ମଧ୍ୟରେ ୨ଶହ ସାମୂହିକ ବିବାହ କାର୍ଯ୍ୟ କରାଯାଇଛି। ବିବାହ ପୂର୍ବରୁ ଅସଙ୍ଗତି ଦୂର କରିବା ସହ ବିବାହ ପରବର୍ତ୍ତୀ ହିଂସାକାଣ୍ଡ, ଅବୁଝାମଣା, ଛାଡ଼ପତ୍ର ଭଳି ଅଘଟଣକୁ ରୋକିକାବୁ ସାମୂହିକ ବିବାହ ମାଧ୍ୟମରେ ‘ପ୍ରୟାସ’ ଗ୍ରୁପ୍‌ କାମ କରୁଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସମାଜସେବୀ ନମ୍ରତା ଚଢା, ଉମାକାନ୍ତ ତାଣ୍ଡି, କମଲ ମହାନ୍ତି, ସୋନାଲି ପ୍ରିୟଦର୍ଶିନୀ, ଜୟନ୍ତ ମହାନ୍ତି, ମହାମାୟୀ ତେଜାନୀ, ଡ. ସୁରେନ୍ଦ୍ର ମହାପାତ୍ର, ରବି ସ୍ବାଇଁ, ପପୁ, ବୃନ୍ଦାବନ ପଢିହାରୀ, ପ୍ରେମ ଅଗ୍ରଵାଲ, ସୁମନ୍ତ, ମିନାକ୍ଷୀ ମହାପାତ୍ର, ଶିଶିର ମହାପାତ୍ର, ଦିଲ୍ଲୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ‘ପ୍ରୟାସ’ ଗ୍ରୁପର ଅଧ୍ୟକ୍ଷ ବନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର