ଭୁବନେଶ୍ବର: ଉଦ୍ଘାଟନକୁ ବର୍ଷେ ନ ପୂରୁଣୁ ଅବସ୍ଥା ପୂରା ସଂଗିନ୍। ସଂଜ ନଇଁଲେ ଜମୁଛି ଅସାମାଜିକଙ୍କ ଆଡ଼ା। ଆଲୋକ ବ୍ୟବସ୍ଥା ଦୀର୍ଘ ଦିନ ଧରି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଖୋଲାଖୋଲି ମଦ, ଡ୍ରଗ୍ସ କାରବାର ଚାଲୁଛି। କିନ୍ତୁ ଏସବୁକୁ ରୋକିବା ପାଇଁ କେହି ନାହାନ୍ତି। ସିକ୍ୟୁରିଟି ଗାର୍ଡ କୋଠରିରେ ତାଲା ଝୁଲୁଥିବା ବେଳେ ବାରମ୍ବାର ଅଭିଯୋଗ ପରେ ବି ସ୍ଥାନୀୟ ପୁଲିସ ଶୁଣୁନି। ଏ ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ୧୫ନଂ ୱାର୍ଡ ରେଣ୍ଟାଲ କଲୋନି ପାଣିଟାଙ୍କି ପାଖ ପ୍ରୟାସ ପାର୍କର ସ୍ଥିତି। ସକାଳ ବେଳା କିଛି ହାତଗଣତି ଲୋକଙ୍କୁ ବାଦ୍ ଦେଲେ ଏପରି ଦୁରବସ୍ଥା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ପାର୍କର ମାଟି ମାଡ଼ୁନାହାନ୍ତି।
୨୦୧୯ ସ୍ବାୟତ୍ତ ଶାସନ ଦିବସ(ଅଗଷ୍ଟ ୩୧) ଉପଲକ୍ଷେ ବିଏମ୍ସି ପକ୍ଷରୁ ଅମୃତ ଯୋଜନା ମାଧ୍ୟମରେ ରାଜଧାନୀର ବିଭିନ୍ନ ପ୍ରାନ୍ତରେ ୧୪ଟି ପାର୍କର ଉଦ୍ଘାଟନ କରାଯାଇଥିଲା। ତନ୍ମଧ୍ୟରୁ ରେଣ୍ଟାଲ୍ କଲୋନିସ୍ଥିତ ପ୍ରୟାସ ପାର୍କକୁ ଅନ୍ତର୍ଭୁକ୍ତ କରାଯାଇ ୪୪,୬୭,୫୦୯ଟଙ୍କା ଅଟକଳରେ ପୁନଃନବୀକରଣ କରାଯାଇଥିଲା। ପାର୍କର ସୌନ୍ଦର୍ଯ୍ୟୀକରଣ ପାଇଁ ଆଲୋକ, ଫୁଲଚାରା, ମୂର୍ତ୍ତି, ବସିବା ପାଇଁ ଲୁୁହା ଚୌକି, ପିଲାଙ୍କ ପାଇଁ ଖେଳ ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ଲଗା ଯାଇଥିଲା। ହେଲେ ବର୍ତ୍ତମାନ ପାର୍କର ସ୍ଥିତି ସମ୍ପୂର୍ଣ୍ଣ ବେହାଲ। ପାର୍କରେ ଲାଗିଥିବା ମୂର୍ତ୍ତି ଭାଙ୍ଗି ତଳେ ପଡ଼ିଛି। ପାର୍କରେ ଲାଗିଥିବା କେତେକ ଫୁଲଚାରା ମରି ଶୁଖି ଯାଇଥିବା ବେଳେ ଆଉ କେତେକ ଚାରାକୁ ଗୋରୁଗାଈ ଖାଇ ଦେଇଛନ୍ତି। ସ୍ଥାନେ ସ୍ଥାନେ ପାଚେରିରେ ଲାଗିଥିବା ଗ୍ରିଲ୍ ଭାଙ୍ଗିଯାଇଛି। ପାର୍କ ପରିସରରେ ଅଳିଆ ଆବର୍ଜନା ଓ ଭଙ୍ଗା ମଦ ବୋତଲ ପଡ଼ିଛି। ସନ୍ଧ୍ୟା ହେଲେ ପାର୍କରେ ଲାଇଟ୍ ମଧ୍ୟ ଜଳୁନାହିଁ। ପାର୍କର ରକ୍ଷଣାବେକ୍ଷଣ ଅଭାବରୁ ସେଠାରେ ଥିବା ଖେଳ ଉପକରଣଗୁଡ଼ିକ ମଧ୍ୟ ଭାଙ୍ଗି ତଳେ ପଡ଼ିଛି। ଏନେଇ ସ୍ଥାନୀୟ ଅଞ୍ଚଳର ପୂର୍ବତନ କର୍ପୋରେଟର୍ ସମୀର ପ୍ରଧାନଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ପାର୍କରେ କିଛି ସ୍ଥାନୀୟ ବସ୍ତି ଯୁବକ ଓ ଆଉ କିଛି ବାହାର ଯୁବକ ବିଶୃଙ୍ଖଳା କରିବା ସହ ଏହାର ସୌନ୍ଦର୍ଯ୍ୟ ନଷ୍ଟ କରୁଛନ୍ତି। ପାର୍କ ପରିସରରେ ନିଶାଦ୍ରବ୍ୟ ସେବନ କରିବା ସହିତ ବିଭିନ୍ନ ଅସାମାଜିକ କାର୍ଯ୍ୟ ଚାଲୁଛି। ଏନେଇ ନୟାପଲ୍ଲୀ ଥାନାକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ପାର୍କରେ ଥିବା ବିଭିନ୍ନ ଉପକରଣ ଚୋରି ହେଉଛି। ଏ ନେଇ ବିଏମ୍ସି ସହାୟତାରେ ପୁଲିସ୍ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି।
ଏମାନେ ଯାହା କୁହନ୍ତି...
ବିଭିନ୍ନ ମାଦକ ଦ୍ରବ୍ୟ ସେବନ କରି ପାର୍କରେ ଭଙ୍ଗା କାଚ ବୋତଲ ପକାଉଛନ୍ତି। ପାର୍କରେ ଥିବା ସମସ୍ତ ଗଛ ନଷ୍ଟ କରୁଛନ୍ତି। ପାର୍କକୁ ଚାଲିବା ପାଇଁ ଯିବାକୁ ଡର ଲାଗୁଛି। ଛୋଟ ପିଲାଙ୍କୁ ଖେଳିବାକୁ ମଧ୍ୟ ଛାଡ଼ୁନାହୁଁ।
-ସରୋଜିନୀ ବାରିକ
ପାର୍କରେ ଥିବା ମୂଲ୍ୟବାନ ଗଛ ଓ ମୂର୍ତ୍ତି ଗୁଡ଼ିକୁ ନଷ୍ଟ କରୁଛନ୍ତି। ଗେଟ୍ ତାଲା ଭାଙ୍ଗି ପାର୍କର ପରିବେଶ ନଷ୍ଟ କରିବା ସହିତ ପାର୍କ ଉପକରଣ ଚୋରି କରି ବିକ୍ରି କରୁଛନ୍ତି। ସୁରକ୍ଷାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇନାହିଁ। ପୁଲିସ୍କୁ ବାରମ୍ବାର କୁହାଗଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି। ବିଶେଷତଃ ସନ୍ଧ୍ୟାବେଳେ କିଛି ଯୁବକ ଉତ୍ପାତ କରୁଥିବାରୁ ଏଠାକୁ ଚାଲିବାକୁ ଯାଇପାରୁନାହୁଁ।
-ରାଜଲକ୍ଷ୍ମୀ ବେହେରା