ପ୍ରୟାସ ପକ୍ଷରୁ ଚତୁର୍ଥ ସାମୂହିକ ବିବାହ ଉତ୍ସବ

ଭୁବନେଶ୍ୱର: ସାଧାରଣତଃ ଦେଖାଯାଏ ବର ଓ ବଧୂଙ୍କ ବିବାହ ପରିବାର ଲୋକଙ୍କ ଦ୍ୱାରା କରାଯାଇଥାଏ। କିନ୍ତୁ ଆଜି ବି ସମାଜରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଅର୍ଥ ଅଭାବ ହେଉକି ପରିବାରର ଅନିଚ୍ଛା କାରଣରୁ ବିବାହ କରିପାରୁନାହାନ୍ତି। ଏଭଳି ଯୋଡ଼ିମାନଙ୍କର ବିବାହ ବଡ଼ ଧୁମ୍‌ଧାମରେ କରିବା ପାଇଁ ସ୍ୱଚ୍ଛାସେବୀ ସଂସ୍ଥା ‘ପ୍ରୟାସ’ ସବୁବେଳେ ଚେଷ୍ଟା କରିଆସୁଛି । ଆଜି ପ୍ରୟାସ ପକ୍ଷରୁ ଏହିପରି ‘ସାମୂହିକ ବିବାହ’ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୫ଜଣ ଯୋଡ଼ିଙ୍କ ବିବାହ କରାଯାଇଥିଲା। ଏହି ଯୋଡ଼ିମାନଙ୍କ ମେହେନ୍ଦି ଓ ସଙ୍ଗୀତ କାର୍ଯ୍ୟକ୍ରମ ଶନିବାର ହୋଇଥିଲା। ବିବାହ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ କରାଯାଇଥିଲା। ବିବାହ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀକୁ ଆୟୋଜକ ସଂସ୍ଥା ଯୋଗାଇ ଦେଇଥିଲା। ଏହି ସାମୂହିକ ବିବାହ ମାଧ୍ୟମରେ ବିବାହ ପରବର୍ତ୍ତୀ ହିଂସାକରଣ, ଛାଡ଼ପତ୍ର, ଶାରୀରିକ ଏବଂ ମାନସିକ କ୍ଳେଶ ହ୍ରାସ କରିବାକୁ ପ୍ରଚେଷ୍ଟା କରାଯାଉଛି। ଆଗ୍ରହୀ ଓ ଆବେଦନ କରିଥିବା ବରବଧୂ ସେମାନଙ୍କ ପରିବାର ଉପସ୍ଥିତିରେ ବିବାହ କରାଯିବା ସହ ଆଇନ ଅନୁଯାୟୀ ପଞ୍ଜୀକୃତ କରାଯାଇଥିଲା। ଏହି ମାଙ୍ଗଳିକ ଉତ୍ସବରେ ଆର୍ଯ୍ୟ ସମାଜର ମୁଖ୍ୟ ଆର୍ଯ୍ୟ ଜ୍ଞାନେନ୍ଦ୍ର, ସମାଜସେବୀ ବଦ୍ରିନାଥ ପଟ୍ଟନାୟକ, ଜୟନ୍ତ ମହାନ୍ତି, ସୁରେନ୍ଦ୍ର ଦାସ, ସଂଜୟ ପଣ୍ଡା, ଡ.ବିମଳେନ୍ଦୁ ମହାନ୍ତି, ଜୟଶ୍ରୀ ମହାପାତ୍ର, ନମ୍ରତା ଚଢ଼ା, ରବୀନ୍ଦ୍ର କୁମାର ସ୍ୱାଇଁ, ବିଜୟ କକତ, ପ୍ରଦୀପ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଗତ ଚାରିବର୍ଷ ଧରି ଅନୁଷ୍ଠିତ ହେଉଥିବା ଏହି ସାମୂହିକ ବିବାହରେ ଅନେକ ଲୋକ ସହଯୋଗର ହାତ ବଢ଼ାଇ ଆସୁଛନ୍ତି ବୋଲି ପ୍ରୟସର ଅଧ୍ୟକ୍ଷ ବନ ମହାନ୍ତି ଜଣାଇଥିଲେ।

ସମ୍ବନ୍ଧିତ ଖବର