ଜଗା-ବଳିଆଙ୍କ ଆରୋଗ୍ୟ କାମନା

ଗୋଖିବାବାଙ୍କ ନିକଟରେ ସମୂହ ଦୀପଦାନ

ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ଏମ୍‌ସ୍‌ରେ ଚିକିତ୍ସିତ ହେଉଥିବା ଜମା-ବଳିଆଙ୍କ ଆରୋଗ୍ୟ କମାନା କରି ସୁନ୍ଦରପଦାସ୍ଥିତ ଗୋଖିବାବାଙ୍କ ନିକଟରେ ଆଜି ସମୂହ ଦୀପଦାନ କରାଯାଇଛି। ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ ବାସିନ୍ଦା, ଯୁବକ, ଯୁବତୀମାନେ ଯୋଗ ଦେଇ ସମୂହ ପ୍ରାର୍ଥନା ଓ ଦୀପ ଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ଦେବାଶିଷ ନାୟକ, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ ଶାନ୍ତି, ସ୍ଥାନୀୟ କର୍ପୋରେଟର୍‌ ଦେବୀପ୍ରସାଦ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

ଆଇଆର୍‌ସି ଭିଲେଜ ବରିଷ୍ଠ ନାଗରିକଙ୍କ ଦୀପ ଦାନ

ଭୁବନେଶ୍ୱର : ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଦୁଇ ଭାଇ ଜଗା-ବଳିଆଙ୍କ ଆରୋଗ୍ୟ କାମନା କରି ସ୍ଥାନୀୟ ଆଇଆର୍‌ସି ଭିଲେଜ ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ଏକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲୋନିସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କର୍ପୋରେଟର ମାନସୀ ରାଣୀ ସୁନ୍ଦରରାୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ମନ୍ଦିର କମିଟି ସଭାପତି ବିଚିତ୍ରାନନ୍ଦ ଦାସ, ସମ୍ପାଦକ ଅଶୋକ ମଲ୍ଲିକ, ଆଇଆର୍‌ସି ଭିଲେଜ ଲେଡିଜ୍‌ ସୋସିଏସନର ସଭାପତି ସଚ୍ଚିରାଣୀ ସରାଫ୍‌ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ମହିଳା ସଂଗଠନ, ବସ୍ତି ସମୁଦାୟ ଓ ଯୁବ ସଂଗଠକମାନେ ଯୋଗଦେଇ ଦୀପଦାନ କରିବା ସହିତ ଦୁଇ ଭାଇଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।

ବିଶ୍ୱ ଶାନ୍ତି ପାଇଁ ତ୍ରିନାଥ ମନ୍ଦିରରେ ଦୀପ ଆରାଧନା

ଭୁବନେଶ୍ୱର : ପବିତ୍ର କାର୍ତିକ ମାସ ପଞ୍ଚୁକ ଅବସରରେ ବିଶ୍ୱ ଶାନ୍ତି ଏବଂ ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଆରୋଗ୍ୟ କାମନା କରି ଏକ ଦୀପ ଦାନ କାର୍ଯ୍ୟକ୍ରମ ସୂର୍ଯ୍ୟନଗର ସ୍ଥିତ ତ୍ରିନାଥ ଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାଇ ଗାୟତ୍ରୀ ମହିଳା ସମିତି, ଗଙ୍ଗ ନଗର ପଲ୍ଲୀ ଓ ତ୍ରିନାଥ ଜୀଉ ମନ୍ଦିର କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ ସପ୍ତମ ବର୍ଷରେ ପଦାର୍ପଣ କରିଛି। ଆଜି ମନ୍ଦିର ପରିସରରେ ପନ୍ଦର ଶହ ଏକ ଦୀପ ଦାନ କରାଯାଇଥିଲା। ମହିଳା ସମିତି ସଭାପତି କେ. ଭାନୁ, ସମ୍ପାଦିକା ପ୍ରମିଳା ମହାକୁଡ଼, ଗଙ୍ଗନଗର ପଲ୍ଲୀ ସମ୍ପାଦକ ବିରଞ୍ଚି ନାରାୟଣ ଭଞ୍ଜଦେଓ ଓ ମନ୍ଦିର କମିଟି କର୍ମକର୍ତା ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର