ଖଣ୍ଡଗିରି: ଆଜି ପୁଣି ପଞ୍ଚସଖାନଗରରେ ୱାଟ୍‌କୋ ବରିଷ୍ଠ ଅଧିକାରୀମାନଙ୍କୁ ଅପଦସ୍ତ ହେବାକୁ ପଡ଼ିଛି। ଦେଢ଼ ବର୍ଷ ହେଲା ରାସ୍ତା ସମସ୍ୟାରେ ଘାଣ୍ଟି ହେଉଥିବା ପଞ୍ଚସଖାନଗରବାସୀ ଆଜି ୱାଟ୍‌କୋର ମୁଖ୍ୟ ପରିଚାଳନା ଅଧିକାରୀ ଓ ମହାପ୍ରବନ୍ଧକଙ୍କୁ କଲୋନିରେ ଜମି ରହିଥିବା ମଇଳା ପାଣିରେ ଚଲେଇ ଚଲେଇ ସମସ୍ୟା ଦେଖାଇବା ସହ ସମ‌ାଧାନ କେବେ ହେବ ବୋଲି ପ୍ରଶ୍ନ କରିଛନ୍ତି। ଗତ ଦୁଇ ଦିନ ପୂର୍ବେ ମହାପ୍ରବନ୍ଧକଙ୍କୁ ଉତ୍ତ୍ୟକ୍ତ ଲୋକେ ଘେରି ପ୍ରଶ୍ନବାଣରେ ଘାଇଲା କରିଥିବା ବେଳେ ଆଜି ମୁଖ୍ୟ ପରିଚାଳନା ଅଧିକାରୀଙ୍କୁ ଚଲେଇ ଚଲେଇ ସମସ୍ୟା ଦେଖାଇବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଆଜି ପୂର୍ବାହ୍ନରେ ପଞ୍ଚସଖାନଗର ମହିଳା ସଂଗଠନ ଓ କଲୋନି ବ‌ାସିନ୍ଦାମାନେ ୱାଟ୍‌କୋର ମୁଖ୍ୟ ପରିଚାଳନା ଅଧିକାରୀ ଓ ଜିଏମ୍‌ଙ୍କୁ ସମସ୍ୟା ସମ୍ପର୍କରେ କହିବାକୁ ଡାକିଥିଲେ। ମୁଖ୍ୟ ପରିଚାଳନା ଅଧିକାରୀ ଶରତ ମିଶ୍ର ଓ ଜିଏମ୍‌ ଶିବାନୀ ସାହୁଙ୍କ ସମେତ ଆଉ କିଛି ଅଧିକାରୀ ପଞ୍ଚସଖାନଗରରେ ପହଞ୍ଚିବା ପରେ ସେମାନେ ଘେରି ଯାଇଥିଲେ। ‘ଆମେ କେମିତି ମଇଳା ପାଣିରେ ଘରୁ ଗୋଡ଼ କାଢ଼ୁଛୁ, ଆପଣ ନିଜେ ଆସି ଦେଖନ୍ତୁ’ କହି ସେମାନେ ଅଧିକାରୀମାନଙ୍କୁ ମଇଳା ପାଣିରେ ଚଲେଇ ଚଲେଇ ନେଇଥିଲେ। ଅଧିକାରୀମାନେ ସବୁ ଶୁଣିବା ଓ ଦେଖିବା ପରେ ୨୮ ଦିନ ଭିତରେ କାମ ସାରିବାକୁ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେବା ସହ ବିକଳ୍ପ ରାସ୍ତ‌ା ପାଇଁ ବ୍ୟବସ୍ଥା କରିବେ କହି ଫେରି ଯାଇଛନ୍ତି। ତେବେ ଏଭଳି ଉତ୍ତରରେ ଲୋକେ ସନ୍ତୁଷ୍ଟ ହୋଇପାରି ନାହାନ୍ତି।

ଆସନ୍ତାକାଲି ଆହୁରି ବଡ଼ ଆକାରରେ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ପଞ୍ଚସଖାନଗରବାସୀଙ୍କ ଅଭିଯୋଗ ଯେ ଦେଢ଼ ବର୍ଷ ହେଲା ସ୍ବେରେଜ୍ କାମ ଚାଲୁଛି ଯେ ସରିବା ନାଁ ଧରୁନି। ଗତ କିଛି ଦିନ ହେବ ଆଇଟିଇଆର୍‌ କଲେଜ ଗେଟ୍‌ ପାଖରୁ ମୁଖ୍ୟ ରାସ୍ତା ଓ ଏହାର ସଂଲଗ୍ନ ରାସ୍ତାକୁ ବନ୍ଦ କରି ରାସ୍ତା ଖୋଳାଯାଇଛି। ଫଳରେ ବହୁ ଲୋକଙ୍କ ଘର ଆଗରେ ମଇଳା ପାଣି ଜମିରହିଛି। ଲୋକେ ଗୃହବନ୍ଦୀ ହୋଇ ରହିଛନ୍ତି। ୫ ଦିନ ହେଲା କଲୋନିକୁ ସ୍କୁଲ୍ ଭ୍ୟାନ୍‌ ଆସିପାରୁ ନାହିଁ। ତେଣୁ ପିଲାମାନେ ସ୍କୁଲ୍ ଯିବା ପାଇଁ ସମସ୍ୟାରେ ପଡ଼ୁଛନ୍ତି। ଆମ୍ବୁଲାନ୍‌ସ ଆସିପାରୁନଥିବାରୁ ବରିଷ୍ଠ ନାଗରିକମାନେ ହନ୍ତସନ୍ତ ହେଉଛନ୍ତି। ଲୋକଙ୍କ ଗାଡ଼ି ଥିଲେ ବି ବାହାର କରିବାକୁ ରାସ୍ତା ନାହିଁ। ଲୋକଙ୍କୁ ବିକଳ୍ପ ରାସ୍ତା ନ ଦେଇ ସବୁଆଡ଼ ଏକାଥରକେ ଖୋଳି ଦିଆଯାଉଛି। ମହିଳା ସଂଘର ଲିତୁ ପଟ୍ଟନାୟକଙ୍କ କହିବା କଥା ଘରୁ ବାହାରିଲେ କାଦୁଅ, ଗାତ ଓ ସ୍ବେରେଜ୍‌ ପାଣିରେ କଲବଲ ହେବାକୁ ପଡ଼ୁଛି। ଗନ୍ଧରେ ଘରେ ବି ରହି ହେଉନି। ତେବେ ଯାତାୟାତ ପାଇଁ ବିକଳ୍ପ ରାସ୍ତା ବ୍ୟବସ୍ଥା ନ ହେବା ଯାଏ ଆନ୍ଦୋଳନ ଚାଲିବ ଓ କାମ ବନ୍ଦ କରାଯିବ।