ଭୁବନେଶ୍ବର: ରାଜ୍ୟ ସରକାର ପ୍ରସ୍ତୁତ କରୁଥିବା ୨୦୨୫-୨୬ ବଜେଟ୍ରେ ସ୍ବାସ୍ଥ୍ୟସେବା ବଜେଟ୍ର ଦୁଇ ତୃତୀୟାଂଶ ରାଶିକୁ ପ୍ରାଥମିକ ସ୍ବାସ୍ଥ୍ୟସେବାକୁ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ସିୱାଇଏସ୍ଡି ପରିସରରେ ଅନୁଷ୍ଠିତ ଏକ ପ୍ରାକ୍ ବଜେଟ୍ ଆଲୋଚନାରେ ଭାଗ ନେଇଥିବା ବିଶେଷଜ୍ଞମାନେ କହିଛନ୍ତି ଯେ ୨୦୨୩-୨୪ରେ ସ୍ବାସ୍ଥ୍ୟ ବଜେଟ୍ ୨୦,୮୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। କିନ୍ତୁ ପ୍ରାଥମିକ ସ୍ବାସ୍ଥ୍ୟକୁ ବ୍ୟୟବରାଦ ୫୦ ପ୍ରତିଶତ ହ୍ରାସ ପାଇଛି। ତେଣୁ ଏହି କ୍ଷେତ୍ରକୁ ସ୍ବାସ୍ଥ୍ୟ ବଜେଟ୍ର ଦୁଇ ତୃତୀୟାଂଶ ପାଣ୍ଠି ଦେବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି।
ଏହି ଆଲୋଚନାରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ପୂର୍ବତନ ସଚିବ ଯୁଗଳ କିଶୋର ମହାପାତ୍ର ବଜେଟ୍ରେ ବ୍ୟୟବରାଦ ହେଉଥିବା ଅର୍ଥ ଖର୍ଚ୍ଚ ହୋଇପାରୁନଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ। ଏଥିରେ ପାରଦର୍ଶିତା ଆଣିବା ଲାଗି ପ୍ରକଳ୍ପଗୁଡ଼ିକର ବିବରଣୀକୁ ସାର୍ବଜନୀନ ପୋର୍ଟାଲ୍ରେ ଅପ୍ଲୋଡ୍ କରିବାକୁ ସେ ଆହ୍ବାନ ଦେଇଛନ୍ତି। ତାହା ହେଲେ ପ୍ରକଳ୍ପକୁ ନିର୍ଧାରିତ ସମୟ ଭିତରେ ଶେଷ କରିବା ସହ ପାଣ୍ଠିକୁ ସମ୍ପୂର୍ଣ୍ଣ ଖର୍ଚ୍ଚ କରିବା ଲାଗି ଚାପ ରହିବ ବୋଲି ସେ କହିଛନ୍ତି।
ରାଜ୍ୟରେ ଅଣସଂକ୍ରାମକ ରୋଗର ସ୍କ୍ରିନିଂ ଓ ଆଗୁଆ ଚିହ୍ନଟ ଲାଗି ଅତିରିକ୍ତ ତାଲିମପ୍ରାପ୍ତ ପାରାମେଡିକ୍ ପାଇଁ ବଜେଟ୍ରେ ବ୍ୟବସ୍ଥା କରିବା, ପୁଷ୍ଟି ସାଧନ କାର୍ଯ୍ୟକ୍ରମରେ ପାଣ୍ଠି ଉପଯୋଗିତା ବଢ଼ାଇବା, ଅଙ୍ଗନବାଡ଼ି ଭିତ୍ତିଭୂମିରେ ଉନ୍ନତି ଆଣିବା, ଶିକ୍ଷା ବଜେଟ୍ ବଢ଼ାଇବା, ଶିକ୍ଷକ ଅଭାବ ଦୂର କରିବା, ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ସୁଦୃଢ଼ କରିବା, ବରିଷ୍ଠ ନାଗରିକ, ବିଧବା ଓ ଦୁଃସ୍ଥ ଲୋକଙ୍କ ପାଇଁ ସାମାଜିକ ସୁରକ୍ଷାର ବ୍ୟବସ୍ଥା କରିବା, କୃଷି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରକୁ ବଜେଟ୍ରେ ଗୁରୁତ୍ବ ଦେବାକୁ ପ୍ରସ୍ତାବ ଦିଆଯାଇଛି। ଏହି ଆଲୋଚନାରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ପଦ୍ମଜା ମିଶ୍ର, କିଟ୍ ବିଶ୍ବବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଡ. ସୁକାନ୍ତ ଚନ୍ଦ୍ର ସ୍ବାଇଁ, ସିୱାଇଏସ୍ଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦ ଯୋଗଦେଇଥିଲେ। ଅର୍ଥନୀତିଜ୍ଞ ତଥା ସ୍ତମ୍ଭକାର ଡ. ପ୍ରଭାସ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।