ଭୁବନେଶ୍ବର: ରାତି ଅଧରେ ଲକ୍ଷ୍ମୀସାଗର ଅଞ୍ଚଳରେ ବୁଲିଲା ଖଣ୍ଡା, ଭୁଜାଲି, ଠେଙ୍ଗା। ସ୍ଥାନୀୟ ଅଞ୍ଚଳ ଅଶାନ୍ତ ହୋଇଉଠିଲା। ସବୁଠୁ ବଡ଼କଥା ହେଲା ଯେ, ଥାନା ସମ୍ମୁଖରେ ଏହି ଘଟଣା ଘଟିଥିଲା। ଏହି ଗୋଷ୍ଠୀ ସଂଘର୍ଷରେ ୧୦ରୁ ଊର୍ଧ୍ବ ଆହତ ହୋଇଛନ୍ତି। ବିଜେଡି କର୍ପୋରେଟର ପ୍ରାର୍ଥୀ ଶ୍ରୀଧର ଜେନା, ଶିଖର ଜେନା, ଦୀପକ ଜେନା, ଆଲୋକ ଜେନା, ହରପ୍ରସାଦ ଜେନାଙ୍କ ସମତେ ଅନ୍ୟ ସମର୍ଥକମାନେ ଆହତ ହୋଇଥିବା ବେଳେ ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ସ୍ବାମୀ ଉମାକାନ୍ତ ଜେନା, ନିବାସ ଜେନା, ସୁରେଶ ଜେନା ଏବଂ ପ୍ରକାଶ ଜେନାଙ୍କ ସମେତ କେତେକ ସମର୍ଥକ ଆହତ ହୋଇଛନ୍ତି।
ଉଭୟ ପକ୍ଷରୁ ୧୦ରୁ ଊର୍ଧ୍ବ ଆହତ
୨ପ୍ଲାଟୁନ୍ ଫୋର୍ସ ମୁତୟନ, ଫ୍ଲାଗ୍ ମାର୍ଚ୍ଚ
ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇଛି। ଅନ୍ୟପଟେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଥିବା ଉତ୍ତେଜନାକୁ ନଜରରେ ରଖି ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁଲିସ ଏହି ୱାର୍ଡରେ ଫ୍ଲାର୍ଗ ମାର୍ଚ୍ଚ କରିଛି।
ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଶୁକ୍ରବାର ରାତିରେ ବିଜେପିର କିଛି ସମର୍ଥକ ହଳଦୀପଡ଼ିଆ ବସ୍ତିକୁ ଆସି ଧମକଚମକ ଦେଇଥିଲେ। ସେମାନକୁ ସମର୍ଥନ ଦେବା ପାଇଁ ବାଧ୍ୟ କରିଥିଲେ। ସମର୍ଥନ ନଦେଲେ ଭୟଙ୍କର ସ୍ଥିତି ହେବ। ଏମିତିକି ହତ୍ୟା ଧମକ ଦେଇଥିଲେ। ପ୍ରତିବାଦ କରିବାରୁ ସେମାନଙ୍କୁ ମାଡ଼ପିଟ କରିବା ସହ ମହିଳାଙ୍କ ଲୁଗାପଟା ଟଣା ଓଟରା କରିଥିଲେ।
/sambad/media/post_attachments/wp-content/uploads/2022/03/42-4-300x191.jpg)
ଏନେଇ ସେମାନେ ଥାନାରେ ଅଭିଯୋଗ ପାଇଁ ଆସୁଥିବା ବେଳେ ଥାନା ସମ୍ମୁଖରେ ବିଜେପି ସମର୍ଥକମାନେ ସେମାନଙ୍କୁ ଖଣ୍ଡା, ଭୁଜାଲି, ଠେଙ୍ଗାରେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ।
ଅନ୍ୟପଟେ ବିଜେପି ସମର୍ଥକ ଅଭିଯୋଗ କରିଛନ୍ତି ଯେ ଗତ ଦୁଇ ଦିନ ତଳେ ହଳଦୀପଡ଼ିଆ ବସ୍ତିର କିଛିଲୋକ ସେମାନଙ୍କ ପୋଷ୍ଟରକୁ ଚିରିଥିଲେ। ଯାହାକୁ ନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ପୁର୍ନବାର ଶୁକ୍ରବାର ରାତିରେ କିଛିଲୋକ ସେମାନଙ୍କ ପୋଷ୍ଟରକୁ ଚିରୁଥିବା ଖବର ପାଇଥିଲେ।
ରାତି ପାଖାପାଖି ସାଢ଼େ ୧ଟା ସମୟରେ ସେମାନେ ଅଭିଯୋଗ ପାଇଁ ଥାନାକୁ ଆସୁଥିବା ବେଳେ ବିଜେଡିର ସମର୍ଥକମାନେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ ଉଭୟ ପକ୍ଷରୁ ୩ଟି ଅଭିଯୋଗ ପରେ ପୁଲିସ ୩ଟି ପୃଥକ ପୃଥକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପଟେ ଆଜି ସକାଳ ସମୟରେ ଡିସିପି ଉମାଶଙ୍କର ଦାଶ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କାର୍ଯ୍ୟାନୁଷ୍ଠାନ ନନେଲେ ସିପି ଅଫିସ୍ ଘେରିବୁ: ବିଜେପି
/sambad/media/post_attachments/wp-content/uploads/2022/03/44-5-300x170.jpg)
ଶୁକ୍ରବାର ରାତିରେ ବିଜେଡି ସମର୍ଥକଙ୍କ ଦ୍ବାରା ବିଜେପି କର୍ମୀଙ୍କୁ ହୋଇଥିବା ଆକ୍ରମଣ ଘଟଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ ଜରିଆରେ ତୀବ୍ର ନିନ୍ଦା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେଡି ଉପରେ ବର୍ଷିଥିଲେ। ସେ କହିଥିଲେ, ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ପରେ ବିଜେଡିର ଅହଂକାର ବଢ଼ିଯାଇଛି। ଯାହା ଲକ୍ଷ୍ମୀସାଗର ଅଞ୍ଚଳରେ ଦେଖିବାକୁ ମିଳିଛି।
ଏହା ବିଜେଡିର ହୀନ ରାଜନୀତିକୁ ପଦାରେ ପକାଇଛି। ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ନେଲେ ପୁଲିସ କମିସନରଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି। ଉଭୟ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି।
ବିଜେପିର ଆକ୍ରମଣ ନିନ୍ଦନୀୟ: ବିଜେଡି
/sambad/media/post_attachments/wp-content/uploads/2022/03/45-5-300x201.jpg)
ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପି ନେତା ଓ କର୍ମୀଙ୍କ ଦ୍ବାରା ହୋଇଥିବା ନୃଶଂସ ଆକ୍ରମଣକୁ ବିଜେଡି ଦୃଢ଼ ନିନ୍ଦା କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ ବିଜେପିର ଏଭଳି ଆକ୍ରମଣକୁ ନିନ୍ଦା କରି କହିଥିଲେ ଯେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ନିର୍ବାଚନ ଜିତିବା ପାଇଁ ହିଂସାର ପନ୍ଥାକୁ ଗ୍ରହଣ କରୁଥିବା ଲୋକଙ୍କୁ ଓଡ଼ିଶାବାସୀ ନିଶ୍ଚିତ ଭାବେ ପ୍ରତ୍ୟାଖ୍ୟାନ କରିବେ।
ସମ୍ବେଦନଶୀଳ ୱାର୍ଡ ପାଇଁ କେବେ ଚେତା ପଶିବ?
ପ୍ରାକ୍ ନିର୍ବାଚନୀ ହିଂସା ଘଟୁଥିବା ୱାର୍ଡଗୁଡ଼ିକୁ ପୁଲିସ ସମ୍ବେଦନଶୀଳ ୱାର୍ଡ ଭାବରେ ଚିହ୍ନଟ କରିଛି। ଯେଉଁଠି ହିଂସାକାଣ୍ଡ ଘଟିବାର ଆଶଙ୍କା ରହିଛି ସେଥିରୁ ଲକ୍ଷ୍ମୀସାଗର ଅଞ୍ଚଳ ଅନ୍ୟତମ। ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ଅନେକ ହିଂସାକାଣ୍ଡ ଘଟିଥିବା ନଜିର ରହିଛି। ତେଣୁ ଏଭଳି ସମ୍ବେଦନଶୀଳ ୱାର୍ଡଗୁଡ଼ିକରେ ପୁଲିସ ମୁତୟନ ରହିବା କଥା। ପୂର୍ବରୁ ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲେ ବି ପୁଲିସ ହାଲୁକା ଭାବେ ନେଇଥିଲା। ଫଳସ୍ବରୁପ ଶୁକ୍ରବାର ରାତିରେ ଏହା ଉଗ୍ରରୂପ ନେଲା। ଯାହାକି ପୁଲିସ ଅବହେଳାକୁ ପଦାରେ ପକାଇଛି।
ଯଦି ପୁଲିସ ପକ୍ଷରୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନିଆଯାଇଥା’ନ୍ତା, ହୁଏତ ଏଭଳି ସଂଘର୍ଷ ଘଟିନଥାନ୍ତା। ତେବେ କେବଳ ଏହି ଦୁଇଟି ୱାର୍ଡ ନୁହେଁ, ଆଗକୁ ମଧ୍ୟ ଏଭଳି ହିଂସାକାଣ୍ଡ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି। ସମ୍ବେଦନଶୀଳ ୱାର୍ଡ ପାଇଁ କମିସନରେଟ୍ ପୁଲିସର କେବେ ଚେତା ପଶିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ଆମେ ସମସ୍ତ ୱାର୍ଡ ଉପରେ ନଜର ରଖିଛୁ।
୪୫ନଂ. ଓ୍ୱାର୍ଡରେ ବି ରାଜନୈତିକ ହିଂସା
/sambad/media/post_attachments/wp-content/uploads/2022/03/୪୬-300x225.jpg)
ଶୁକ୍ରବାର ବିଳମ୍ବିତ ରାତିରେ ୪୫ ନମ୍ବର ୱାର୍ଡରେ ମଧ୍ୟ ରାଜନୈତିକ ହିଂସା ଦେଖିବାକୁ ମଳିଥିଲା। ବିଜେଡି କର୍ପୋରେଟର ପ୍ରାର୍ଥୀ ଅମରେଶ ଜେନାଙ୍କ ସମର୍ଥକଙ୍କୁ ବିପକ୍ଷ ଗୋଷ୍ଠୀ ବୀଭତ୍ସ ଭାବେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା। ଆକ୍ରମଣରେ ଚିନ୍ତାମଣିଶ୍ୱର ହୁଡାସାହିର ଜିତେନ୍ଦ୍ର ଜେନା ଗୁରୁତର ଆହତ ହୋଇଛନ୍ତି।
ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତି କରାଯାଇଛି। ଗତକାଲି ରାତିରେ ସେ ପ୍ରଚାର କାମ ସାରି ଘରକୁ ଫେରୁଥିବା ବେଳେ ବିରୋଧୀ ଗୋଷ୍ଠୀ ତାଙ୍କ ମୁହଁକୁ ଲଙ୍କା ଗୁଣ୍ଡ ପକାଇଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଭୁଜାଲିରେ ଆକ୍ରମଣ କରିଥିଲେ। ଖବର ପାଇ ସମ୍ପୃକ୍ତ ପ୍ରାର୍ଥୀଙ୍କ ଶହ ଶହ ସମର୍ଥକ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ। ଯାହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଗୋଟିଏ ରାତିରେ ଦୁଇ ଦୁଇଟି ପ୍ରାକ୍ ନିର୍ବାଚନୀ ହିଂସା ପୁଲିସର ଅପାରଗତାକୁ ପଦାରେ ପକାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/41-6.jpg)