ଲକ୍ଷ୍ମୀସାଗର ପ୍ରାକ୍‌ ନିର୍ବାଚନୀ ହିଂସା ଘଟଣା: ଥାନା ଘେରିଲେ ବିଜେପି କର୍ମୀ

ଭୁବନେଶ୍ବର: ଲକ୍ଷ୍ମୀସାଗର ୱାର୍ଡ ନମ୍ବର ୩୩ରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟଣା ଥମିବାର ନାଁ ଧରୁନି। ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ଆଜି ବିଜେପି ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ଦିଅର ରାକେଶ ଜେନାକୁ ଗିରଫ ନେଇ ବିବାଦ ଦେଖାଦେଇଛି। ପ୍ରତିବାଦରେ ବିଜେପି ପକ୍ଷରୁ ସନ୍ଧ୍ୟା ସମୟରେ ଲକ୍ଷ୍ମୀସାଗର ଥାନା ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିଜେପି ପକ୍ଷରୁ କୁହାଯାଇଛି ଯେ, ହିଂସାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଉନାହିଁ। ଅଥଚ ପୁଲିସ ନିର୍ବାଚନ ପରିଚାଳନା କରୁଥିବା ଧରିତ୍ରୀ ଜେନାଙ୍କ ଦିଅର ରାକେଶଙ୍କୁ ଗିରଫ କରି ଭୋଟରଙ୍କୁ ପ୍ରଭାବିତ କରିଛି। ତାଙ୍କୁ ତୁରନ୍ତ ଛାଡ଼ିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଜେପି ଦୃଢ଼ ଦାବି କରିଛି। ରାକେଶକୁ ଛଡ଼ାନଗଲେ ଥାନା ସମ୍ମୁଖରେ ଧାରଣା ଜାରି ରହିବ। ଦରକାର ପଡ଼ିଲେ ଆଗକୁ ଆନ୍ଦୋଳନ ତୀବ୍ରରୂପ ନେବ ବୋଲି ବିଜେପି ଜିଲ୍ଲା ସଭାପତି ବାବୁ ସିଂହ ଚେତାବନୀ ଦେଇଛନ୍ତି। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ କର୍ମୀ ଥାନା ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର