ରାଜଧାନୀରେ ପ୍ରାକ୍‌-ମୌସୁମୀ ବର୍ଷା

ଭୁବନେଶ୍ବର : ଗତ ୧୬ ତାରିଖରୁ ଦକ୍ଷିଣ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହୋଇଗଲାଣି। ରାଜଧାନୀବାସୀ ‌ମୌସୁମୀ ବର୍ଷାର ସ୍ପର୍ଶ ପାଇଁ ଚାତକ ଭଳି ଚାହିଁ ରହିଥିବାର ବେଳେ ମୌସୁମୀ ଏହାର ମନ୍ଥର ଗତି ଜାରି ରଖିଛି। ଅନ୍ୟପଟେ ମୌସୁମୀ ନ ହେଲେବି, ବେଶ୍‌ କିଛି ଦିନ ଧରି ରାଜଧାନୀରେ ଜାରି ରହିଥିବା ଗରମ ଓ ଗୁଳୁଗୁଳିରୁ ପ୍ରାକ୍‌-ମୌସୁମୀ ବର୍ଷା ଉପଶମ ଦେଇଛି। ୧୭ ତାରିଖରୁ ରାଜଧାନୀରେ ଆରମ୍ଭ ହୋଇଥିବା ପ୍ରାକ୍‌-ମୌସୁମୀ ବର୍ଷା ଯୋଗୁଁ ରାଜଧାନୀର ତାପମାତ୍ରା କମିଛି। ପରିବେଶ ଥଣ୍ଡା ରହିଛି। ଗୁଳୁଗୁଳି ମଧ୍ୟ ବହୁତ କମିଛି।

ଗତ ୩ ଦିନ ହେଲା ରାଜଧାନୀରେ ପାଗ ଆଂଶିକ ମେଘୁଆ ରହିଥିବା ବେଳେ ରବିବାର ସକାଳୁ ମଧ୍ୟ ପାଗ ମେଘୁଆ ରହିଥିଲା। ଅପରାହ୍ନ ୨ଟାରୁ ରାଜଧାନୀକୁ ଢାଙ୍କି ଦେଇଥିଲା କଳାହାଣ୍ଡିଆ ମେଘ। ପବନ ସହ ପ୍ରାୟ ୨ ଘଣ୍ଟା ଭିଜିଥିଲା ରାଜଧାନୀ। ଏହା ପ୍ରାକ୍‌-ମୌସୁମୀ ବର୍ଷା ହୋଇଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମଧ୍ୟ ରାଜଧାନୀରେ ପ୍ରାକ୍‌-ମୌସୁମୀ ବର୍ଷା ଜାରି ରହିଛି। ଏହି ବର୍ଷା ହିଁ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ରାଜଧାନୀ ଆଡ଼କୁ ବାଟ କ‌ଡ଼େଇ ଆଣିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ଆସନ୍ତାକାଲି ମଧ୍ୟ ରାଜଧାନୀର ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି। ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ମଧ୍ୟରେ ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର