ରାଜଧାନୀରେ ପ୍ରାକ୍‌ ମୌସୁମୀ ବର୍ଷା: ଅଧଘଣ୍ଟାରେ ୩୦ମିମି ବର୍ଷା, ୫୦କିମି ବେଗରେ ପବନ ବହିଲା

ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ମୁଖ୍ୟ କବାଟ ବଙ୍କିଲା

ଭୁବନେଶ୍ବର: ଆଉ ତିନିରୁ ୪ଦିନ ଭିତରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଭୁବନେଶ୍ବର ଛୁଇଁବା ପୂର୍ବରୁ ଆଜି ପ୍ରାକ୍‌ ମୌସୁମୀ ବର୍ଷା ଅଧା ରାଜଧାନୀକୁ ଭିଜାଇ ଦେଇଛି। ପ୍ରାୟ ଅଧଘଣ୍ଟା କାଳ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ହଠାତ୍‌ ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିବାରୁ ରାଜଧାନୀରେ ଆଜି ବାତ୍ୟାର ଭୟ ସୃଷ୍ଟି ହୋଇଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଜି ରାଜଧାନୀରେ ୨୯.୬ମିମି ବର୍ଷା ହୋଇଛି। ଆଜି ସକାଳୁ ରାଜଧାନୀର ପାଗ ଶୁଖିଲା ଥିଲା। ପ୍ରବଳ ଖରାକୁ ଗୁଳୁଗୁଳି ହେଉଥିଲା। ଲୋକ ଠିଆ ଠିଆରେ ଓଦା ହୋଇଯାଉଥିଲେ। ଆଜି ରାଜଧାନୀ‌ରେ ୩୮.୨ଡିଗ୍ରି ତାତି ରେକର୍ଡ ହୋଇଥିଲେ ହେଁ ରାଜଧାନୀବାସୀ ୪୨ରୁ ୪୩ଡିଗ୍ରି ତାତି ଅନୁଭବ କରିଥିଲେ। ସକାଳୁ ସିଝୁଥିବା ରାଜଧାନୀର ପାଣିପାଗ ଅପରାହ୍ନ ୧ଟା ୩୦ ପରେ ହଠାତ୍ ବଦଳି ଯାଇଥିଲା। ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ବରକୋଳିଆ ଟୋପା ଅଜାଡ଼ି ହୋଇପଡ଼ିଥିଲା।

ଏତେ ଜୋରରେ ବର୍ଷା, ପବନ ହୋଇଥିଲା ଯେ ଲୋକଙ୍କୁ ବାତ୍ୟା ହେଲା ଭଳି ଲାଗିଥିଲା। ବହୁ ସ୍ଥାନରେ ଡ୍ରେନ୍‌ ସଫା ହୋଇଥିବାରୁ ଜଳ ନିଷ୍କାସନ ସମସ୍ୟା ହୋଇନଥିଲା। କିନ୍ତୁ ଯେଉଁଠି ଡ୍ରେନ୍‌ ସଫା ହୋଇନଥିଲା ସେଠାରେ ଡ୍ରେନ୍‌ ଭର୍ତ୍ତି ହୋଇ ପାଣି ରାସ୍ତାରେ ଚାଲିଥିଲା। ଏହାବାଦ୍ ଯେଉଁଠି ଡ୍ରେନ୍‌ରୁ କଢ଼ା ହୋଇଥିବା ପଙ୍କ ଉଠାଯାଇନଥିଲା ସେଗୁଡ଼ିକ ଧୋଇ ହୋଇ ପୁଣି ଡ୍ରେନ୍‌ରେ ମିଶିଥିଲା। ମୌସୁମୀ ମୁକାବିଲା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ କେତେ ପ୍ରସ୍ତୁତ ହୋଇଛନ୍ତି ଆଜିର ପ୍ରାକ୍ ମୌସୁମୀ ବର୍ଷା ତାହାର ଆଭାସ୍‌ ଦେଇଛି। ଆଜି ରାଜଧାନୀରେ ଏତେ ବର୍ଷା ପବନ ହୋଇଥିଲେ ବି ସଂଧ୍ୟା ପରେ କିନ୍ତୁ ପୁଣି ଗୁଳୁଗୁଳି ଆରମ୍ଭ ହୋଇଯାଇଥିଲା।

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ମୁଖ୍ୟ ଦୁଇ କବାଟରେ ବଡ଼ ବଡ଼ ଫାଟ ଯୋଗୁଁ ଏହା ଭୁଷୁଡ଼ି ପଡ଼ିବା ଆଶଙ୍କା ଲାଗି ରହିଛି। ତେବେ ଆଜି ପବନ ଓ ବଜ୍ରପାତରେ କବାଟ ବଙ୍କି ଯାଇଥିଲା। ଏଥିରେ ଲାଗିଥିବା କିଳିଣି ଛାଡ଼ି ଯିବାରୁ କବାଟ ନଇଁ ପଡ଼ିଥିଲା। ସେବାୟତମାନେ କବାଟକୁ ଠେକ ଦେଇ ରଖିବା ପରେ କବାଟ ଠିକଣା ଭାବେ ରହିଥିଲା।

ସମ୍ବନ୍ଧିତ ଖବର