ଆସୁଛି ରଜ, ଚାଲିଛି ସଜବାଜ: ଫନି ପାଇଁ ଫିକା ପଡ଼ିବ ଦୋଳି ଖେଳ

ଭୁବନେଶ୍ବର: କୁଆଁରି ମନରେ ପୁଲକ ଭରି ଆସୁଛି ରଜ। ଆରମ୍ଭ ହୋଇଯାଇଛି ସଜବାଜ। ଉପକଣ୍ଠରୁ ସଂଚରି ଆସିବ ରଜ ଦୋଳି ଗୀତ। ମହକିବ ପୋଡ଼ ପିଠାର ବାସ୍ନା। କୃଷିଭିତ୍ତିକ ଏହି ପର୍ବରେ ସାଙ୍ଗ ସାଥୀଙ୍କ ଗହଣରେ କଟିବ ଦିନ। ପୁଚି, ଦଉଡ଼ି ଡିଆଁ, ଲୁଡୁପାଲି, ତାସ ଖେଳଠୁ ନେଇ କବାଡ଼ି ଖେଳର ଆସର ଜମିବ। ରଜସ୍ବାଳା ଧରିତ୍ରୀମାତା(ଭୂଦେବୀ)ଙ୍କୁ ପୂଜାର୍ଚନା ସହ ବିଶ୍ରାମ ନେବେ ‌ଧରିତ୍ରୀ ମା’। ଏସବୁ ସତ୍ତ୍ବେ ଏଥର ବାତ୍ୟା ‘ଫନି’ରେ ଗଛ ଲୋଟି ପଡ଼ିଥିବାରୁ ରଜରେ ସବୁଠୁ ଆକର୍ଷଣ ସାଜୁଥିବା ଦୋଳି କୋଉଠି ବନ୍ଧାଯିବ, ସେନେଇ ଚିନ୍ତା ଘାରିଲାଣି।

ସଜେଇ ହେଉଛି ସ୍ବସ୍ତି ବନ
ବାତ୍ୟା ‘ଫନି’ରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ଭୁବନେଶ୍ବର ଉପକଣ୍ଠ କଲ୍ୟାଣପୁର ଗ୍ରାମସ୍ଥିତ ସ୍ବସ୍ତି ବନ ରଜ ମହୋତ୍ସବ ପାଇଁ ସଜେଇ ହେଉଛି। ସ୍ବସ୍ତି ବନରେ ଥିବା ପ୍ରାୟ ୪ହଜାର ଗଛରୁ ଅନେକ ବାତ୍ୟାରେ ଭାଙ୍ଗି ଯିବା ସହ ଉପୁଡ଼ି ପଡ଼ିଥିଲା। ସେ ସବୁକୁ ସଫା କରିବା ଓ ସବୁଜିମା ଫେରାଇ ଆଣିବା ପାଇଁ ଏକ ସପ୍ତାହ ହେଲା କଲ୍ୟାଣପୁର ସାଂସ୍କୃତିକ ପରିଷଦର ସଦସ୍ୟ ଓ କର୍ମକର୍ତ୍ତାମାନେ ଲାଗି ପଡ଼ିଛନ୍ତି। ସେଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଲାଗି ଚତୁର୍ଥ ବାର୍ଷିକ ରଜ ମହୋତ୍ସବ ଆୟୋଜନ କରାଯାଇଛି। ଆସନ୍ତା ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ଅନୁକୂଳ ଚନ୍ଦ୍ରଙ୍କ ଆଧ୍ୟତ୍ମିକ ପୀଠସ୍ଥଳୀ ସ୍ବସ୍ତି ବନରେ ତିନି ଦିନ ବ୍ୟାପୀ ମହୋତ୍ସବର ଆୟୋଜନ କରାଯାଇଛି। ବିଭିନ୍ନ ସ୍ଥାନରୁ ଆସି ମହିଳା ଓ ଯୁବତୀମାନେ ଏଥିରେ ଭାଗ ନେବେ। ଦୋଳି ଖେଳ, ପୁଚି, କବାଡି, ଅରଟ, ଦୌଡି ଡିଆଁ, ପଶା, ମିକି ମାଉସ, ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା, ରଙ୍ଗିନ୍ ଝୋଟି, ସାଧାରଣ ଜ୍ଞାନ, ନୃତ୍ୟ, ଶଙ୍ଖ, ହୁଳହୁଳି, ସଂଗୀତ ଗାନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଆଜି କଲ୍ୟାଣପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ବିଚିତ୍ରାନନ୍ଦ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କମିଟି ସମ୍ପାଦକ ପ୍ରଭାତ କୁମାର ସ୍ବାଇଁ, ସନତ ସ୍ବାଇଁ, ପ୍ରେମାନନ୍ଦ ସ୍ବାଇଁ, ବସନ୍ତ କୁମାର ରଥ ଓ ବ୍ରଜ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଏହି ସୂଚନା ଦେଇଛନ୍ତି।

ପାତ୍ରପଡ଼ାରେ ଏଥର ୧୫୦ ନୁହେଁ ୭୦ ଦୋଳି
ରାଜଧାନୀ ଉପକଣ୍ଠ ପାତ୍ରପଡ଼ାସ୍ଥିତ ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ଖେଳ ପଡ଼ିଆରେ ଏଥର ଆଉ ଆଗଭଳି ଦୋଳି ଝୁଲିବ ନାହିଁ। ଜଙ୍ଗଲ ଘେରା ସିମୁରିଆ ଗଛରେ ଆଉ ଦୋଳି ଖେଳିବାର ମଜା ମିଳିବନି। ପୂର୍ବ ପରି ଆଉ ଏଠି ୧୫୦ ଦୋଳି ଝୁଲିବନି। ବାତ୍ୟା ‘ଫନି’ର କୋପରେ ସାଢ଼େ ୩ଶହରୁ ୪ଶହ ଗଛ ଉପୁଡ଼ି ପଡ଼ିଛି। ଯେଉଁ ଅଳ୍ପ କିଛି ଗଛ ରହିଯାଇଛି, ତାହା ଦୋଳି ବନ୍ଧା ହେବା ଅବସ୍ଥାରେ ନାହିଁ। ଦୋଳି ଟାଙ୍ଗିବାକୁ ସାହାରା ପାଲଟିଥିବା ଗଛ ଭାଙ୍ଗିଯିବା ପରେ ଏଥର ବଲ୍ଲା ବାନ୍ଧି ଦୋଳି କରିବାକୁ ଯୋଜନା ହୋଇଛି ବୋଲି ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ରଜ ମହୋତ୍ସବର ଉପସଭାପତି ରବୀନ୍ଦ୍ରନାଥ ସାହୁ କହିଛନ୍ତି। ଚଳିତ ବର୍ଷ ୧୫୦ ପରିବର୍ତେ ମାତ୍ର ୭୦ଟି ଦୋଳି ଝୁଲିବ। ୧୩ରେ ରଜ ସଜବାଜରୁ ଏଠାରେ ରଜ ମଉଜ ଆରମ୍ଭ ହୋଇଯିବ। ୫ ଦିନ ଧରି ଦୋଳି ଖେଳିବା ସହ ମୀନାବଜାର ବୁଲିବା, ରାମ‌ଦୋଳି ଖେଳିବାର ସୁଯୋଗ ମିଳିବ। ୪୦ଟି ଦୋକାନ ପଡ଼ିବ। ଏଥିସହ କୁଆଁରୀମାନଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ପୁଚି, ଝୋଟି, ହୁଳହୁଳି, ଶଙ୍ଖଫୁଙ୍କା, ମ୍ୟୁଜିକ୍‌ ଚେୟାର ଭଳି ପ୍ରତିଯୋଗିତା ଆୟୋଜିତ ହେବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଆହୁରି ଆକର୍ଷଣୀୟ ସାଜିବ ପୋଡ଼ପିଠା ଏବଂ ଏଠିକାର ପ୍ରସିଦ୍ଧ ରଜପାନ।

୨ ପାନ୍ଥନିବାସରେ ରଜ ମଉଜ ବନ୍ଦ
ଚଳିତ ବର୍ଷ ନିରାଡ଼ମ୍ବର ହେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ରଜ ମଉଜ। ପ୍ରତିବର୍ଷ ୧୦ଟି ପାନ୍ଥ ନିବାସରେ ରଜ ପର୍ବକୁ ଖୁବ୍‌ ଆଡ଼ମ୍ବର ସହକାରେ ପାଳନ କରୁଥିବା ଓଟିଡିସି ଏଥର କେବଳ ୮ଟି ପାନ୍ଥ ନିବାସରେ ଏହି ପର୍ବ ପାଳନ ପାଇଁ ଯୋଜନା କରିଛି। ପର୍ଯ୍ୟଟକଙ୍କ ପସନ୍ଦର ସର୍ବାଗ୍ରେ ଥିବା ପୁରୀ ଓ କୋଣାର୍କରେ ଏଥର ରଜ ଉତ୍ସବ ପାଳନ କରାଯିବ ନାହିଁ। ବାତ୍ୟା ଫନିରେ ଏହି ଦୁଇ ପାନ୍ଥ ନିବାସରେ ବ୍ୟାପକ କ୍ଷତି ହୋଇଥିବାରୁ ଓଟିଡିସି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବରକୂଳ, ପାରାଦୀପ, କଟକ ସମେତ ଭୁବନେଶ୍ବରରେ ରଜ ମଉଜ ପାଳନ ହେବ। ଭୁବନେଶ୍ବର ପାନ୍ଥନିବାସ ପରିସରରେ ଫୁଲରେ ସୁସଜ୍ଜିତ ଗୋଟିଏ ବଡ଼ ଦୋଳି ସହ ମୋଟ୍‌ ୪ଟି ଦୋଳି ଝୁଲିବ। ରାଜଧାନୀର ଲୋକଙ୍କର ଆଖି ପାନ୍ଥନିବାସ ପିଠା ଉପରେ ରହୁଥିବାରୁ ଏଥର ବି ଅନୁରୂପ ବ୍ୟବସ୍ଥା ହୋଇଛି। ବାସ୍କେଟ୍‌ ପିଠା ସାଙ୍ଗକୁ ମଣ୍ଡା, ଆରିସା, କାକରା, ଚକୁଳି, ଚନ୍ଦ୍ରକଳା ଆଦି ପିଠା ଉପଲବ୍ଧ ହେବ। ବିଶେଷକରି ଝାଉଁକାଠରେ ପ୍ରସ୍ତୁତ ପୋଡ଼ପିଠା ପାଇଁ ଏଥର ୧୨ଟି ଚୁଲୀ ହୋଇଥିବା ବେଳେ ୨୦ରୁ ଅଧିକ ପିଠା କାରିଗର ନିୟୋଜିତ ହେବେ।

ମଶାଲରୁ ମିରାକିଲ୍‌…
ମଶାଲ ଅନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆସନ୍ତା ୧୫ ତାରିଖରେ ରଜ ମହୋତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ରବୀନ୍ଦ୍ର ମଣ୍ଡପ ପରିସରରେ ଦୋଳି ଝୁଲିବା ସହ ଶ୍ରେଷ୍ଠ ଓଡ଼ିଆଣୀ, ପିଠା, ଝୋଟିଚିତା, ପୁଚି, ପଶାପାଲି, କାନ୍ଦଣାଗୀତ ପ୍ରତିଯୋଗିତା ଆୟୋଜିତ ହେବ। ସୁର ଭାଇବ୍ରେସନ୍‌ ପକ୍ଷରୁ ମଧ୍ୟ ରବୀନ୍ଦ୍ର ମଣ୍ଡପରେ ୧୩ ତାରିଖରେ ‘ସଜରେ ସଜରେ ରଜ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମିରାକିଲ୍‌ ଅନୁଷ୍ଠାନ ପକ୍ଷରୁ ୧୪ ତାରିଖରେ ଭଂଜ କଳାମଣ୍ଡପରେ ‘ରଜ ସ୍ପେସାଲ୍‌’ ‌କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଝୋଟି, ପାନଭଙ୍ଗା, ରଜ କ୍ବିଜ୍‌, ପୁଚି, ‌ଶଙ୍ଖଫୁଙ୍କା, ରଜ ଖେଳ, ହୁଳହୁଳି, ମିସ୍‌ ଓଡ଼ିଶା, ଗୀତ, ନୃତ୍ୟ, ଚିତ୍ର ପ୍ରତିଯୋଗିତା ହେବ। ହରିହର ଆର୍ଟ ଆଣ୍ଡ୍‌ କଲ୍‌ଚରାଲ୍‌ ଏକାଡେମି ପକ୍ଷରୁ ୧୪ ତାରିଖରେ ଜୟଦେବ ଭବନରେ ଦିବ୍ୟାଙ୍ଗ କୁମାରୀମାନଙ୍କୁ ନେଇ ‘ରଜ ରାଣୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସକାଳ ୯ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିସହ ଧଉଳି ପାନ୍ଥନିବାସରେ ଓଡ଼ିଶା ଟୁରିଷ୍ଟ୍‌ ଗାଇଡ୍‌ ଆସୋସିଏସନ୍‌ ପକ୍ଷରୁ ରଜ ମଉଜ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର