ଭୁବନେଶ୍ବର: ବାତ୍ୟା ‘ଦାନା’ର ପ୍ରଭାବରେ ଆଜି ଦିନସାରା ରାଜଧାନୀରେ ବର୍ଷା ଲାଗି ରହିଛି। ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ଆଜି ମଧ୍ୟ ରାତି ପର୍ଯ୍ୟନ୍ତ ଲାଗି ରହିଛି। ସେଥିପାଇଁ ସହରବାସୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। ଝିପିଝିପି ବର୍ଷା ଲାଗି ରହିଥିବାରୁ ଲୋ‌କେ ପଦାକୁ ବାହାରି ପାରି ନଥି‌ଲେ। ତା’ ସାଙ୍ଗକୁ ରାଜଧାନୀର ଖଣ୍ଡିଆ ରାସ୍ତା ଲୋକଙ୍କୁ ଅଧିକ ହଇରାଣ କରୁଛି। ଏଭଳି ସ୍ଥିତି ରାତିତମାମ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗତକାଲିଠାରୁ ଆଜି ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ୨୩.୨ ମିମି ବର୍ଷା ହୋଇଛି। ରାତି ଗୋଟାଏ ସୁଦ୍ଧା ଆହୁରି ବର୍ଷା ‌ହୋଇଥିବା ଜଣାପଡ଼ିଛି। ଅବଶ୍ୟ ଏହାଦ୍ବାରା ସହରର କୌଣସି ସ୍ଥାନରେ ଜଳବନ୍ଦି ସ୍ଥିତି ସୃଷ୍ଟି ହୋଇନାହିଁ। ଶନିବାର ପୂର୍ବାହ୍ନ ବେଳକୁ ପାଗରେ ପରିବର୍ତ୍ତନ ଆସିବ। ତେବେ ୩ଦିନ ଯାଏ ଭୁବନେଶ୍ବର ସହରର ଆକାଶ ମେଘାଚ୍ଛନ୍ନ ରହିବା‌ ସହ କିଛି ସ୍ଥାନରେ ବର୍ଷା ହୋଇପାରେ। ସର୍ବୋଚ୍ଚ ତାପମାତ୍ରା ୨୫ ଡିଗ୍ରି ଓ ସର୍ବନିମ୍ନ ୨୩ ଡିଗ୍ରି ରହିବ। ପରବର୍ତ୍ତୀ ସମୟରେ ଦିନର ତାପମାତ୍ରା ବଢ଼ିବ ବୋଲି କୁହାଯାଇଛି।

Advertisment

ଆକାଶ ଆହୁରି ୩ଦିନ ମେଘୁଆ ରହିପାରେ
ଦୁଇଦିନରେ ୨୩.୨ ମିମି

ଗତକାଲି ବାତ୍ୟା ପ୍ରଭାବ ଆଶଙ୍କାରେ ସହରର ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିଲା। ଆଜି ଦିନତମାମ ବର୍ଷା ଲାଗି ରହିଥିବାରୁ ଉଠାଦୋକାନୀମାନେ ଦୋକାନ ଖୋଲି ପାରି ନଥିଲେ। ଗ୍ରାହକଙ୍କ ସଂଖ୍ୟା ମଧ୍ୟ କମ୍‌ ଦେଖିବାକୁ ମିଳିଥିଲା। ପାର୍ବଣ ଋତୁ ପାଇଁ ବଜାରରେ ଯେଉଁଭଳି ଭିଡ଼ ହେବା କଥା, ତାହା ଦେଖିବାକୁ ମିଳି ନଥିଲା। ସନ୍ଧ୍ୟା ସମୟରେ ଜୋର୍‌ରେ ତୁହାକୁ ତୁହା ବର୍ଷା ହେବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା।