ଚନ୍ଦ୍ରଶେଖରପୁର: ବିଏମ୍‌ସି କାର୍ଯ୍ୟାଳୟ ଆଗରେ ଗରିବ ଗର୍ଭବତୀ ମହିଳା ପଦ୍ମିନୀ ସିଂଙ୍କୁ ମାଡ଼ମାରି ଲହୁଲୁହାଣ କରିଥିବା ଆବାସ ଦଲାଲ ନେତ୍ରୀଙ୍କୁ ମୈତ୍ରୀବିହାର ଥାନା ପୁଲିସ ପାଇଲା ନାହିଁ। କିନ୍ତୁ ସେହି ନେତ୍ରୀ ଆଜି ସନ୍ଧ୍ୟାରେ ଖାରବେଳନଗର ଥାନାରେ ପୀଡ଼ିତାଙ୍କ ନାଁରେ ପାଲଟା ଅଭିଯୋଗ କରିଛନ୍ତି। ମୈତ୍ରୀବିହାର ଥାନା ପୁଲିସକୁ ତଦନ୍ତରେ ସହଯୋଗ କରୁନଥିବା ଅଭିଯୁକ୍ତ ନେତ୍ରୀ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କ ନାଁରେ କିନ୍ତୁ ପାଲଟା ଅଭିଯୋଗ କରିଥିବାରୁ ଘଟଣାଟି ଆଜି ରାଜଧାନୀରେ ଆଲୋଡନ ସୃଷ୍ଟି କରିଛି। ଜଣେ ରାଜନେତାଙ୍କ ଛତ୍ରଛାୟାରେ ଥିବା ନେତ୍ରୀଙ୍କ ବିରୋଧରେ ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁଛି, ତାହାକୁ ବିଭିନ୍ନ ମହଲରେ ଅପେକ୍ଷା କରାଯାଇଥିବା ଚର୍ଚ୍ଚା ହେଉଛି।  

Advertisment

ଖାରବେଳନଗର ଥାନାରେ  ପାଲଟା ଅଭିଯୋଗ

ଆଜି ମୈତ୍ରୀବିହାର ଥାନା ପୁଲିସ୍ ପୀଡ଼ିତା ପଦ୍ମିନୀଙ୍କ ଘରକୁ ଯାଇ ପଚରାଉଚରା କରିଥିଲା। କେଉଁ ପରିସ୍ଥିତିରେ ସେ ଆକ୍ରମଣର ଶିକାର ହେଲେ, ନେତ୍ରୀଙ୍କ ସହ ମିଶି କେଉଁମାନେ ତାଙ୍କୁ ଆକ୍ରମଣ କରିଥିଲେ, ଜାଣିବାକୁ ପଦ୍ମିନୀଙ୍କୁ ପୁଲିସ ପଚାରି ବୁଝିଥିଲା। ପଦ୍ମିନୀଙ୍କ ମତାମତ ନେଇ ପୁଲିସ ଟିମ୍‌ ଅଭିଯୁକ୍ତ ନେତ୍ରୀଙ୍କ ଘରକୁ ଯାଇଥିଲା। ମାତ୍ର ଠିକଣା ସମୟରେ ସେ ଘରୁ ଗାଏବ ହୋଇଯାଇଥିଲେ। ପୁଲିସ ଅପେକ୍ଷା କରିକରି ଫେରିଥିଲା। କିନ୍ତୁ ସନ୍ଧ୍ୟାରେ ଜଣାପଡ଼ିଲା ଯେ ନେତ୍ରୀ ଖାରବେଳନଗର ଥାନାକୁ ଯାଇ ପଦ୍ମିନୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। 

ଘଟଣା ଅନୁଯାୟୀ ସୈନିକ ସ୍କୁଲ୍‌ ନିକଟ ଡମ୍ପିଂୟାର୍ଡ ପାଖ ମହାବୀର ବସ୍ତିକୁ ବିଏମ୍‌ସି ଉଚ୍ଛେଦ କରିଥିଲା। ଯେଉଁମାନଙ୍କ ଘର ଭଙ୍ଗାଯାଇଥି‌ଲା, ସେମାନଙ୍କୁ ଆବାସ ଯୋଜନା ଗୃହ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ତେଣୁ ପଦ୍ମିନୀ ଆବାସ ଯୋଜନାରେ ଘର ପାଇବା କଥା। ମାତ୍ର ତାଲିକାରେ ତାଙ୍କ ନାଁ ନଥିଲା। ପଦ୍ମିନୀ ଏନେଇ ନେତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଆବାସ ଯୋଜନା ତାଲିକାରୁ ତାଙ୍କ ନାଁ କିଭଳି କଟିଲା ବୋଲି ପଚାରିଥିଲେ। ୫୦ ହଜାର ଟଙ୍କା ଦେଲେ, ତାଙ୍କୁ ଘର ମିଳିବ ବୋଲି ନେତ୍ରୀ ବୁଝାଇଥିଲେ। ଜଣେ ବିଏମ୍‌ସି ଅଧିକାରୀ ଟଙ୍କା ‌ନେବେ ବୋଲି କହିଥିଲେ। ତେଣୁ ପଦ୍ମିନୀ ବିଏମ୍‌ସି କାର୍ଯ୍ୟାଳୟକୁ ଯାଇ ସେହି ଅଧିକାରୀଙ୍କୁ ଗୁହାରି କରିବା ସହ ନେତ୍ରୀ କହିଥିବା ୫୦ ହଜାର ଟଙ୍କା ପ୍ରସଙ୍ଗ ଜଣାଇଥିଲେ। ତୁରନ୍ତ ଅଧିକାରୀଜଣକ ନେତ୍ରୀଙ୍କୁ ଡକାଇ ଉଭୟ ପକ୍ଷ ମଧ୍ୟରେ ମୁକାବିଲା କରାଇଥିଲେ। ଏଥିରେ ନେତ୍ରୀ ଉତ୍‌କ୍ଷିପ୍ତ ହୋଇଉଠିଥିଲେ। ପଦ୍ମିନୀ ବାହାରକୁ ଆସିବା ମାତ୍ରେ ନେତ୍ରୀ ଓ ତାଙ୍କ ସମର୍ଥକମାନେ ତାଙ୍କୁ ବିଧାଗୋଇଠା ମାରି ଲହୁଲୁହାଣ କରିଦେଇଥିଲେ। ଖାରବେଳନଗର ଥାନା ପୁଲିସ ପଦ୍ମିନୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା।