ହସ୍ପିଟାଲ ପରିସରରେ ପ୍ରସୂତିଙ୍କ ପ୍ରସବ ଘଟଣା : ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ତଲବ

ହସ୍ପିଟାଲକୁ ବଦନାମ କରିବା ପାଇଁ ଭିତ୍ତିହୀନ ଖବର ପ୍ରକାଶିତ ହୋଇଛି: ଅଧୀକ୍ଷକ, ସ୍ଥିତି ଅନୁଧ୍ୟାନ କଲା ବିଜେପି

ଭୁବନେଶ୍ବର : ଗତକାଲି ସଂଧ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ପାନା ମୁର୍ମୁ ନାମକ ମହିଳା ହସ୍ପିଟାଲ ପରିସରରେ ପ୍ରସବ କରିବା ଘଟଣାରେ ରିପୋର୍ଟ ତଲବ କରିଛି ସ୍ବାସ୍ଥ୍ୟ ବିଭାଗ। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ଏକ ତଦନ୍ତ ରିପୋର୍ଟ ମାଗିଥିଲା ସ୍ବାସ୍ଥ୍ୟ ବିଭାଗ।

ହସ୍ପିଟାଲ କର୍ତୃପକ୍ଷ ଏହି ଘଟଣାର ତଦନ୍ତ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛନ୍ତି। ରିପୋର୍ଟରେ ଡାକ୍ତର କିମ୍ବା ଡାକ୍ତରଖାନା କର୍ମଚାରୀଙ୍କର କୌଣସି ଦୋଷ ନ ଥିବା ଅଧୀକ୍ଷକ ଡା. ନାରାୟଣ ସେଠୀ ସୂଚନା ଦେଇଛନ୍ତି। ଡାକ୍ତରଖାନାରେ ପ୍ରସୂତି ଓ ନବଜାତକଙ୍କୁ ସମସ୍ତ ସେବା ମିଳିଛି। ଡାକ୍ତରଖାନାକୁ ବଦନାମ କରିବା ପାଇଁ ଭିତ୍ତିହୀନ ଖବର ପ୍ରକାଶିତ ହୋଇଥିବା ଅଧୀକ୍ଷକ ଡା. ସେଠୀ ରିପୋର୍ଟରେ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ରାତିରେ ସାଲିଆ ସାହିର ପାନା ଗର୍ଭ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲକୁ ଆସିଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ଲେବର ରୁମ୍‌କୁ ଯାଇଥିଲେ। ତାଙ୍କ ସ୍ଥିତି ଜଟିଳ ଥିବାରୁ ହସ୍ପିଟାଲରେ ଥିବା ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ। ରେଫର ପରେ ତାଙ୍କୁ ଲେବର ରୁମ୍‌ରୁ ବାହାର କରି ଦିଆ ଯାଇଥିବା ଅଭିଯୋଗ ହୋଇଥିଲା। ପରବର୍ତୀ ସମୟରେ ହସ୍ପିଟାଲ ଫୁଟପାଥରେ ତାଙ୍କର ଏକ ସନ୍ତାନ ପ୍ରସବ ହୋଇଯାଇଥିଲା। ଏହି ସମୟରେ ସେଠାରେ ଥିବା କିଛି ଲୋକ ପ୍ରସୂତିଙ୍କୁ ହସ୍ପିଟାଲରେ ଭର୍ତି କରିଥିଲେ। ଆଜି ସକାଳେ ପାନା ଘରକୁ ଚାଲି ଯାଇଥିବା ସୂଚନା ମିଳିଛି।

ଅପରପକ୍ଷେ ଏହି ଘଟଣା‌‌ରେ ବିଜେପି ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ରାଜ୍ୟରେ ‘ମୋ ସରକାର’ କେମିତି ଚାଲିଛି, ଏହି ଘଟଣା ତାହା ସୂଚାଇ ଦେଉଛି ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଅଭିଯୋଗ କରିଛନ୍ତି। ଶ୍ରୀମତୀ ପରିଡ଼ାଙ୍କ ନେତୃତ୍ବରେ ମୋର୍ଚ୍ଚାର ଏକ ପ୍ରତିନିଧିଦଳ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନେ ହସ୍ପିଟାଲ୍‌ ଅଧୀକ୍ଷକ ଓ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଏପରି ଅଭାବନୀୟ ଘଟଣାକୁ ପ୍ରତିନିଧିଦଳ ନିନ୍ଦା କରିଥିଲେ। ଏହି ପ୍ରତିନିଧିଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ସୀମନ୍ତିନୀ ଜେନା, ସ୍ମୃତି ପଟ୍ଟନାୟକ, ସୁକେଶୀ ଓରାମ, କାନନବାଳା ପଟ୍ଟନାୟକ, ପିଙ୍କି ପ୍ରଧାନ, ରଶ୍ମୀରେଖା ଦାସ ଓ କସ୍ତୁରୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର