ଗର୍ଭବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ବାମୀ ଅଟକ

ପୁରୁଣା ଭୁବନେଶ୍ୱର: ଗ୍ୟାରେଜ୍‌ ଛକ ନିକଟ ରାଧାକୃଷ୍ଣ ନଗରରେ ଥିବା ଏକ ଘରୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଆଜି ଜଣେ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଜଣଙ୍କ ହେଲେ, କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଅନ୍ତର୍ଗତ ରାମନଗର ଗ୍ରାମର ମୀନା ଦେବନାଥ(୨୫)। ମହିଳାଙ୍କୁ ହତ୍ୟ‌ା ସନ୍ଦେହରେ ପୁଲିସ ତାଙ୍କ ସ୍ବାମୀ ସଞ୍ଜୟ ଦେବନାଥଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ମୀନା ୮ ମାସ ତଳେ ସଞ୍ଜୟଙ୍କୁ ଭଲ ପାଇ ବିବାହ କରିଥିଲେ। ଉଭୟ ରାମନଗର ଗ୍ରାମରୁ ଆସି ଗ୍ୟାରେଜ୍‌ ଛକ ନିକଟ ରାଧାକୃଷ୍ଣନଗରରେ ରହୁଥିଲେ। ସେ ଗର୍ଭବତୀ ଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ତେବେ ରାତିରେ ମୀନା ତାଙ୍କ ଲୁଗାକୁ ବେକରେ ବାନ୍ଧି ଆଜ୍‌ବେଷ୍ଟସ୍‌ ବହ୍ଲାରେ ଓହଳି ଆତ୍ମହତ୍ୟା କରିଥିଲେ। ସଞ୍ଜୟ ଆଜି ସକାଳେ ଭୟରେ କାହାରିକୁ କିଛି ନ କହି ସେ କାମ କରୁଥିବା ଠିକାଦାରଙ୍କୁ ଜଣାଇଥିଲେ। ପରେ ଠିକାଦାରଙ୍କ ସହ ଆସି ପୁଲିସକୁ ଜଣାଇଥିଲେ। ଅପରାହ୍‌ଣରେ ପୁଲିସ ମହିଳାଙ୍କ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହି ଘଟଣାରେ ସଞ୍ଜୟଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର