ରକ୍ତ ଜୁଡ଼ୁବୁଡ଼ୁ ରେହନାଙ୍କୁ ଡାକ୍ତରଖାନା ନେବାକୁ ମନା କରିଥିଲା ଅଟୋ

ରାଜଧାନୀରେ ରାସ୍ତାରେ ପ୍ରସବ ଘଟଣା

ଭୁବନେଶ୍ୱର: ଶୁକ୍ରବାର ରାତିରେ ମାଷ୍ଟର କ୍ୟାଣ୍ଟିନ୍‌ ଛକ ନିକଟସ୍ଥ ରାସ୍ତା କଡ଼ରେ ଜଣେ ମହିଳା ପ୍ରସବ କରିବା ରାଜଧାନୀବାସୀଙ୍କୁ ସ୍ତବ୍ଧ କରି ଦେଇଛି। ରେହନା ବେଗମ ନାମକ ମହିଳା ଜଣକ ରାସ୍ତାରେ ଘଣ୍ଟାଏ କାଳ ପଡ଼ି ରହିଥିଲେ ହେଁ କୌଣସି ଅଟୋ କିମ୍ବା ଆମ୍ବୁଲାନ୍‌ସ ସହାୟତା ପାଇଁ ଆଗେଇ ଆସି ନ ଥିଲେ। ବାଟରେ ଯାଉଥିବା କିଛି ଲୋକ ଏହି ଘଟଣାକୁ ଦେଖିବା ପରେ ୧୦୮ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ। ୧୦୮ ମଧ୍ୟ ଆସିବାରେ ବିଳମ୍ବ କରିଥିଲା। ଶେଷରେ ପ୍ରାୟ ଏକ ଘଣ୍ଟା ପରେ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍‌ସ ପହଞ୍ଚି ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା।

ତେବେ ଏହି ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଜି ମାଷ୍ଟର କ୍ୟାଣ୍ଟିନ୍‌ ଛକ ଓ କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ପ୍ରତିନିଧି ଓ ଲୋକଙ୍କ ଭିଡ଼ ଜମିଥିଲା। ଏପରିକି ହସ୍ପିଟାଲରେ ଡେଲିଭରି ଓ୍ଵାର୍ଡରେ ଚିକିତ୍ସିତ ହେଉଥିବା ମହିଳାମାନେ ମଧ୍ୟ ମହିଳାଙ୍କ ସଂପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ହସ୍ପିଟାଲରେ ତାଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବା ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି।

ରେହନାଙ୍କ ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସଦର ଥାନାର ଗୁଡସେଡ ରୋଡ୍‌ରେ। ସେ ତାଙ୍କ ସ୍ୱାମୀ ଶେଖ ଅନଓ୍ଵାର ଖାନ୍‌ଙ୍କ ସହିତ ଗତକାଲି ଭୁବନେଶ୍ୱରକୁ ଆସିଥିଲେ। ଦୁହେଁ ଦିନ ମଜୁରିଆ ହୋଇଥିବାରୁ ୟୁନିଟ୍‌-୩ ଅଞ୍ଚଳରେ ଥିବା ମସଜିଦ୍‌ରେ କାମ କରୁଥିଲେ। ରେହନା ଗର୍ଭବତୀ ଥିବାରୁ ସଂଧ୍ୟାରେ ତାଙ୍କର ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଯଦିଓ ଡାକ୍ତର ତାଙ୍କର ପ୍ରସବ ଆସନ୍ତା ମାସରେ ହେବ ବୋଲି କହିଥିଲେ, କିନ୍ତୁ ଗତକାଲି ସଂଧ୍ୟାରେ ଯନ୍ତ୍ରଣା ହେବା ପରେ ସ୍ୱାମୀ ଅନଓ୍ଵର ତାଙ୍କୁ ଗରମ କ୍ଷୀର ପିଇବାକୁ ଦେଇଥିଲେ। କ୍ଷୀର ପିଇବା ପରେ ତାଙ୍କ ଯନ୍ତ୍ରଣା ଆହୁରି ଜୋରରେ ବଢ଼ି ଯାଇଥିଲା। ଏହି ସମୟରେ ଅନଓ୍ଵର ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିବା ପାଇଁ ଅଟୋକୁ ଅନୁରୋଧ କରିଥିଲେ। ମାତ୍ର କେହି ଶୁଣି ନ ଥିଲେ। ମାଷ୍ଟର କ୍ୟାଣ୍ଟିନ୍‌ ନିକଟ ଫାଣ୍ଡି ନିକଟରେ ସେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ବାଟରେ ଯାଉଥିବା କିଛି ଲୋକ ଏହି ଘଟଣା ଦେଖିବା ପରେ ୧୦୨କୁ ଫୋନ୍‌ ଲଗାଇଥିଲେ। ପରେ ଅନ୍ୟ ଅଟୋକୁ ମଧ୍ୟ ହସ୍ପିଟାଲକୁ ନେବାକୁ ଅନୁରୋଧ କରିଥିଲେ। ମାତ୍ର ରକ୍ତ ଜୁଡ଼ୁବୁଡ଼ୁ ରେହନାଙ୍କୁ ଅଟୋରେ ବସାଇବା ପାଇଁ ଅଟୋ ମନା କରି ଦେଇଥିଲା। ୧୦୮କୁ ଯୋଗାଯୋଗ କରାଯାଇଥିଲେ ହେଁ ଆମ୍ବୁଲାନ୍‌ସ ଆସିବରେ ବିଳମ୍ବ ହୋଇଥିଲା। ଆଉ ରେହନାଙ୍କ ରାସ୍ତାରେ ହିଁ ପ୍ରସବ ହୋଇ ଯାଇଥିଲା।

ତେବେ ବିଳମ୍ବରେ ହେଲେ ମଧ୍ୟ ୧୦୮ ଆମ୍ବୁଲାନ୍‌ସ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ପହଞ୍ଚି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ତେବେ ହସ୍ପିଟାଲରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଉ ନ ଥିବା ଅନଓ୍ଵର ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ବେଡରେ ବେଡସିଟ୍‌ ମଧ୍ୟ ନ ଥିବା ସେ କହିଛନ୍ତି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ କହିଛନ୍ତି, ଗତକାଲି ତାଙ୍କୁ ହସ୍ପିଟାଲକୁ ଅଣାଯିବା ପରେ ତାଙ୍କର ଚିକିତ୍ସା କରାଯାଉଛି। ଏହା ହେଉଛି ମହିଳାଙ୍କ ଚତୁର୍ଥ ଗର୍ଭ। ତେଣୁ ଶାରୀରିକ ସମସ୍ୟା ପାଇଁ ତାଙ୍କର ବାଟରେ ପ୍ରସବ ହୋଇ ଯାଇଥିବା ଆଶଙ୍କା କରାଯାଉଛି। ତାଙ୍କୁ ହସ୍ପିଟାଲ ପକ୍ଷରୁ ବେବି କିଟ୍‌ ଦିଆଯିବ। ଏଥିରେ ନବଜାତକ ପାଇଁ ସମସ୍ତ ପ୍ରକାର ଆସବାବ ରହିଥିବା ଡା.ଦାସ କହିଛନ୍ତି।

ସମ୍ବନ୍ଧିତ ଖବର