ଘରକୁ ଫେରିଲେ ପ୍ରେମ ଓ ସୋମନାଥ

ଭୁବନେଶ୍ୱର : ସ୍ୱାମୀକୁ ଫେରି ପାଇବି ବୋଲି ମନରେ ଆଉ ଆଶା ନଥିଲା। ତାଙ୍କ ବିନା ଦୁଇ ପିଲାଙ୍କୁ ନେଇ କେମିତି ଯେ ପାଞ୍ଚ ବର୍ଷ ବିତିଛି, ତାହା ଭାଷାରେ କହିପାରିବି ନାହିଁ। ଏତକ କହୁ କହୁ କାନ୍ଦି ପକାଇଥିଲେ ସ୍ତ୍ରୀ ସୁବର୍ଣ୍ଣୀ। ଆଉ ରେଡକ୍ରସର ପାରିବାରିକ ସମ୍ବାଦ ସେବାକୁ ଧନ୍ୟବାଦ ଜଣାଇଥିଲେ। ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ ଅନୁଷ୍ଠାନ ପରିସରରେ ପାରିବାରିକ ସମ୍ବାଦ ସେବା କାର୍ଯ୍ୟକ୍ରମରେ ।

ନୂଆପଡ଼ା ଜିଲ୍ଲାର ସୁବର୍ଣ୍ଣୀଙ୍କ ସ୍ୱାମୀ ପ୍ରେମ ସିଂହ ଗତ ପାଞ୍ଚ ବର୍ଷ ତଳେ ମାନସିକ ଭାରସାମ୍ୟ ହରାଇ ବିଶାଖାପାଟଣା ଚାଲି ଯାଇଥିଲେ। ତାଙ୍କ ବିଷୟରେ ସୂଚନା ମିଳିବା ପରେ ରେଡକ୍ରସ୍‌ ଓଡ଼ିଶା ଶାଖାର ଫ୍ୟାମିଲି ନ୍ୟୁଜ୍‌ ସର୍ଭିସ୍‌ କାର୍ଯ୍ୟକ୍ରମରେ ଜରିଆରେ ତାଙ୍କୁ ଉଦ୍ଧାର କରାଯାଇ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ସେହିପରି ଖୋର୍ଧା ଜିଲ୍ଲା ବୋଲଗଡ଼ର ମାନସିକ ରୋଗୀ ସୋମନାଥ ଦାସ (୪୩) ପାଞ୍ଚ ବର୍ଷ ତଳେ ନିଜ ଘର ଛାଡ଼ି କେଉଁ ଆଡ଼େ ଚାଲିଯାଇଥିଲେ। ତାଙ୍କ ମା’ ଶଶିମଣି ଦାସ (୬୪) ବାପା ହରେକୃଷ୍ଣ ଦାସ (୭୩) ମଧ୍ୟ ତାଙ୍କୁ ପାଇବାର ଆଶା ଛାଡ଼ି ଦେଇଥିଲେ।

କାନ୍ଦି କାନ୍ଦି ପାଞ୍ଚବର୍ଷ ହେଲାଣି ବୃଦ୍ଧ ବାପା ମା’ଙ୍କ ଆଖିରୁ ଲୁହ ଶୁଖୁନଥିଲା। ହେଲେ ଆଜି ରେଡକ୍ରସ ଓଡ଼ିଶା ଶାଖାର ଫ୍ୟାମିଲି ନ୍ୟୁଜ୍‌ ସର୍ଭିସ୍‌ କାର୍ଯ୍ୟକ୍ରମରେ ନିଜ ପୁଅକୁ ଫେରି ପାଇଛନ୍ତି। ଉଭୟ ପ୍ରେମ ଓ ସୋମନାଥଙ୍କୁ ଦଶ ହଜାର ଟଙ୍କାର ଚେକ୍‌ ପ୍ରଦାନ ସହ ଅନ୍ୟାନ୍ୟ ଚଳଣି ସାମଗ୍ରୀ ରେଡକ୍ରସ ପ୍ରଦାନ କରିଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗ ଦେଇ ରେଡକ୍ରସର ଏପରି ପ୍ରୟାସକୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ଏପରି କାର୍ଯ୍ୟରେ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି କହିଥିଲେ।

ରେଡକ୍ରସର ଅବୈତନିକ ଯୁଗ୍ମ ସଚିବ ଡ. ମେଜର କଳ୍ପନା ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଓଡ଼ିଶା ଶାଖା ଅବୈତନିକ ସଚିବ ଡ. ଜ୍ଞାନବ୍ରତ ମହାନ୍ତି ଆଗାମୀ ଦିନରେ ରେଡକ୍ରସ ଆହୁରି ଏପରି ଅନେକ ହଜି ଯାଇଥିବା ମଣିଷଙ୍କୁ ତାଙ୍କ ପରିବାରକୁ ଫେରାଇ ଆଣିବ ବୋଲି କହିଥିଲେ। ଶେଷରେ ରଞ୍ଜନ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର