ପ୍ରେମ ଆନନ୍ଦ-ବସନ୍ତଙ୍କ କମାଲ୍‌

ଆଦିବାସୀ ସଙ୍ଗୀତ ଉନ୍ମୋଚିତ

ଭୁବନେଶ୍ୱର: ‘ଏଠି ପବନ ଗାଏ ଗୀତ, ନଦୀ ଝରଣା ହୁଏ ମିତ’। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଶୁଭାରମ୍ଭ ଅବସରରେ ସମଗ୍ର ଉତ୍କଳ ମଣ୍ଡପ ସାରା ଝୁମି ଉଠିଥିଲା ଏହି ଆଦିବାସୀ ଗୀତ। ଖଚାଖଚ୍‌ ଦର୍ଶକଙ୍କ ଭିତରେ ଏହି ଗୀତ ସତେ ଯେମିତି ସିହରଣ ସୃଷ୍ଟି କରୁଥିଲା। ଏହି ଗୀତର ତାଳେ ତାଳେ ଲାଗୁଥିଲା ଯେମିତି ସମଗ୍ର ପରିବେଶ ଆଦିବାସୀ ମନସ୍କ ଥିଲା। ୯ଟି ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ଗୀତକୁ ବସନ୍ତ ରାଜ ସାମଲ ଲେଖିଥିବା ବେଳେ ପ୍ରସିଦ୍ଧ ସଙ୍ଗୀତକାର ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଗୀତଟିକୁ ଗାଇଛନ୍ତି ଋତୁରାଜ ମହାନ୍ତି ଏବଂ ଦୀପ୍ତିରେଖା ପାଢ଼ୀ। ଏହି ଗୀତର ବିଶେଷତ୍ୱ ହେଉଛି ଆଦିବାସୀ ୯ଟି ଆଦିବାସୀ ଭାଷାରେ ଏହି ଗୀତଟି ପ୍ରସ୍ତୁତ ହୋଇଛି। ଶାନ୍ତାଳି, ମୁଣ୍ଡା, କୋହ୍ଲ, କୁଇ, ହୋ ଭଳି ୯ଟି ଭାଷାରେ ଏହି ଗୀତଟି ପ୍ରସ୍ତୁତ ହେବା ବେଳେ ସଙ୍ଗୀତରେ ବି ସେମାନଙ୍କ ପରିବେଶ, ଚାଲିଚଳନ, ସଂସ୍କୃତି ଓ ପରମ୍ପରାକୁ ଧ୍ୟାନରେ ରଖାଯାଇଛି। ମୋଟାମୋଟି ଭାବେ ଏହି ଗୀତଟିରେ ଆଦିବାସୀମାନଙ୍କର ମନର କଥା ଯେମିତି ଫୁଟି ଉଠିଛି। ଶୁକ୍ରବାର ଉତ୍କଳ ମଣ୍ଡପରେ ଖଚାଖଚ୍‌ ଦର୍ଶକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ମଣ୍ଡଳର ଅନ୍ୟାନ୍ୟ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତିରେ ଏହି ଗୀତଟି ଉନ୍ମୋଚିତ ହୋଇ ସମସ୍ତଙ୍କ ପ୍ରଶଂସା ସାଉଁଟିଛି। ସଙ୍ଗୀତକାର୍‌ ପ୍ରେମ ଆନନ୍ଦ କୁହନ୍ତି,ଏହି ଗୀତଟି ପ୍ରସ୍ତୁତ କଲାବେଳେ ଆଦିବାସୀମାନଙ୍କର ନୃତ୍ୟ, ଗୀତ ଓ ଚାଲିଚଳନକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିଛି। ସାଧାରଣ ସିନେମାଠାରୁ ଏହି ଗୀତ ଭିନ୍ନ ଓ ନିଆରା। ବସନ୍ତ ରାଜ୍‌ ସାମଲଙ୍କ ଲେଖାକୁ ନେଇ ଗୀତ କମ୍ପୋଜ କଲାବେଳେ ବହୁତ କଷ୍ଟ କରିବାକୁ ପଡ଼ିଛି। ଋତୁରାଜ ଓ ଦୀପ୍ତିରେଖା ମଧ୍ୟ ବହୁତ ଭଲ ଗାଇଛନ୍ତି ବୋଲି କହିଛନ୍ତି ପ୍ରେମ ଆନନ୍ଦ।

ସମ୍ବନ୍ଧିତ ଖବର