ଭୁବନେଶ୍ୱର: ସବୁ ସରକାର ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯାଉଛି ବୋଲି ଦାବି କରି ଆସିଛନ୍ତି। ସେଥିପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହ ଉନ୍ନତ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ସବୁଠୁ ବଡ଼କଥା ହେଉଛି, ଲୋକଙ୍କ ପାଇଁ ମାଗଣା ଔଷଧ ସହ ଦେୟମୁକ୍ତ ପରୀକ୍ଷାନିରୀକ୍ଷା ସୁବିଧା କରା ଯାଇଛି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ଏପରିକି ସବୁଠାରୁ ସମ୍ବେଦନଶୀଳ ଶିଶୁମାନଙ୍କର ଚିକିତ୍ସା ମଧ୍ୟ ଅବହେଳିତ ହୋଇ ରହିଛି। ଅନ୍ୟ କେଉଁଠି ନୁହେଁ, ଖୋଦ୍ ରାଜଧାନୀରେ ଏହାର ପ୍ରମାଣ ରହିଛି।
କ୍ୟାପିଟାଲ୍ ହସ୍ପିଟାଲ୍ରେ ଭିଡ଼ କମାଇବା ପାଇଁ ତଥା ଶିଶୁରୋଗୀଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା କରିବା ପାଇଁ ଗଢ଼ା ହୋଇଥିବା ଶିଶୁ ଭବନ ବର୍ତ୍ତମାନ ଚରମ ଅବହେଳାରେ ଘାଣ୍ଟି ହେଉଛି। ଏଠାରେ ଫାର୍ମାସିଷ୍ଟ ନଥିବା ବେଳେ ଆୟୁଷ ଡାକ୍ତର କାମ ଚଳାଉଛନ୍ତି। ଔଷଧ ବଣ୍ଟନକେନ୍ଦ୍ର ଅନ୍ଧାର ହୋଇ ପଡ଼ିଥିବା ବେଳେ ବହୁ ସମୟରେ ନିଜେ ଡାକ୍ତର ଔଷଧ ବାଣ୍ଟୁଛନ୍ତି। କେବଳ ସେତିକି ନୁହେଁ, ଅନେକ ସମୟରେ ଅନେକ ମାମୁଲି ରୋଗ ପାଇଁ ମଧ୍ୟ ସେଠାରେ ଔଷଧ ମିଳୁନାହିଁ। ତେଣୁ ଅଧିକାଂଶ ରୋଗୀ ଏଠାରୁ ନିରାଶ ହୋଇ ଫେରୁଛନ୍ତି ଓ କ୍ୟାପିଟାଲ୍ ହସ୍ପିଟାଲ୍ରେ ଧାଡ଼ି ବାନ୍ଧୁଛନ୍ତି। ମୋଟ୍ ଉପରେ ଦେଖିଲେ, ଶିଶୁମାନଙ୍କ ପାଇଁ ଗଢ଼ା ହୋଇଥିବା ଏ ସ୍ବତନ୍ତ୍ର ଡାକ୍ତରଖାନାଟି ତା’ ମୂଳ ଉଦ୍ଦେଶ୍ୟ ମଧ୍ୟ ପୂରଣ କରି ପାରୁନାହିଁ।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ଶିଶୁଭବନକୁ ୧୯୯୩ ମସିହା ଶିଶୁ ଦିବସରେ ଉଦ୍ଘାଟନ କରିଥିଲେ। ଶିଶୁଙ୍କ ସ୍ବାସ୍ଥ୍ୟର ପ୍ରାଥମିକତାକୁ ଉପଲବ୍ଧି କରି ଏଭଳି ଏକ ଡିସ୍ପେନ୍ସାରି ପ୍ରସ୍ତୁତ କରାଯାଇଥିଲା। ଏହା ପ୍ରତିଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଏଠାରେ ଡାକ୍ତର, ଔଷଧ ଓ ସ୍ବାସ୍ଥ୍ୟସେବାକୁ ନେଇ ଥିବା ସମସ୍ୟାର କଥା ସାଧାରଣରେ ଜଣାଥିଲେ ହେଁ ପ୍ରତିଦିନ ସହରର ବିଭିନ୍ନ ସ୍ଥାନ ସମେତ ଖୋର୍ଦ୍ଧା ଓ ଜଟଣୀ ଆଦି ବହୁ ସ୍ଥାନରୁ ୧୦୦ରୁ ଅଧିକ ରୋଗୀ ଆସୁଛନ୍ତି। କିନ୍ତୁ ବିଶେଷକରି ଡାକ୍ତର ଅଭାବ ହେତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶିଶୁମାନେ ଉପଯୁକ୍ତ ଚିକିତ୍ସା ପାଇପାରୁନାହାନ୍ତି। ଫଳରେ ସେମାନେ ବାଧ୍ୟ ହୋଇ କ୍ୟାପିଟାଲ ହସ୍ପିଟାଲକୁ ଯାଉଛନ୍ତି। କେବଳ ଗ୍ୟାସ୍, ଜ୍ୱର, ଥଣ୍ଡା, ପେଟ, କାନବିନ୍ଧା ଭଳି ସାଧାରଣ ରୋଗକୁ ଛାଡ଼ିଦେଲେ ଏଠାରେ ଅନ୍ୟ ଔଷଧ ମିଳୁନାହିଁ। ତେଣୁ ଲୋକମାନଙ୍କୁ ବାହାରୁ ଔଷଧ କିଣିବାକୁ ପଡ଼ୁଛି। ଶିଶୁଭବନର ପରିଚାଳନା କେମିତି ହେଉଛି, ଏଠାରେ ଥିବା ଶୌଚାଳୟରେ ସ୍ଥାୟୀଭାବେ ଝୁଲୁଥିବା ତାଲା ଦେଖିଲେ ଜଣାପଡୁଛି। ପରିସରରେ ଥିବା ପୁଷ୍ଟି ସାଧନ କେନ୍ଦ୍ରର ମଧ୍ୟ ସମାନ ସ୍ଥିତି। ସେଠାରେ ମଧ୍ୟ ଡାକ୍ତର ରହୁନାହାନ୍ତି, କେବଳ ମଝିରେ ମଝିରେ ପରିଦର୍ଶନରେ ଆସୁଛନ୍ତି।
ଶିଶୁ ଭବନରେ ଦୁଇଜଣ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଆଟେଣ୍ଡାଣ୍ଟ ଓ ଅନ୍ୟ ଦୁଇଟି ସହଯୋଗୀ ପଦବି ରହିଛି। ଏତେ ବଡ଼ ସହର ଓ ତା’ ଆଖପାଖର ଶିଶୁମାନଙ୍କ ପାଇଁ ଥିବା ଏକମାତ୍ର ସ୍ବତନ୍ତ୍ର ଚିକିତ୍ସାକେନ୍ଦ୍ର ପାଇଁ ଏତିକି ପଦବି ଖୁବ୍ କମ୍ ନିଶ୍ଚୟ। କିନ୍ତୁ ଏ ଡାକ୍ତରଖାନାରେ ସେତିକି ବି ନାହାନ୍ତି। ବର୍ତ୍ତମାନ ଜଣେ ଆୟୁଷ ଡାକ୍ତର, ଜଣେ ଆଟେଣ୍ଡାଣ୍ଟ ଓ ଜଣେ କର୍ମଚାରୀରେ ହସ୍ପିଟାଲ ଚାଲିଛି। ଆହୁରି ଆଶ୍ଚର୍ଯ୍ୟଜନକ ହେଉଛି, ଏଠାରେ ଥିବା ଆୟୁଷ ଡାକ୍ତରଙ୍କ ନିଜ ବିଭାଗର ଔଷଧ ମଧ୍ୟ ଏଠାକୁ ଆସୁନାହିଁ। ଫାର୍ମାସିଷ୍ଟ ନଥିବାରୁ ଡାକ୍ତରଙ୍କ ପାଖରେ ଯେତିକି ଔଷଧ ଅଛି ରୋଗୀ ସେତିକି ନେଉଛନ୍ତି। ମାସ ମାସ ଧରି ଅନେକ ନିର୍ଦ୍ଦିଷ୍ଟ ସାଧାରଣ ଔଷଧ ନଥିଲେ ହେଁ ଆସୁନାହିଁ। ନିଜ ପାଞ୍ଚବର୍ଷର ଝିଅକୁ ଧରି ଝାରପଡ଼ାରୁ ଶିଶୁ ଭବନ କ୍ୟାପିଟାଲ୍ ହସ୍ପିଟାଲ୍କୁ ଆସିଥିବା ଜଣେ ମହିଳା କହିଲେ, ‘‘ସାଧାରଣ ରୋଗ ପାଇଁ ବି ଏଠାରେ ଔଷଧ ନାହିଁ। ଡାକ୍ତର ନାହାନ୍ତି। ଆୟୁଷ ଡାକ୍ତର ଝିଅକୁ ଦେଖିଲେ, ଦେଖି ସାରିବା ପରେ ୨ଟି ଔଷଧ ଦେଇ ବାକି ବାହାରୁ କିଣିବାକୁ କହୁଛନ୍ତି। ଏଠାକୁ ଆସିବା ଆମର ଭୁଲ୍ ହୋଇଗଲା...।’’ ଏହି ହସ୍ପିଟାଲକୁ ଆସୁଥିବା ଅଧିକାଂଶ ଅଭିଭାବକ ସମାନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/hgdjdgjdgjdgj.jpg)