ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ପଦ୍ମାବତୀ ବିହାରରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ସ୍ଥାନୀୟ ଲୋକ ଥାନା ଘେରାଉ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି। ପୁଲିସ ଅଭିଯୁକ୍ତ ଠିକାଦାରକୁ ଗିରଫ କରୁ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଠିକାଦାର ଜଣକ ଫେରାର ହୋଇ ଯାଇଥିବା ବେଳେ ନାବାଳିକାଙ୍କୁ କଳିଙ୍ଗନଗରସ୍ଥିତ ବିଶ୍ୱ ଜୀବନ ସେବା ସଂଘରେ ରଖି ତଦନ୍ତ କରାଯାଉଛି।
ପୁଲିସ ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ଠିକାଦାର ପ୍ରମୋଦ କୁମାର ସିଂ (୬୦) ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳର ନାବାଳିକା(୧୨)ଙ୍କ ସପ୍ତମ ପରୀକ୍ଷା ସରିବା ପରେ ଅଧିକ ପାଠ ପଢ଼େଇବାକୁ ଅଭିଯୁକ୍ତ ରହୁଥିବା ପଦ୍ମାବତୀ ବିହାରସ୍ଥିତ ଘରକୁ ଆଣିଥିଲେ। ମାତ୍ର ପତ୍ନୀ ଘରେ ରହୁ ନଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ କରିଥିବା ଖୋଦ୍ ନାବାଳିକା ଜଣଙ୍କ ପୁଲିସ୍ ଆଗରେ ପ୍ରକାଶ କରିଛନ୍ତି। ବାପା ରୋଜଗାର ପାଇଁ ରାଜ୍ୟ ବାହାରେ ରହୁଥିବା ବେଳେ ମା’ ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରମୋଦଙ୍କ ସହିତ ରାଜଧାନୀକୁ ପଠେଇଥିଲେ। ଏଠାକୁ ଆଣିବା ପରେ ପ୍ରମୋଦଙ୍କ ପତ୍ନୀ ନାବାଳିକାଙ୍କୁ ଘର କାମରେ ନିୟୋଜିତ କରିଥିଲେ। ତେବେ ପତ୍ନୀଙ୍କ ଅନୁପସ୍ଥିତିର ଫାଇଦା ନେଇ ପ୍ରମୋଦ ନାବାଳିକାଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।
୪୮ ଘଣ୍ଟା ପରେ ମଧ୍ୟ ପୁଲିସ ହାତ ଖାଲି
ଏହି ଘଟଣାକୁ ପୁଲିସ୍ ପ୍ରଥମରୁ ହାଲ୍କା ଭାବେ ନେଇଥିବାରୁ ଅଭିଯୁକ୍ତ ଖସିଯାଇଥିବା ସ୍ଥାନୀୟ ବସ୍ତିବାସିନ୍ଦା ପ୍ରକାଶ କରିଛନ୍ତି। ତେବେ ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ହୋଇ ନଥିବାରୁ ଥାନା ଘେରାଉ କରିବାକୁ ଏକ ରାଜନୈତିକ ଦଳ ପକ୍ଷରୁ ଯୋଜନା କରାଯାଉଥିବା ସୂଚନା ମିଳିଛି। ତେବେ ପୁଲିସ୍ର ଏକ ସ୍ୱତନ୍ତ୍ର ଦଳ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତା’ର ପୈତୃକ ଘର ତଥା ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣେ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
ନାବାଳିକାଙ୍କ ସାହସକୁ ତାରିଫ
ଶାରୀରିକ ତଥା ମାନସିକ ନିର୍ଯାତନା ସହି ଆସୁଥିବା ନାବାଳିକା କିନ୍ତୁ ସୋମବାର ଘରେ କେହି ନଥିବା ସୁଯୋଗ ନେଇ ନିକଟସ୍ଥ ନୀଳପଡ଼ିଆ ବସ୍ତିକୁ ପଳାଇଥିଲେ। କାନ୍ଦି କାନ୍ଦି ସବୁ କହିବା ପରେ ବସ୍ତିବାସନ୍ଦା ପୀଡ଼ିତାଙ୍କୁ ନେଇ ଚନ୍ଦ୍ରଶେଖରପୁର ଥାନାକୁ ଆସିଥିଲେ। ଏ ସମ୍ପର୍କର ସୂଚନା ପାଇବାରେ ପରେ ପ୍ରଥମେ ପୁଲିସ୍ ଘଟଣାକୁ ହାଲକା ଭାବେ ନେଇଥିଲା। ପରେ ଘଟଣାସ୍ଥଳକୁ ନେଇ ଅଭିଯୁକ୍ତକୁ ଚିହ୍ନଟ କରାଇବାପାଇଁ କିଛି ସମୟ ପାଟ୍ରୋଲିଂ ଭ୍ୟାନ୍ରେ ବୁଲାଇଥିଲା। ନୀଳପଡ଼ିଆ ବସ୍ତି ବାସିନ୍ଦା ପକ୍ଷରୁ ଥାନାରେ ଅଭିଯୋଗ ଦିଆଯିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା।