ଆସୁଛି ବଡ଼ଦିନ। ମଝିରେ ଆଉ ମାତ୍ର କେଇଟା ଦିନ ବାକି। ଏଥିପାଇଁ ଉତ୍ସବମୁଖର ହୋଇଉଠିଲାଣି ରାଜଧାନୀ। ଖାଲି ଚର୍ଚ୍ଚ ନୁହେଁ ରାଜଧାନୀର ପ୍ରମୁଖ ସପିଂ ମଲ୍ଗୁଡ଼ିକ ମଧ୍ୟ ଅଲୋକମାଳାରେ ସଜେଇ ହେଲେଣି। ପିଲାମାନେ ଚାହିଁ ରହିଛନ୍ତି ସାନ୍ତାକ୍ଲଜ୍ର ଆଗମନ ଓ ତାଙ୍କ ଉପହାର ପାଇଁ। ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ତରଫରୁ ପ୍ରାକ୍ ଖ୍ରୀଷ୍ଟମାସ ପାଳନ ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ରାଜଧାନୀର ପ୍ରମୁଖ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନ କିପରି ଧୂମ୍ଧାମରେ ହେବ, ସେଥିପାଇଁ ପ୍ରସ୍ତୁତି ଜୋର୍ସୋର୍ରେ ଚାଲିଛି।
ଭିନ୍ସେଣ୍ଟ୍ କ୍ୟାଥଲିକ୍ ଚର୍ଚ୍ଚରେ ଶୋଭାବର୍ଦ୍ଧନ କରିବ ଖ୍ରୀଷ୍ଟମାସ ଟ୍ରି ପାର୍କ ଓ ଗୁହାଳ ଘର
ସତ୍ୟନଗରସ୍ଥିତ ଭିନ୍ସେଣ୍ଟ୍ କ୍ୟାଥଲିକ୍ ଚର୍ଚ୍ଚରେ ଏହି ମାସ ପହିଲାରୁ ବେଶ୍ ଜୋର୍ସୋର୍ରେ ପ୍ରସ୍ତୁତି ଚାଲିଛି। ନଭେମ୍ବର ୨୯ରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୟକୁ ଯୀଶୁଙ୍କ ଆଗମନ କାଳ ବୋଲି ବିଶ୍ୱାସ ରହିଛି। କ୍ୟାଥ୍ଲିକ୍ମଣ୍ଡଳୀ ଏହି ଅବସରରେ କାରୋଲ୍ ଗୀତ ଗାଇ ଯୀଶୁ ଧରାବତରଣ କରୁଛନ୍ତି ବୋଲି ବାର୍ତ୍ତା ଦେଇଥାଏ। ଏହାସହ ଚର୍ଚ୍ଚରୁ ଯୁବକ/ଯୁବତୀମାନେ ପ୍ରତି ଖ୍ରୀଷ୍ଟିଆନ୍ ପରିବାରକୁ ଯାଇ ଏହି ଗୀତ ଗାଇଥାନ୍ତି। ଏହି ଆଗମନ କାଳରେ ନିଜକୁ ଆଧ୍ୟାତ୍ମିକ ଭାବେ ପ୍ରସ୍ତୁତ କରାଯାଇଥାଏ। ଚର୍ଚ୍ଚରେ ପ୍ରାର୍ଥନା, ଉପବାସ, ଧ୍ୟାନ ଓ ଦିବ୍ୟଯଜ୍ଞ ଆଦି କରାଯାଇଥାଏ। ଚର୍ଚ୍ଚକୁ ବହୁ ଆଡ଼ମ୍ବର ସହ ସଜା ଯାଇଥାଏ। ଏବର୍ଷ ଚର୍ଚ୍ଚ ପରିସରରେ ସ୍ୱତନ୍ତ୍ର ଖ୍ରୀଷ୍ଟମାସ ଟ୍ରି ପାର୍କ ତିଆରି କରାଯିବ। ଚର୍ଚ୍ଚ ସମ୍ମୁଖରେ ଗୁହାଳ ଘର ତିଆରି କରାଯିବ। ତାହାକୁ ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ସୁସଜ୍ଜିତ କରାଯିବ।
/sambad/media/post_attachments/wp-content/uploads/2019/12/cha-300x178.jpg)
ଆଲୋକମାଳାରେ ଝଲସିବ ୟୁନିୟନ୍ ଚର୍ଚ୍ଚ
ୟୁନିଟ୍-୪ସ୍ଥିତ ଯୁନିୟନ୍ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରସ୍ତୁତି ହେଉଛି। ପୂରାଚର୍ଚ୍ଚକୁ ଆଲୋକମାଳାରେ ସଜାଇବାର ଯୋଜନା ରହିଛି ବୋଲି ଚର୍ଚ୍ଚର ରେଭ୍ ଆୟୁବ୍ ଛିଞ୍ଚାଣି କହିଛନ୍ତି। ଏହି ଅବସରରେ ଚର୍ଚ୍ଚରେ କାରୋଲ ଗୀତ ଗାନ କରାଯିବା ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ବାଇବେଲ୍ ମେମୋରିଭର୍ସ ପ୍ରତିଯୋଗିତା, ଭକ୍ତି ସଙ୍ଗୀତ, ବାଇବେଲ କୁଇଜ୍ ଆଦିର ଆୟୋଜନ କରାଯାଇଛି।
ଜମିଲାଣି ଖ୍ରୀଷ୍ଟମାସ ବଜାର
ଖ୍ରୀଷ୍ଟିଆନ୍ମାନଙ୍କ ବଡ଼ପର୍ବ ଖ୍ରୀଷ୍ଟମାସ। କିନ୍ତୁ ରାଜଧାନୀର ସବୁ ସମ୍ପ୍ରଦାୟର ଲୋକ ଏ ନେଇ ବେଶ୍ ଉତ୍ସାହିତ। ଏଣୁ ଏହି ଦିନର ଭିନ୍ନଭିନ୍ନ ରକମର ସାମଗ୍ରୀକୁ ନେଇ ରାଜଧାନୀର ପ୍ରମୁଖ ସ୍ଥାନଗୁଡ଼ିକରେ ଖୋଲି ଗଲାଣି ଖ୍ରୀଷ୍ଟମାସ ପସରା। ଖ୍ରୀଷ୍ଟମାସ ଟ୍ରି, ଷ୍ଟାର୍, ସାନ୍ତାକ୍ଲଜ୍, ହ୍ୟାଙ୍ଗିଙ୍ଗ୍ ବଲ୍ ବେଲ୍, ସାନ୍ତା ଟୟ, ସାନ୍ତା ଟୋପି, ସାନ୍ତା ମୋଜା, ପୋଷାକ, ଖ୍ରୀଷ୍ଟମାସ ବ୍ୟାଣ୍ଡ, ଖ୍ରୀଷ୍ଟମାସ କାର୍ଡ, ଝୁମର୍, ଜରିମାଳ, ଜିସସ୍ ଓ ମଦର ମେରିଙ୍କ ଷ୍ଟାଚ୍ୟୁ, ମ୍ୟୁଜିକାଲ୍ ଓ ଡ୍ୟାସିଂ ସାନ୍ତା ଆଦି ସାମଗ୍ରୀରେ ଭରି ଗଲାଣି ଦୋକାନ।
ସତ୍ୟନଗରସ୍ଥିତ ଅମିତ୍ ସିଜିନ୍ ସେଣ୍ଟରର ଅଶୋକ ସାହୁ କୁହନ୍ତି, ଖ୍ରୀଷ୍ଟମାସ୍ର ସପ୍ତାହେ ପୂର୍ବରୁ ପ୍ରତିବର୍ଷ ବେପାର ବେଶ୍ ଜମେ। ସବୁ ସମ୍ପ୍ରଦାୟର ଲୋକ ଏହି ସବୁ ସାମଗ୍ରୀ କିଣନ୍ତି। ଅଧିକାଂଶ ରେସ୍ତୋଁରା ଓ ସୋ’ ରୁମ୍ରେ ଏନେଇ ସାଜସଜ୍ଜା ସରିଲାଣି। ଖ୍ରୀଷ୍ଟମାସ ଟ୍ରି’ଠାରୁ ଆରମ୍ଭ କରି ସାନ୍ତାକ୍ଲଜଗୁଡ଼ିକ ଏସବୁର ପ୍ରବେଶ ପଥରେ ରହି ଗ୍ରାହକଙ୍କୁ ସ୍ବାଗତ କରୁଛନ୍ତି। ଚଳିତ ବର୍ଷ ଗ୍ରାହକଙ୍କୁ ଅଧିକ କିଛି ନୂଆ ଖ୍ରୀଷ୍ଟମାସ୍ ସାଜସଜ୍ଜା ସାମଗ୍ରୀ ଯୋଗାଇ ଦେବା ଉଦ୍ଦେଶ୍ୟରେ ବଜାରକୁ ଆସିଛି ଯୀଶୁଙ୍କ ଜନ୍ମବୃତ୍ତାନ୍ତ ବର୍ଣ୍ଣନା କରୁଥିବା ‘କ୍ରିପ୍ ସେଟ୍’ ସହ ହାତ ତିଆରି ଗୁହାଳ ଘର। ନଡ଼ିଆ କତା, ଉଲ୍, ବାଉଁଶକାଠି ଆଦିରେ ତିଆରି ଗୁହାଳ ଘର ସହ ମଦର ମେରୀ, ଯୀଶୁଙ୍କ ସହ ଅନ୍ୟାନ୍ୟ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି। କ୍ରିପ୍ ସେଟ୍ ୩୦୦ ଟଙ୍କାରୁ ଆରମ୍ଭ କରି ୧୫ ଶହ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ ହାତ ତିଆରି ଗୁହାଳ ଘରର ଦାମ୍ ୧୨ ଶହ ଟଙ୍କା ରହିଛି। ଖ୍ରୀଷ୍ଟମାସ ଟ୍ରି ଓ ଲାଇଟେନିଙ୍ଗ୍ ଟ୍ରିର ଚାହିଦା ଅଧିକ ରହିଛି ବୋଲି ଅଶୋକ କହିଛନ୍ତି।
ବଡ଼ଦିନ ଓ ନୂଆବର୍ଷ ପାଇଁ ପ୍ଲାନେଟାରିୟମ୍ରେ ସ୍ବତନ୍ତ୍ର ସୋ’
ଭୁବନେଶ୍ବର : ବଡ଼ ଦିନ ଓ ନୂଆବର୍ଷକୁ ନଜରରେ ରଖି ପଠାଣି ସାମନ୍ତ ପ୍ଲାନେଟାରିୟମ୍ରେ ସ୍ବତନ୍ତ୍ର ସୋ’ର ବ୍ୟବସ୍ଥା କରାଯାଇଛି। ଆଜିଠାରୁ ଏହି ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରତି ଅଧଘଣ୍ଟା ବ୍ୟବଧାନରେ ଗୋଟିଏ ଲେଖାଏଁ ସୋ’ର ବ୍ୟବସ୍ଥା କରାଯାଇଛି। ସୋ’ଗୁଡ଼ିକ କ୍ରମାନ୍ବୟରେ ଓଡ଼ିଆ ଓ ହିନ୍ଦୀ ଭାଷାରେ ପରିବେଷିତ ହେବ। ଅପରାହ୍ଣ ୪ଟାରେ ଇଂରାଜୀ ଭାଷାରେ ସୋ’ ପ୍ରଦର୍ଶିତ ହେବ। ଦଳଗତ ଭାବେ ସ୍କୁଲ ଓ କଲେଜରୁ ଆସୁଥିବା ଛାତ୍ରଛାତ୍ରୀମାନେ ସୋ’ ଦେଖିବା ପୂର୍ବରୁ ପ୍ଲାନେଟାରିୟମ୍ ସହ ଯୋଗାଯୋଗ କରିବା ପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ନିର୍ଦେଶକ ରସିଦ ଖାନ୍ ଜଣାଇଛନ୍ତି। ସୋମବାର ଦିନ ପ୍ଲାନେଟାରିୟମ୍ ବନ୍ଦ ରହିବ।