ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ପ୍ରସ୍ତୁତି

ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ଧୁମ୍‌ଧାମରେ ପାଳିତ ହେବ। କେଦାରଗୌରୀ ମନ୍ଦିରରୁ ନବଦମ୍ପତିଙ୍କୁ ଶୋଭାଯାତ୍ରାରେ ନିଆଯାଇ ଗୋସାଗରେଶ୍ୱର ଛକ ନିକଟ ଶୀତଳଷଷ୍ଠୀ ରୋଡ୍, ତିନି ମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖେଳା ଛକ ମଧ୍ୟ ଦେଇ ନଗର ପରିକ୍ରମା କରାଯିବ। ଏଥିପାଇଁ ଭୁବନେଶ୍ୱର ଶୀତଳଷଷ୍ଠୀ କମିଟି ପକ୍ଷରୁ ପୁରୁଣା ଭୁବନେଶ୍ୱର ଟାଉନ୍ କ୍ଲବ ପରସରରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୭ଲକ୍ଷ ଟଙ୍କା ଖର୍ଚ ପାଇଁ ବଜେଟ୍‌ କରାଯାଇଥିବା ବେଳେ ଗତବର୍ଷ ପରି ବିଭିନ୍ନ ଘଣ୍ଟ ବାଦ୍ୟ, ସମ୍ବଲପୁରୀ, ଦୁଲଦୁଲି, ଗଞ୍ଜାମର ଯୋଡ଼ି ଶଙ୍ଖ, ଢୋଲ ମହୁରୀ, ବନ୍ୟ ଜନ୍ତୁ ବେଶ, କଣ୍ଢେଇ ନାଚ, ନାଗା ନାଚ, ଘୋଡ଼ା ନାଚ, ମୟୂରଭଞ୍ଜ ଛଉ, ଢୋଲ ମାଦଳ, ମହିଳା କଳସୀ ନୃତ୍ୟ, ଦେବାଦେବୀ ବେଶ, ବନାଟି, ଶେଭାଯାତ୍ରା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଚଳିତ ବର୍ଷ ଡିଜେ ବାଜିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ, କମିଟି ଉପସଭାପତି ସନତ ମିଶ୍ର, ସଂପାଦକ ପୃଥିବୀକାନ୍ତ ମହାପାତ୍ରଙ୍କ ସମେତ ବହୁ ସଭ୍ୟ ଯୋଗ ଦେଇଥିଲେ। ଶେଷରେ ଶ୍ରୀବତ୍ସ ପତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର